ପାକିସ୍ତାନ ଏବେ ଦୁର୍ବଳ, ପିଓକେକୁ ଫେରାଇ ଆଣିବାର ଏହା ହେଉଛି ଉପଯୁକ୍ତ ସମୟ: ହରିଶ ରାଓ୍ଵତ
4/12/2022 at 11:18 PM

ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କାଶ୍ମୀରକୁ ପୁଣି ଥରେ ଫେରାଇ ଅଣାଯାଉ। ଏହା ଆମର କର୍ତ୍ତବ୍ୟ। ଏହା ମୋଦୀ ସରକାରଙ୍କ ଏଜେଣ୍ଡା ହେବା ଉଚିତ୍। ରବିବାର ଏମିତି ଗୁରୁତ୍ଵପୂର୍ଣ୍ଣ ଟିପ୍ପଣୀ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ହରିଶ ରାଓ୍ଵତ। ଏହାର କିଛି ଦିନ ପୂର୍ବେ ମଧ୍ୟ ସେନା ପିଓକେକୁ ଆଣିବା ପାଇଁ ପ୍ରସ୍ତୁତ, ବାସ୍ କେବଳ ସରକାରଙ୍କ ଆଦେଶ ମିଳିବା ଉଚିତ୍ ବୋଲି ସେନାର ଅଧିକାରୀ କହିଥିଲେ।
ହରିଶ ରାଓ୍ଵତ କହିଛନ୍ତି, ପିଓକେକୁ ଫେରାଇ ଆଣିବା ଆମର କର୍ତ୍ତବ୍ୟ।ସେ ଦାବି କରିଛନ୍ତି ଯେ, ସଂସଦରେ ଏହି ବିଷୟରେ ପ୍ରସ୍ତାବ ପାରିତ ହୋଇ ସାରିଛି। କଂଗ୍ରେସ ସରକାରରେ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା। ଆମେ ଆଶା କରୁଛୁ ମୋଦୀ ସରକାରଙ୍କ ଏଜେଣ୍ଡାରେ ଏହି କାମ ହେବା ଉଚିତ୍। ଏହି ବିଷୟରେ କେବଳ କଥା କହିଲେ ହେବନି। ସଂପ୍ରତି ପାକିସ୍ତାନ ବହୁତ ଦୁର୍ବଳ ଅଛି। ପାକିସ୍ତାନ ଅଧିକୃତ କାଶ୍ମୀରକୁ ଦଖଲ କରିବା ଏହା ହେଉଛି ଉପଯୁକ୍ତ ସମୟ।
ସୂଚନାଯୋଗ୍ୟ, ସେନାର ଉତ୍ତର କମାଣ୍ଡର ପ୍ରମୁଖ ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ଵିବେଦୀ ପିଓକେକୁ ନେଇ ନିକଟରେ ବଡ ବୟାନ ଦେଇଥିଲେ। ସେ କହିଥିଲେ, ସେନା ପିଓକେ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ସଂପୂର୍ଣ୍ଣ ପ୍ରସ୍ତୁତ। କେବଳ ଭାରତ ସରକାରଙ୍କ ଆଦେଶକୁ ଅପେକ୍ଷା। ତାଙ୍କର ଏହି ଟିପ୍ପଣୀ ପରେ ବଲିଉଡ ଅଭିନେତ୍ରୀ ଋଚା ଚଡ୍ଡା ବିବାଦୀୟ ଟ୍ଵିଟ୍ କରି ସମାଲୋଚିତ ହୋଇଥିଲେ।