ଋଷିଆ ବିରୋଧରେ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଦେଉଛି ପାକିସ୍ତାନ, ଜାଣନ୍ତୁ କ’ଣ କହିଲେ ରାଜଦୂତ

Published By : Prameya-News7 Bureau | September 25, 2022 IST

ମସ୍କୋ ୨୫।୯: ଋଷିଆ-ୟୁକ୍ରେନ ସଂଘର୍ଷକୁ ୭ ମାସ ହେଲାଣି। ନା ୟୁକ୍ରେନ ଝୁକୁଛି ନା ଋଷିଆ ହାର ମାନିବାକୁ ପ୍ରସ୍ତୁତ। ଉଭୟ ଦେଶଙ୍କ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଏବେ ଶେଷ ହେବା ଉପରେ। ତେବେ ମିତ୍ର ଦେଶଙ୍କ ସୈନ୍ୟ ସହାୟତା ବଳରେ ଚାଲିଥିବା ଯୁଦ୍ଧ ଏବେବି ଜାରି ରହିଛି। କିଛି ଦିନ ପୂର୍ବେ ଏକ ରିପୋର୍ଟରେ ନାଟୋ ଦେଶଙ୍କ ବ୍ୟତୀତ ପାକିସ୍ତାନ ମଧ୍ୟ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ପଠାଉଥିବାର କୁହାଯାଇଥିଲା।

ପାକିସ୍ତାନ ସେନାର ମାଲବାହୀ ବିମାନଙ୍କୁ ୟୁକ୍ରେନ ପଡୋଶୀ ରୋମାନିଆରେ ଓହ୍ଲାଇଥିବାର ମଧ୍ୟ ଦେଖା ଯାଇଥିଲା। ଏହି ସବୁ ଦାବିକୁ ନେଇ ଏବେ ଋଷିଆ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି। ଏହି ସବୁ ଦାବିରେ ଯଦି ସାମାନ୍ୟ ସତ୍ୟତା ଥାଏ ତେବେ ପାକିସ୍ତାନ ସହ ସମ୍ପର୍କରେ ବଡ ପ୍ରଭାବ ପଡିବା ନିଶ୍ଚିତ ବୋଲି ଋଷିଆ ଚେତାଇ ଦେଇଛି। ଉଲ୍ଲେଖଯୋଗ୍ୟ ଯେ ୟୁକ୍ରେନ ୱିପନ ଟ୍ରାକର ନାମରେ ଏକ ଟ୍ୱିଟର ଆକାଉଣ୍ଟ ପାକିସ୍ତାନ ଅସ୍ତ୍ର ପଠେଇଥିବାର ଦାବି କରିଥିଲା।

{"id":688389,"width":841,"height":788,"sizeSlug":"full","linkDestination":"none"}

ଏଥିରେ ପାକିସ୍ତାନ ଅସ୍ତ୍ରଶସ୍ତ୍ରର ଫଟୋ ବି ଆସିଥିଲା। ପାକିସ୍ତାନ ଅର୍ଡାନ୍ସ ଫ୍ୟାକ୍ଟ୍ରିରେ ନିର୍ମିତ ୧୨୨ ଏମଏମ ଏଚ୍ଇ ଆର୍ଟିଲାରୀ ଗୋଳା ମଧ୍ୟ ଦେଖା ଯାଇଥିଲା। କୁହାଯାଉଛି ପାକିସ୍ତାନ ଅସ୍ତ୍ରଶସ୍ତ୍ର ସିଧା ୟୁକ୍ରେନ ନ ପଠାଇ ପଡୋଶୀ ରୋମାନିଆ ପହଞ୍ଚାଇଥିଲା। ସେଠାରୁ ୟୁକ୍ରେନକୁ ଟ୍ରାନ୍ସପୋର୍ଟ ହେଉଥିଲା। ସେହିପରି ୟୁକ୍ରେନକୁ ଅସ୍ତ୍ର ପଠାଇବାର ଡିଲ ପାକିସ୍ତାନ ସେନାମୁଖ୍ୟ ଜେନେରାଲ କମର ଜାଭେଦ ବାଜୱାଙ୍କ ବ୍ରିଟେନ ଗସ୍ତକାଳରେ ହୋଇଥିଲା। ରୋମାନିଆର ଯେଉଁ ବିମାନ ଘାଟିରେ ପାକିସ୍ତାନ ବିମାନ ଅବତରଣ କରୁଥିଲା ତାହା ବ୍ରିଟେନ ନିୟନ୍ତ୍ରଣରେ ଅଛି।

ଏବେ ଭାରତରେ ଅବସ୍ଥାପିତ ଋଷିଆ ରାଷ୍ଟ୍ରଦୂତ ଡେନିଶ ଅଲିପୋଭ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଏ ବାବଦେ  ଅପୁଷ୍ଟ ଖବର ମିଳିଛି। ସଠିକ କଣ ତାହା ଏଯାଏଁ ଜଣାପଡି ନାହିଁ। ଯଦି ଏହା ପୁଷ୍ଟି ହୁଏ ପାକିସ୍ତାନ ଓ ଆମ ସମ୍ପର୍କକୁ ନିଶ୍ଚିତ ପ୍ରଭାବିତ କରିବ ବୋଲି ସେ ଚେତାଇ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଋଷିଆ ସହ ସମ୍ପର୍କ ମଜଭୁତ କରିବା ପାଇଁ ବେଶ ଉଦ୍ୟମ କରିଥିଲେ। ସେ ଆମେରିକା ଓ ପଶ୍ଚିମ ଦେଶଙ୍କ ପରୁଆ ନ କରି ଋଷିଆ ଗସ୍ତ ମଧ୍ୟ କରିଥିଲେ। ଏହି ଗସ୍ତ କାଳରେ ଋଷିଆରୁ ଶସ୍ତା ଗହମ ଓ ଗ୍ୟାସ୍‌ ଆମଦାନୀ ଲାଗି ମଧ୍ୟ ଉଭୟ ଦେଶଙ୍କ ସହମତି ହୋଇଥିଲା।       

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.