ପାକିସ୍ତାନକୁ ଭାରତରେ ଖେଳାଯାଉଥିବା ବିଶ୍ଵ କପ୍ ପାଇଁ ମିଳିଲାନି ଭିସା, ପିସିବି କ୍ଷୁବ୍ଧ
6/12/2022 at 8:23 PM

ନୂଆଦିଲ୍ଲୀ: ପାକିସ୍ତାନରୁ କ୍ରିକେଟ୍କୁ ନେଇ ଆସିଛି ବଡ ଖବର। ସେଠାକାର ଦୃଷ୍ଟିହୀନ କ୍ରିକେଟ୍ ଦଳକୁ ଭାରତ ଆସିବାକୁ ଭିସା ମିଳି ପାରିନାହିଁ। ଏହି କାରଣରୁ ଖେଳାଳି ଟି-୨୦ ବିଶ୍ଵ କପ୍ ଖେଳିବାରୁ ବଞ୍ଚିତ ହୋଇଛନ୍ତି। ଭାରତରେ ଏହି ବିଶ୍ଵ କପ୍ ଡିସେମ୍ବର ୫ରୁ ଡିସେମ୍ବର ୧୭ ପର୍ଯ୍ୟନ୍ତ ଖେଳାଯିବ। ଆଜି ପାକିସ୍ତାନ ମ୍ୟାଚ୍ ଥିଲା। ହେଲେ ଭିସା ମିଳିନଥିବାରୁ ଦଳ ଭାରତ ପହଞ୍ଚି ପାରି ନାହିଁ।
ଜିଓ ନ୍ୟୁଜ୍ ଅନୁଯାୟୀ, ପାକିସ୍ତାନ ଦୃଷ୍ଟିହୀନ କ୍ରିକେଟ୍ ପରିଷଦ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛି। ଅଧ୍ୟକ୍ଷ ସୁଲତାନ ଶାହ କହିଛନ୍ତି, ଆମକୁ ଏ ପର୍ଯ୍ୟନ୍ତ ଭିସା ମିଳିନାହିଁ। ଆମ ଦଳ ଏବେ ବି ଲାହୋରରେ ଭିସା ଅପେକ୍ଷାରେ ଅଟକିଛି। ପାକିସ୍ତାନକୁ ଆଜି ହିଁ ପ୍ରଥମ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବାର ଥିଲା। ଦୃଷ୍ଟିହୀନ ଟି-୨୦ ବିଶ୍ଵ କପ୍ରେ ପାକିସ୍ତାନ ଦଳ ଦୁଇ ଥର ଉପ ବିଜେତା ରହିଛି। ତେଣୁ ଦଳ ଏଥର ଟାଇଟଲ୍ ଦାବିଦାର ଥିଲା।
ଅନ୍ୟପଟେ ଏସିଆ କପ୍ ୨୦୨୩କୁ ନେଇ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ଭାରତ ଏସିଆ କପ୍ ଖେଳିବାକୁ ପାକିସ୍ତାନ ଯିବ ନାହିଁ । ତେଣୁ ଏସିଆ କପ୍ ନିରପେକ୍ଷ ସ୍ଥାନରେ ଖେଳାଯିବ ବୋଲି ବୋଲି ବିସିସିଆଇ ସଂପାଦକ ଜୟ ଶାହ କହିଥିଲେ। ଜବାବରେ ପାକିସ୍ତାନ କ୍ରିକେଟ୍ ବୋର୍ଡର ଅଧ୍ୟକ୍ଷ ରମିଜ୍ ରାଜା କହିଥିଲେ ଭାରତ ଏସିଆ କପ୍ ଖେଳିବାକୁ ନ ଆସିଲେ ପାକିସ୍ତାନ ବିଶ୍ଵ କପ୍ ଖେଳିବାକୁ ଭାରତ ଯାତ୍ରା କରିବ ନାହିଁ।