ପଡୋଶୀ ଦେଶର ବିକଳ ଚିତ୍ର ! ଖୋଦ୍ ନିଜ ବଜେଟ୍ ବି ପ୍ରସ୍ତୁତ କରି ପାରିବ ନାହିଁ ପାକିସ୍ତାନ, ସତ ମାନିଲେ ମନ୍ତ୍ରୀ

Published By : Prameya-News7 Bureau | June 23, 2022 IST

ନୂଆଦିଲ୍ଲୀ: ପଡୋଶୀ ଦେଶ ପାକିସ୍ତାନର ଆର୍ଥିକ ସଙ୍କଟ ଆହୁରି ଘନେଇବାରେ ଲାଗିଛି। ଏହାର ପ୍ରଭାବ ଦେଶର ସାର୍ବଭୌମ ଉପରେ ମଧ୍ୟ ପଡିଲାଣି। ସ୍ଥିତି ଏମିତି ଯେ ପାକିସ୍ତାନ ନିଜ ଦେଶର ବଜେଟ୍ ବି ନିଜ ଇଚ୍ଛାରେ ପ୍ରସ୍ତୁତ କରି ପାରିବ ନାହିଁ। ଏହା କହିଛନ୍ତି ଖୋଦ୍ ଶେହବାଜ ସରିଫ ସରକାରଙ୍କ ମନ୍ତ୍ରୀ ଶେରୀ ରେହମାନ । ସେ ଅଭିଯୋଗ କରିଛନ୍ତି ଇମ୍ରାନ ଖାନ ସରକାର ଏମିତି ନିଷ୍ପତ୍ତି ନେଇଥିଲେ ଯେ, ପାକିସ୍ତାନ ଏବେ ଦେବାଳିଆ ହେବାର ଦ୍ଵାର ଦେଶରେ ପହଞ୍ଚି ଯାଇଛି। ଏବେ ତାଙ୍କୁ ନିଜ ବଜେଟ୍ ପ୍ରସ୍ତୁତ ପାଇଁ ଅନ୍ତର୍ଜାତୀୟ ମୁଦ୍ରା କୋଷ(ଆଇଏମଏଫ)ର ସର୍ତ୍ତ ସ୍ଵୀକାର କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ। ପାକିସ୍ତାନର ନ୍ୟାସନାଲ ଆସେମ୍ବଲିରେ ବଜେଟ୍‌କୁ ନେଇ ଆଲୋଚନା ସମୟରେ ଏହା କହିଛନ୍ତି ମନ୍ତ୍ରୀ।

ପାକିସ୍ତାନ ଖବରକାଗଜ ଡନରେ ପ୍ରକାଶିତ ଖବର ଅନୁଯାୟୀ, ରେହମାନ କହିଛନ୍ତି, ଏହା ସଂପୂର୍ଣ୍ଣ ଭାବେ ଆଇଏମଏଫର ବଜେଟ୍। ଏବେ ଇମ୍ରାନ ଖାନଙ୍କ ପୂର୍ବ ସରକାର ପ୍ରତି ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ କରିଛନ୍ତି ଶେହବାଜ ସରିଫଙ୍କ ସରକାର। ରେହମାନ କହିଛନ୍ତି, ଇମ୍ରାନ ଖାନ ସରକାର ଅର୍ଥବ୍ୟବସ୍ଥା ପିଲାଖେଳ ଭାବି ନେଇଥିଲେ। ଆଜି ଆଇଏମଏଫ ପାକିସ୍ତାନ ପ୍ରତି ଖପ୍ପା। କାରଣ ଇମ୍ରାନ ଖାନ ସରକାର ସେହି ନିଷ୍ପତ୍ତି ନେଇ ନାହାନ୍ତି ଯାହା ସେ ପ୍ରତିଶ୍ରୁତି ଦେଇଥିଲେ। ଆଜି ଆମେ ତାଙ୍କ ବୋଝକୁ ନିଜ ମୁଣ୍ଡରେ ଉଠାଇବାକୁ ବିବଶ ବୋଲି ମନ୍ତ୍ରୀ କହିଛନ୍ତି।

ଇମ୍ରାନ ଖାନ ଦେଶର ଅର୍ଥବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରି ଦେଇଛନ୍ତି। ଇମ୍ରାନଙ୍କ ଅମଳରେ ପାକିସ୍ତାନ ବରବାଦି ଆଡକୁ ବଢି ଚାଲିଥିଲା। ବର୍ତ୍ତମାନର ସରକାର କେବଳ ତା ଉପରେ ବ୍ରେକ ଲଗାଇବାକୁ ଚେଷ୍ଟା କରିଛନ୍ତି। ଏଥିରେ ଅଧିକ ଆଉ କିଛି କରି ହେଉନାହିଁ। ପାକିସ୍ତାନର ଅର୍ଥବ୍ୟବସ୍ଥାକୁ ଧ୍ଵଂସ କରି ଇମ୍ରାନ ଏବେ କ୍ଷମତାରୁ ବାହାରେ ଅଛନ୍ତି। ପୁଣି ବାହାରେ ଥାଇ ଅରାଜକତା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଶେରୀ ରେହମାନ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.