ଦୂତାବାସ ବିକିବ ପାକିସ୍ତାନ, ଜାଣନ୍ତୁ ମୂଲ୍ୟ କେତେ?
16/12/2022 at 1:43 PM

ଇସ୍ଲାମାବାଦ ୧୬।୧୨: ଋଣ ଗ୍ରସ୍ତ ପାକିସ୍ତାନ ଏବେ ତାର ଆମେରିକା ଦୂତାବାସ ବିକିବାକୁ ଚାହୁଁଛି। ରିପୋର୍ଟ ଅନୁସାରେ ଆମେରିକାର ୱାସିଂଟନସ୍ଥିତ ପାକିସ୍ତାନର ପୁରୁଣା ଦୂତାବାସକୁ ବିକ୍ରି ଲାଗି ଫରେନ ଅଫିସ ମଞ୍ଜୁରୀ ଦେଇଛନ୍ତି। ଏଣୁ ଦୂତାବାସ ବିକ୍ରି ଲାଗି ପାକିସ୍ତାନ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ଏଥିରୁ ୫୦ରୁ ୬୦ ଲକ୍ଷ ଡଲାର ମିଳିବ ବୋଲି ଆଶା କରାଯାଉଛି। ପାକିସ୍ତାନ ଏବେମାନ୍ଦାବସ୍ଥା କବଳିତ ହୋଇଛି। ଏଥିରେ ନିକଟରେ ହୋଇଥିବା ବନ୍ୟା ପରିସ୍ଥିତିକୁ ସଙ୍ଗୀନ କରିଦେଇଛି।
ପାକିସ୍ତାନ ଉପରେ ଚୀନ ସମେତ ଅନେକ ଦେଶର ଋଣ ରହିଛି। ଏଣୁ ଦେଶକୁ ନୂଆ ଋଣ ମିଳିପାରୁ ନଥିବା ବେଳେ ବିଭିନ୍ନ ଦେଶରେ ଥିବା ସମ୍ପତ୍ତି ବିକିବା ଲାଗି ପାକିସ୍ତାନ ନିଷ୍ପତ୍ତି ନେଇଛି। ଏଥିରେ ପାକିସ୍ତାନ ଆମେରିକାସ୍ଥିତ ଦୂତାବାସ ବିକ୍ରିରୁ ଦେଶର ବିଦେଶ ସମ୍ପତ୍ତି ବିକ୍ରି ଆରମ୍ଭ କରିବାକୁ ଯାଉଛି। ଦେବାଳିଆ ହେବାରୁ ବର୍ତ୍ତିବା ଲାଗି ପାକିସ୍ତାନ ସରକାର ଏହି ପଦକ୍ଷେପ ନେବାକୁ ଯାଉଛନ୍ତି।

ଆମେରିକାସ୍ଥିତ ପାକିସ୍ତାନ ଦୂତାବାସ କର୍ମଚାରୀଙ୍କ ଅନୁସାରେ ଏହି ବିଲ୍ଡିଂଟି ଅନେକ ପୁରୁଣା। ପାଖାପାଖି ୧୫ ବର୍ଷ ହେଲା ବିଲ୍ଡିଂଟି ଖାଲି ପଡିଛି। ଏଣୁ ଉପଯୁକ୍ତ ଦର ମିଳିଲେ ବିକ୍ରି କରି ଦିଆଯିବ ବୋଲି କର୍ମଚାରୀମାନେ କହିଛନ୍ତି। ପାକିସ୍ତାନ ସଂଘୀୟ ସୂଚନା ଓ ପ୍ରସାରଣ ମନ୍ତ୍ରୀ ମରିୟମ ଆଉରଙ୍ଗଜେବ ମଧ୍ୟ ଏହି ବିଲ୍ଡିଂର ବିକ୍ରି ନେଇ ପୂର୍ବରୁ ସୂଚନା ଦେଇଥିଲେ। ଏବେ କ୍ୟାବିନେଟ ମଧ୍ୟ ଆମେରିକାସ୍ଥିତ ପାକିସ୍ତାନ ଦୂତାବାସ ବିକ୍ରି ପ୍ରସ୍ତାବକୁ ମଞ୍ଜୁର କରିଦେଇଛନ୍ତି।
ତେବେ ବିଦେଶରେ ଥିବା ପାକିସ୍ତାନ ଦୂତାବାସ ବିକ୍ରି କିଛି ନୂଆ କଥା ନୁହେଁ ବୋଲି ଆସେମ୍ବ୍ଲି ସଦସ୍ୟ ନୌସିନ ସଇଦ କହିଛନ୍ତି। ପୂର୍ବରୁ ମଧ୍ୟ ପାକିସ୍ତାନ ସରକାର ଦୂତାବାସ ବିକ୍ରିକୁ ମଞ୍ଜୁରୀ ଦେଇଛନ୍ତି। ନବାଜ ସରିଫ ସରକାରରେ ସାଉଦୀ ଆରବ ଓ ଇୟୁରୋପ ଦୂତାବାସ ବିକ୍ରି ଲାଗି ପ୍ରସ୍ତାବ ମଞ୍ଜୁର କରାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ ପାକିସ୍ତାନର ବର୍ତ୍ତମାନ ଋଣର ପରିମାଣ ପ୍ରାୟ ୬୦ ଟ୍ରିଲିୟନ ପାକିସ୍ତାନୀ ଟଙ୍କା। ଯାହା ରେକର୍ଡ ସ୍ତରକୁ ପାର କରିଯାଇଛି।