ବଲୁଚିସ୍ତାନର ଡ୍ରେନ୍ରେ ଓଲଟିଲା ଯାତ୍ରୀବାହୀ ବସ୍, ୩୯ ମୃତ, ଅନେକ ଆହତ
29/01/2023 at 2:26 PM

ମୁମ୍ଵାଇ ୨୯।୦୧: ପାକିସ୍ତାନର ଲାସବେଲାଠାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଯେଉଁଠାରେ ଯାତ୍ରୀମାନଙ୍କ ସହିତ ପୁରା ବସ୍ ଏକ ଗଭୀର ଡ୍ରେନ୍ରେ ପଡିଯାଇଛି। ବସ୍ଟି ହାଇ ସ୍ପିଡ୍ରେ କରାଚିରୁ କ୍ୱେଟା ଯାଉଥିଲା। ସେଥିରେ ୩୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି। କୁହାଯାଇଛି ଯେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଡ୍ରେନ୍ରେ ପଡ଼ିବା ମାତ୍ରେ ବସ୍ରେ ନିଆଁ ଲାଗିଯାଇଥିଲା।
ଏରିଆ ଆସିଷ୍ଟାଣ୍ଟ କମିଶନର ହମଜା ଅଞ୍ଜୁମ ନଦିମ୍ କହିଛନ୍ତି ଯେ ବସ୍ରେ ୪୮ ଜଣ ଲୋକ ଥିଲେ। ଦୁର୍ଘଟଣା ପରେ ଘଟଣାସ୍ଥଳରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ସମସ୍ତ ମୃତଦେହ ଉଦ୍ଧାର କରାଯିବା ସହ ଆହତମାନଙ୍କୁ ନିକଟସ୍ଥ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଧିକାରୀଙ୍କ ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବାରୁ ଉଦ୍ଧାର କାର୍ଯ୍ୟରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲା ଏବଂ ଅନ୍ଧକାର ହେତୁ ପୋଲିସକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା।