ମୁମ୍ବାଇ: ଚାମ୍ପିଅନ୍ସ ଟ୍ରଫିକୁ ନେଇ ଶୁକ୍ରବାର ବସିବ ଆଇସିସି ବୈଠକ । ଏଥିରେ ହାଇବ୍ରିଡ୍ ମଡେଲରେ ଟୁର୍ଣ୍ଣାମେଣ୍ଟ ଆୟୋଜନ ନେଇ ଆଲୋଚନା କରାଯିବ । ମାତ୍ର ଏହି ହାଇବ୍ରିଡ୍ ମଡେଲକୁ ପାକିସ୍ତାନ ବୋର୍ଟ ଗ୍ରହଣ କରିବ ନାହିଁ ବୋଲି ପୂର୍ବରୁ ସ୍ପଷ୍ଟ କରିଛି । ବିକଳ୍ପ ଉପରେ ଆଲୋଚନା ନକରିବାକୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦକୁ ପାକିସ୍ତାନ କ୍ରିକେଟ୍ ବୋର୍ଡ ଅନୁରୋଧ କରିଛି । ଫଳରେ ପାକିସ୍ତାନରେ ଚାମ୍ପିଅନ୍ସ ଟ୍ରଫି ଆଶା କ୍ଷୀଣ ହୋଇଛି । ସେପଟେ ଆସନ୍ତା ୨୦୩୧ରେ ଭାରତ ଏବଂ ବାଂଲାଦେଶରେ ହେବାକୁଥିବା ଦିନିକିଆ ବିଶ୍ବକପରେ ପାକିସ୍ତାନ ସାମିଲ୍ ହେବ ବୋଲି ପାକିସ୍ତାନ କ୍ରିକେଟ୍ ବୋର୍ଡ କହିଛି ।
ଚାମ୍ପଅନ୍ସ ଟ୍ରଫି କାର୍ଯ୍ୟସୂଚୀ ସମସ୍ୟାର ସମାଧାନ ପାଇଁ ଆଇସିସି ଏହାର କାର୍ଯ୍ୟନିର୍ବାହୀ ସଦସ୍ୟମାନଙ୍କର ଏକ ଭର୍ଚୁଆଲ୍ ବୈଠକ ଡାକିଥିଲା । ବୈଠକରେ ପିସିବି ଆଇସିସିକୁ ଜଣାଇଥିଲା 'ହାଇବ୍ରିଡ୍ ମଡେଲ୍' ଗ୍ରହଣୀୟ ନୁହେଁ । ଟୁର୍ଣ୍ଣାମେଣ୍ଟ ପାଇଁ ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା କରାଯାଉ । ଅନ୍ୟ ଏକ ସୂତ୍ରରୁ ପ୍ରକାଶ, ଯେ ଭାରତୀୟ ଦଳକୁ ପାକିସ୍ତାନରେ ଖେଳିବା ପାଇଁ ଅନୁମତି ଦିଆଯାଇନାହିଁ ବୋଲି ବିସିସିଆଇ ତାଙ୍କ ସରକାରଙ୍କ ଠାରୁ ଏକ ଲିଖିତ ଚିଠି ଆଇସିସିରେ ଦାଖଲ କରିଛି କି ନାହିଁ, ପିସିବି ମନେ ପକାଇଦେଇଛି । ଆଇସିସି ନିୟମ ଅନୁଯାୟୀ, କୌଣସି ଦଳକୁ ଯଦି ତାଙ୍କ ସରକାର ଅନ୍ୟ ଦେଶରେ ଖେଳିବାକୁ ଅନୁମତି ଦେଉନାହାନ୍ତି, ତେବେ ବୋର୍ଡ ନିଜ ସରକାରଙ୍କ ଠାରୁ ଲିଖିତ ନିର୍ଦ୍ଦେଶନାମା ଆଣି ଆଇସିସିରେ ଦାଖଲ କରିବା ଜରୁରୀ ।