ଏସ୍‌ଆଇସିରେ ମିଶିବେ ନିର୍ଦ୍ଦଳୀୟ, ଇମ୍ରାନଙ୍କ ପିଟିଆଇକୁ କରିବେ ସମର୍ଥନ

Published By : Prameya-News7 Bureau | February 21, 2024 IST

ଇସ୍‌ଲାମାବାଦ ୨୧/୦୨: ପାକିସ୍ତାନରେ ସାଧାରଣ ନିର୍ବାଚନକୁ ବିତିଗଲାଣି ୧୨ ଦିନ । ତଥାପି ଗଠନ ହୋଇପାରୁନି ସରକାର । ବାହାରିପାରୁନି ନିଷ୍ପତ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ସମର୍ଥକ ବୋଲାଉଥିବା ନିର୍ଦ୍ଦଳୀୟ ନେତାଙ୍କୁ ମିଳିଛି ସର୍ବାଧିକ ଆସନ । ସେମାନେ ଧାର୍ମିକ ଦଳ ସୁନ୍ନି ଇତ୍ତିହାଦ୍‌ କାଉନ୍‌ସିଲ୍‌ (ଏସ୍‌ଆଇସି)ରେ ସାମିଲ ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ଇମ୍ରାନ୍‌ଙ୍କ ଦଳ ପାକିସ୍ତାନ ତେହରିକ୍‌-ଏ-ଇନ୍‌ସାଫ୍‌ର ଅଧ୍ୟକ୍ଷ ବାରିଷ୍ଟର ଗୌହର ଖାନ୍‌ ଏହି ସୂଚନା ଦେଇଛନ୍ତି । ଏସ୍‌ଆଇସି ନେତା ହାଫିଜ୍‌ ରଜା କହିଛନ୍ତି, ପିଟିଆଇ ସହ ଆମ ସମ୍ପର୍କ ୮ ବର୍ଷ ପୁରୁଣା । ଆମେ ସବୁବେଳେ ସାମ୍ପ୍ରଦାୟିକ ହିଂସାକୁ ବିରୋଧ କରିଆସୁଛୁ । ପିଟିଆଇ ଏବଂ ଇମ୍ରାନ୍‌ ଖାନ୍‌ଙ୍କୁ ଆମେ ବିନା ସର୍ତ୍ତରେ ସମର୍ଥନ କରୁଛୁ ।

ଦଳ ଓ ସରକାର ଗଠନକୁ ନେଇ ସମସ୍ତ ନୀତି ପିଟିଆଇ ଓ ଇମ୍ରାନ୍‌ ଖାନ୍‌ ହିଁ ବନାଇବେ । ଗୌହର ଖାନ୍‌ କହିଛନ୍ତି, ଏସ୍‌ଆଇସି ଓ ନିର୍ଦ୍ଦଳୀୟଙ୍କ ମଧ୍ୟରେ ହୋଇଥିବା ମେଣ୍ଟ ବାବଦରେ ଆମେ ନିର୍ବାଚନ ଆୟୋଗଙ୍କୁ ଅବଗତ କରାଇବୁ । ଉଲ୍ଲେଖଯୋଗ୍ୟ, ସରକାର ଗଠନ ଦାବି ଉପସ୍ଥାପନ ଲାଗି ଇମ୍ରାନ୍‌ଙ୍କ ନିର୍ଦ୍ଦଳୀୟ ବିଜୟୀ ପ୍ରାର୍ଥୀଙ୍କୁ କୌଣସି ଦଳ କିମ୍ବା ମେଣ୍ଟରେ ସାମିଲ ହେବାକୁ ପଡ଼ିବ । ଏହାପରେ ଯାଇ ସେମାନେ ସରକାର ଗଠନ କରିପାରିବେ ।

ଗୌହର ଖାନ ଆହୁରି କହିଛନ୍ତି, ନ୍ୟାସନାଲ ଆସେମ୍ବ୍ଲିରେ ପିଟିଆଇ ୧୮୦ ଆସନ ଜିତିଛି । ଯେତେ ବି ନିର୍ଦ୍ଦଳୀୟ ପ୍ରାର୍ଥୀ ଜିତିଛନ୍ତି, ସେମାନେ ସମସ୍ତେ ପିଟିଆଇର ସମର୍ଥକ । ଆମେ ପ୍ରାଦେଶିକ ନିର୍ବାଚନରେ ମଧ୍ୟ ବିପୁଳ ବିଜୟ ହାସଲ କରିଛୁ । ଇମ୍ରାନ୍‌ଙ୍କ ତରଫରୁ ନିର୍ବାଚିତ ହୋଇଥିବା ପିଟିଆଇର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଆୟୁବ ଖାନ କହିଛନ୍ତି, କେନ୍ଦ୍ରରେ ସରକାର ଗଠନ କରିବା ଆମର ଲକ୍ଷ୍ୟ ।

ଏହାପରେ ଆମେ ଇମ୍ରାନ୍‌ ଖାନ୍‌, ତାଙ୍କ ପତ୍ନୀ ବୁଶ୍‌ରା ବିବି, ଶାହ ମହମ୍ମୁଦ କ୍ୟୁରେଶି, ପରଭେଜ୍‌ ଇଲାହୀଙ୍କ ଭଳି ପିଟିଆଇ ନେତାଙ୍କୁ ମୁକ୍ତ କରିବୁ । ମେଣ୍ଟରେ ସାମିଲ ହେବା ପାଇଁ ଆୟୁବ ଖାନ୍‌ ମଜଲିସ-ଏ-ୱହଦତ ମୁସଲିମିନ (ଏମ୍‌ଡବ୍ଲ୍ୟୁଏମ୍‌)କୁ ଧନ୍ୟବାଦ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.