ଇମ୍ରାନଙ୍କ ମୁହଁରେ ଭାରତର ଗୁଣଗାନ; ଲାହୋର ରାଲିରେ କହିଲେ ପାକିସ୍ତାନ ବର୍ବାଦର କାହାଣୀ
26/03/2023 at 3:16 PM

ଇସଲାମାବାଦ: ଇମ୍ରାନ ଖାନଙ୍କ ମୁହଁରେ ଭାରତର ପ୍ରଶଂସା । ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ମୁଖ୍ୟ ଇମ୍ରାନ ଖାନଙ୍କ ପୁଣି ଥରେ ଭାରତ ଗୁଣଗାନ କରିଛନ୍ତି । ରବିବାର ରାତିରେ ଲାହୋର ମିନାର-ଏ-ପାକିସ୍ତାନର ଏକ ସାର୍ବଜନିକ ରାଲିରେ ଯୋଗ ଦେଇ ଭାରତକୁ ପ୍ରଶଂସା କରିଛନ୍ତି । ଇମ୍ରାନ କହିଛନ୍ତି, ପାକିସ୍ତାନରେ ଜାରି ରହିଥିବା ଆର୍ଥିକ ସଂକଟ ପାଇଁ ବର୍ତ୍ତମାନର ସରକାର ଦାୟୀ । ଭାରତରେ ଯେଇଁ ସମୟରେ ମହଙ୍ଗା ଦର ୬ ପ୍ରତିଶତ ରହିଛି , ସେହି ସମୟରେ ପାକିସ୍ତାନର ମହଙ୍ଗା ଦର୍ ୩୦ ପ୍ରତିଶତ ଉପରେ ରହିଛି ।
ପାକିସ୍ତାନ ଏବେ ଅର୍ଥନୈତିକ ସଂକଟରେ ଡୁବି ଯାଇଛି । ଗରିବୀର ମୁଖ୍ୟ ଦ୍ବାରରେ ରହିଛି ଦେଶ । ମହଙ୍ଗା ମାଡ଼ରେ ଦେଶରେ ଗରିବ ଦିନକୁ ଦିନ ଗରିବ ହେବାରେ ଲାଗିଛି । ରୁଟି ପାଇଁ ଦେଶରେ ହାହାକାର ପଡ଼ିଛି । ଏହା ପରେ ବି ଦେଶର ଅର୍ଥ ବ୍ୟବସ୍ଥା ସୁଧାରିବା ପାଇଁ ତାଙ୍କ ପାର୍ଟି ଯଥା ପ୍ରୟାସ କରିଥିଲା । ବିଦେଶୀ ମୁଦ୍ରା ଭଣ୍ଡାର ସମୃଦ୍ଧ କରିବାକୁ ରୋଡ୍ ମ୍ୟାପ୍ ମଧ୍ୟ ପ୍ରସ୍ତୁତ କରୁଥିଲା ବୋଲି ଇମ୍ରାନ ଖାନା କହିଛନ୍ତି ।
ପାକିସ୍ତାନର ବିଦେଶୀ ମୁଦ୍ରା ଭଣ୍ଡାର ଶେଷ ହେବାକୁ ବସିଲାଣି । ଖାଦ୍ୟ ପାଇଁ ବିଭିନ୍ନ ସ୍ଥାନ ଲୋକେ ପ୍ରଦର୍ଶନ ଆରମ୍ଭ କରିଦେଲେଣି । ଆଏମଏଫ ଋଣ ଦେବାରେ ବିଳମ୍ବ କରୁଥିବାରୁ ସଂକଟ ଦିନକୁ ଦିନ ବଢ଼ିବାରେ ଲାଗିଛି । ଦେଶରେ କମ୍ପାନୀ ସବୁ ବନ୍ଦ ହେବାକୁ ବସିଲାଣି । ଉତ୍ପାଦନ ହ୍ରାସ ହେଉଛି । ଅର୍ଥନୀତିରେ ସୁଧାର ଆଣିବା ପାଇଁ ସରକାରଙ୍କୁ କଠିନ ନିର୍ଣ୍ଣୟ ନେବାକୁ ପଡ଼ିବା ବୋଲି ଇମ୍ରାନ ଖାନ କହିଛନ୍ତି ।
ରାଲିରେ ଇମ୍ରାନ ଖାନ କହିଛନ୍ତି, ପାକିସ୍ତାନ ସରକାର ପର୍ଯ୍ୟପ୍ତ ପରିମାଣରେ ଟିକସ ଆଦାୟ କରିପାରୁନାହାନ୍ତି । ଫଳରେ ଡଲାରର ଆଉଟ୍ ଫ୍ଲୋ ଏହି ଫ୍ଲୋ ଠାରୁ କମ୍ । ପାକିସ୍ତାନରେ ୨୨କୋଟି ଲୋକ ସଂଖ୍ୟା ମଧ୍ୟରୁ କେବଳ ୨୫ ଲକ୍ଷ ଲୋକ ଟିକସ ଭରୁଛନ୍ତି । ଦେଶରେ ଆର୍ଥିକ ପ୍ରଗତି ପାଇଁ ଅଧିକ ଟ୍ୟାକ୍ସ କଲେକ୍ସନ କରିବା ଜରୁରୀ । ଇମ୍ରାନ ଖାନ କହିଛନ୍ତି, ନିଜ କାର୍ଯ୍ୟାକାଳ ସମୟରେ ସର୍ବାଧିକ ଟ୍ୟାକ୍ସ ସଂଗ୍ରହ କରିଥିଲେ ।