Asia Cup: ସୁପର-୪ରେ ପାକିସ୍ତାନର ଦମଦାର ଆରମ୍ଭ, ବାଂଲାଦେଶକୁ ସହଜରେ ହରାଇଲା

Published By : Prameya-News7 Bureau | September 06, 2023 IST

ଲାହୋର: ସୁପର-୪ରେ ପାକିସ୍ତାନର ଦମଦାର ଆରମ୍ଭ। ହାରିସ ରଉଫ ଓ ନସୀମ ଶାହଙ୍କ ଶାଣିତ ବୋଲିଂ ପରେ ଇମାମ ଉଲ ହକ ଓ ମହମ୍ମଦ ରିଜଓ୍ଵାନଙ୍କ ଦମଦାର ଅର୍ଦ୍ଧଶତକୀୟ ଇନିଂସ ବଳରେ ଏଠାରେ ଖେଳା ଯାଇଥିବା ଏସିଆ କପ୍‌ ୨୦୨୩ର ସୁପର-୪ର ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନ ବାଂଲାଦେଶକୁ ୭ ଓ୍ଵିକେଟ୍‌ରେ ହରାଇଛି। ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ପାକିସ୍ତାନ ବୋଲରଙ୍କ ଶାଣିତ ବୋଲିଂର ମୁକାବିଲା କରି ନ ପାରି ୩୮.୪ ଓଭରରେ ୧୯୩ ରନରେ ଅଲଆଉଟ୍  ହୋଇଛି। ଦଳ ପକ୍ଷରୁ ଅଧିନାୟକ ସାକିବ ଉଲ ହସନ(୫୩) ଓ ମୁସଫିକର ରହିମ(୬୪) ରନର ଇନିଂସ ଖେଳିଛନ୍ତି। ଜବାବରେ ପାକିସ୍ତାନ ଇମାମ ଉଲ ହକ୍‌ଙ୍କ ୭୮ ରନ ଓ ମହମ୍ମଦ ରିଜଓ୍ଵାନଙ୍କ ଅପରାଜିତ ୬୩ ରନ ବଳରେ ୩ ଓ୍ଵିକେଟ୍ ହରାଇ ୩୯.୩ ଓଭରରେ ଅନାୟସରେ ବିଜୟ ଲକ୍ଷ୍ୟ ହାସଲ କରିଛି। ପାକିସ୍ତାନ ବ୍ୟାଟରଙ୍କ ଆଗରେ ବାଂଲାଦେଶ ବୋଲର ପ୍ରଭାବହୀନ ରହିଥିଲେ। ପାକିସ୍ତାନ ସେପ୍ଟେମ୍ବର ୧୦ରେ ପରବର୍ତ୍ତୀ ମ୍ୟାଚ୍‌ରେ ଭାରତକୁ ଭେଟିବ।

୧୯୪ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ପାକିସ୍ତାନର ଦୁଇ ଓପନର ଫଖର ଜମାନ ଓ ଇମାମ ଉଲହକ ୩୫ ରନ ଯୋଡ଼ିଥିଲେ। ଫଖର ଜମାନ(୨୦) ଆଉଟ୍  ହୋଇଥିଲେ। ୭୪ ରନ ସ୍କୋରରେ ଅଧିନାୟକ ବାବର ଆଜମ(୧୭) ଆଉଟ୍ ହେବା ପାକିସ୍ତାନକୁ ବଡ଼ ଝଟକା ଲାଗିଥିଲା। କିନ୍ତୁ ଇମାମ ଉଲ୍ ହକ୍‌ ଓ ମହମ୍ମଦ ରିଜଓ୍ଵାନ ଧୈର୍ଯ୍ୟର ସହ ବ୍ୟାଟିଂ କରି ଦଳର ସ୍ଥିତି ମଜବୁତ କରିଥିଲେ। ଉଭୟ ଏହି କ୍ରମରେ ଦୁଇ ବ୍ୟାଟର ନିଜ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ।

ଦଳୀୟ ସ୍କୋର ୧୫୯ ରନରେ ଇମାମ ୮୪ବଲ୍‌ରୁ ୫ ଚୌକା ଓ ୪ ଛକା ସହ ୮୪ ରନ କରି ଆଉଟ୍ ହୋଇଥିଲେ। ଇମାମ ଓ ରିଜଓ୍ଵାନ ତୃତୀୟ ଓ୍ଵିକେଟ୍ ପାଇଁ ୮୫ ରନ ଯୋଡ଼ି ଦଳକୁ ବିଜୟର ଦ୍ଵାର ଦେଶରେ ପହଞ୍ଚାଇଥିଲେ। ବାକି ଔପଚାରିକ ପୂରଣ କରିଥିଲେ ରିଜଓ୍ଵାନ। ସେ ଶେଷ ପର୍ଯ୍ୟନ୍ତ ୬୩ ରନରେ ଅପରାଜିତ ରହି ଦଳକୁ ବିଜୟୀ କରାଇଛନ୍ତି। ପାକିସ୍ତାନ ୩୯.୩ ଓଭରରେ ୩ ଓ୍ଵିକେଟ୍ ହରାଇ ୧୯୪ ରନ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ପାକିସ୍ତାନ ବୋଲରଙ୍କ ଶାଣିତ ବୋଲିଂର ମୁକାବିଲା କରି ନ ପାରି ୩୮.୪ ଓଭରରେ ୧୯୩ ରନରେ ଅଲଆଉଟ୍  ହୋଇଛି। ଅଧିନାୟକ ସାକିବ ଉଲ ହସନ(୫୩) ଓ ମୁସଫିକର ରହିମ(୬୪)ଙ୍କୁ ବାଦ୍ ଦେଲେ ଅନ୍ୟ ବ୍ୟାଟର କ୍ରିଜରେ ତିଷ୍ଠି ପାରି ନାହାନ୍ତି। ଦୁଇ ବ୍ୟାଟର ପଞ୍ଚମ ଓ୍ଵିକେଟ୍ ପାଇଁ ୧୦୦ ରନ ଯୋଡ଼ିବାରୁ ବାଂଲାଦେଶ ଏହି ସମ୍ମାନଜନକ ସ୍କୋର କରି ପାରିଛି। ମହମ୍ମଦ ନଇମ(୨୦), ଲିଟନ ଦାସ(୧୬), ଅଫିଫ ହୋସେନ(୧୬) ରନ କରିଥିଲେ। ପାକିସ୍ତାନ ପକ୍ଷରୁ ହାରିସ ରଉଫ ୧୯ ରନ ଦେଇ ୪ ଏବଂ ନସୀମ ଶାହ ୩୪ ରନରେ ୩ଟି ଓ୍ଵିକେଟ୍ ନେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.