ବାର୍ଟର ଟ୍ରେଡ ଲାଗି ବାଧ୍ୟ ହେଲା ପାକିସ୍ତାନ, ଏହି ସବୁ ଦେଶଙ୍କ ସହ ଏବେ କରିବ ବସ୍ତୁ ଅଦଳବଦଳ
4/06/2023 at 7:47 PM

ଇସ୍ଲାମାବାଦ ୪।୬: ପାକିସ୍ତାନୀ ବୈଦେଶିକ ମୁଦ୍ରାଭଣ୍ଡାର ଏବେ ସମାପ୍ତ ହେବା ଅବସ୍ଥାକୁ ପହଞ୍ଚି ଯାଇଛି। ଏଣୁ ବସ୍ତୁ ବିନିମୟ ବ୍ୟାପାର (ବାର୍ଟର ଟ୍ରେଡ) ଉପରେ ଭରସା କରିବାକୁ ପଡିଛି। ଏହି ବିନିମୟ ବେପାର ଏବେ ଋଷିଆ, ଆଫଗାନିସ୍ତାନ ଓ ଇରାନ ସହ ଆରମ୍ଭ କରିଛି। ଏଥିରେ ନିଜର ସାମଗ୍ରୀ ବଦଳେ ଅନ୍ୟ ଦେଶରୁ ସାମଗ୍ରୀ ସଂଗ୍ରହ କରୁଛି। ସେ ପେଟ୍ରୋଲିୟମ ପଦାର୍ଥ ସମେତ ଏଲଏନଜି, କୋଇଲା, ଗହମ, ଡାଲି, ଖଣିଜ ଧାତୁ ଓ ଖାଦ୍ୟ ପଦାର୍ଥ ବଦଳେ ନିଜର କୃଷି ଓ ଟେକ୍ସଟାଇଲ ସାମଗ୍ରୀ ଅଦଳ ବଦଳ କରୁଛି।
SBIଙ୍କ ରିପୋର୍ଟରେ ସମସ୍ତେ ଆଶ୍ଚର୍ଯ୍ୟ, ଜାଣନ୍ତୁ ଲୋକେ ୨ହଜାର ଟଙ୍କା ନୋଟ୍ର କରୁଛନ୍ତି କ’ଣ?
ପାକିସ୍ତାନର ଅବସ୍ଥା ଏବେ ଏପରି ହୋଇଯାଇଛି ଯେ ବୈଦେଶିକ ମୁଦ୍ରା ଭଣ୍ଡାରରେ ବିନିମୟ ଲାଗି ଆବଶ୍ୟକ ପରିମାଣର ବୈଦେଶିକ ମୁଦ୍ରା ନାହିଁ। ଏଣୁ ବାର୍ଟର ବ୍ୟବସ୍ଥା ଆପଣେଇବାକୁ ବାଧ୍ୟ ହୋଇଛି। କାରଣ ଦେଶର ଧ୍ୱଂସ ହୋଇସାରିଥିବା ଅର୍ଥ ବ୍ୟବସ୍ଥାକୁ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମଏଫ) ମଧ୍ୟ ସହାୟତା କରୁ ନାହିଁ। ଏଣୁ ବାର୍ଟର ଟ୍ରେଡ ଯୋଗୁ ତାକୁ ବ୍ୟାଙ୍କିଙ୍ଗ ଟ୍ରାଞ୍ଜାକ୍ସନ କରିବାକୁ ପଡୁ ନାହିଁ। ଏଥିରୁ ପାକିସ୍ତାନ ଏବେ ଇରାନ ସହିତ ଅଧିକାରୀକ ଚ୍ୟାନେଲରେ କାରବାର କରିପାରୁନଥିବା ଜଣାପଡିଛି। କାରଣ ଇରାନ ବିରୋଧରେ ଆମେରିକାର କଡ଼ା କଟକଣା ରହିଛି।

ପାକିସ୍ତାନ ଗଣମାଧ୍ୟମ ଅନୁସାରେ ନୂଆ ବ୍ୟବସ୍ଥାରେ ପାକିସ୍ତାନ କୃଷି କ୍ଷେତ୍ରକୁ ବେଶ ଲାଭ ମିଳିବ। କାରଣ ପାକିସ୍ତାନ ମାଂସ, ଫଳ, ପନିପରିବା ଓ ଚାଉଳ ଦେଇ ବିଦେଶରୁ ନିଜ ଲାଗି ଆବଶ୍ୟକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ମଗାଇ ଆଣିପାରିବ। ଏଥିରେ ପାକିସ୍ତାନର ଟେକ୍ସଟାଇଲ ଉଦ୍ୟୋଗ ମଧ୍ୟ ଲାଭାନ୍ୱିତ ହେବ ବୋଲି ଅନୁମାନ କରାଯାଉଛି। ରିପୋର୍ଟ ଅନୁସାରେ ପାକିସ୍ତାନ ବାଣିଜ୍ୟ ମନ୍ତ୍ରାଳୟ ବାର୍ଟର ଟ୍ରେଡ ନେଇ ଗତ ଶୁକ୍ରବାର ଏକ ବିଶେଷ ଆଦେଶ ଜାରି କରିଥିଲା। ଏଥିରୁ ପାକିସ୍ତାନ ବୈଦେଶିକ ମୁଦ୍ରା ଭଣ୍ଡାରରେ ଅତିବେଶିରେ ଆଉ ମାତ୍ର ମାସକ ଲାଗି ବୈଦେଶିକ ମୁଦ୍ରା ଥିବା ଅନୁମାନ କରାଯାଉଛି।
ମଝି ସଡ଼କରେ ଆହତ ଯୁବକର ଜୀବନ ବଞ୍ଚାଇଲେ ଲୋକସଭା ବାଚସ୍ପତି ଓମ୍ ବିରଳା
ସେପଟେ ପାକିସ୍ତାନର ମୁଦ୍ରାସ୍ପିତି ଅନିୟନ୍ତ୍ରିତ ହୋଇପଡିଛି। ଗତ ମାସରେ ଏହା ୩୮ ପ୍ରତିଶତର ରେକର୍ଡ ସ୍ତରକୁ ପହଞ୍ଚିଥିଲା। ଏଥିରେ ସରକାର ଯେଉଁ ଆଦେଶ ଜାରି କରିଛନ୍ତି ଘରୋଇ ଅଥବା ସରକାର କମ୍ପାନୀ ବାର୍ଟର ଟ୍ରେଡ ପ୍ରକ୍ରିୟା ଆପଣେଇବା ଲାଗି ଏବେ ସରକାରଙ୍କଠୁ ମଞ୍ଜୁରୀ ନେବାକୁ ପଡିବ। ବର୍ତ୍ତମାନ ସମୟରେ ପାକିସ୍ତାନ ଅର୍ଥ ବ୍ୟବସ୍ଥାର ଅବସ୍ଥା ଏପରି ଯେ ଖାଉଟି ମୂଲ୍ୟ ସୂଚକାଙ୍କ ୩୮ ପ୍ରତିଶତରେ ପହଞ୍ଚିଥିବା ବେଳେ ସେନସେଟିଭ ପ୍ରାଇସ୍ ଇଣ୍ଡିକେଟର ୪୮ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚି ଯାଇଛି। ଏହି ବିପରୀତ ପରିସ୍ଥିତିରେ ବାର୍ଟର ଟ୍ରେଡ ଆପଣାଇବା ଦ୍ୱାରା ପାକିସ୍ତାନର ଅର୍ଥ ବ୍ୟବସ୍ଥାକୁ ସମ୍ଭାଳିବା ଲାଗି ସାମାନ୍ୟ ସହାୟତା ମିଳିପାରେ।