ଅନ୍ତର୍ଜାତୀୟ କୋର୍ଟର ଚାପ ଆଗରେ ମୁଣ୍ଡ ନୁଆଇଁଲା ପାକିସ୍ତାନ, କୁଲଭୂଷଣଙ୍କୁ ମିଳିଲା ବଡ ଆଶ୍ଵସ୍ତି

Published By : Prameya-News7 Bureau | November 17, 2021 IST

ଇସଲାମାବାଦ ୧୭।୧୧: ଅନ୍ତର୍ଜାତୀୟ କୋର୍ଟର ଚାପ ଆଗରେ ମୁଣ୍ଡ ନୁଆଁଇଲା ପାକିସ୍ତାନ। ଆଉ ପାକିସ୍ତାନ ଜେଲ୍‌ରେ ବନ୍ଦୀ ଭାରତୀୟ ନାଗରିକ କୁଲଭୂଷଣ ଯାଧବଙ୍କୁ ମିଳିଲା ବଡ ଆଶ୍ଵସ୍ତି। ଅନ୍ତର୍ଜାତୀୟ ନ୍ୟାୟାଳୟର ନିର୍ଣ୍ଣୟ ଅନୁଯାୟୀ, କୁଲଭୂଷଣଙ୍କୁ ଅପିଲ୍ କରିବାର ଅଧିକାର ଦେବା ପାଇଁ ପାକିସ୍ତାନର ସଂସଦର ଏକ ବିଧେୟକ ପାରିତ ହୋଇଛି। ଏବେ କୁଲଭୂଷଣ ଯାଧବ ଉଚ୍ଚ ନ୍ୟାୟାଳୟରେ ନିଜ ସଜା ବିରୋଧରେ ଆବେଦନ କରି ପାରିବେ।

ଏହା ପୁର୍ବରୁ ସୈନ୍ୟ ଅଦାଲତ ଦ୍ଵାରା ମୃତ୍ୟୁ ଦଣ୍ଡାଦେଶ ପାଇଥିବା କୁଲଭୂଷଣ ଯାଧବଙ୍କୁ ଅପିଲ୍ କରିବାର ଅଧିକାର ନଥିଲା। ଏହା ଉପରେ ଅନ୍ତର୍ଜାତୀୟ କୋର୍ଟ ପାକିସ୍ତାନକୁ ତାଗିଦ୍ କରିଥିଲେ। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ୨୦୧୭ ଏପ୍ରିଲ ୧୦ରେ ପ୍ରେସ ବିବୃତି ଜାରି କରିଥିଲେ ଯେ, କୁଲଭୂଷଣ ଯାଧବଙ୍କୁ ପାକିସ୍ତାନ ଇରାନରୁ ଅପହରଣ କରିଥିଲା। ପାକିସ୍ତାନ ପାଖରେ ଏହାର କୌଣସି ପ୍ରମାଣ ନାହିଁ ଯେ, କୁଲଭୂଷଣ ଯାଧବ ଗୁଇନ୍ଦାଗିରି କରୁଥିଲେ।

ପାକିସ୍ତାନ ସରକାରଙ୍କ ଅଭିଯୋଗ ଏହା ଯେ, କୁଲଭୂଷଣ ଯାଧବ ପୂର୍ବତନ ଭାରତୀୟ ନୌସୈନିକ। ପାକିସ୍ତାନରେ ଅନେକ ବିପଜ୍ଜନକ ଗତିବିଧିରେ ସେ ସାମିଲ୍ ଥିଲେ। ୨୦୧୬ ମାର୍ଚ୍ଚ ୩ରେ କୁଲଭୂଷଣଙ୍କୁ ପାକିସ୍ତାନ ଗିରଫ କରିଥିଲା। ଭାରତ ଜବାବ ଦେଇ କହିଥିଲା ଯେ, କୁଲଭୂଷଣ ଯାଧବ ପୂର୍ବତନ ନୌସେନା ଅଧିକାରୀ ଏବଂ ନୌସେନାରୁ ଅବସର ନେଇ ସାରିଛନ୍ତି। ଜଣେ ବ୍ୟବସାୟୀ ହିସାବରେ ସେ ଇରାନ ଯାଇଥିଲେ, ଯେଉଁଠୁ ପାକିସ୍ତାନ ତାଙ୍କର ଅପହରଣ କରିଥିଲା।

ଏହା ପରେ ୨୦୧୭ ମେ ଏପ୍ରିଲ ୧୦ରେ ପାକିସ୍ତାନର ଏକ ସୈନ୍ୟ ଅଦାଲତ କୁଲଭୂଷଣଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲା। ଏହା ବିରୋଧରେ ଭାରତ ଅନ୍ତର୍ଜାତୀୟ କୋର୍ଟ(ଆଇସିଜେ)ର ଦ୍ଵାରସ୍ଥ ହୋଇଥିଲା। ମାମଲାର ଶୁଣାଣି କରି ଆଇସିଜେ କୁଲଭୂଷଣଙ୍କ ମୃତ୍ୟୁ ଦଣ୍ଡାଦେଶ ଉପରେ ରୋକ୍ ଲଗାଇଥିଲେ। ହେଗ ସ୍ଥିତ ଅନ୍ତର୍ଜାତୀୟ କୋର୍ଟ ୨୦୧୯ ଜୁଲାଇରେ ଦେଇଥିବା ନିଷ୍ପତ୍ତିରେ କହିଥିଲେ ଯେ, ପାକିସ୍ତାନ ଯାଧବଙ୍କୁ ଦୋଷୀ ସାବ୍ୟସ୍ତ କରିବା ଏବଂ ସଜା ଦେବା ଉପରେ ପୁନଃ ସମୀକ୍ଷା ଏବଂ ପୁନର୍ବିଚାର କରୁ। ବିନା ବିଳମ୍ବରେ  ଯାଧବଙ୍କୁ ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଭେଟିବାକୁ ଦିଆଯାଉ। ଆଇସିଜେ ଏହା ମଧ୍ୟ କହିଥିଲେ, ପାକିସ୍ତାନ ଯାଧବଙ୍କୁ ସୈନ୍ୟ ଅଦାଲତ ବିରୋଧରେ ଅପିଲ୍ କରିବା ପାଇଁ ଉଚିତ୍ ମଞ୍ଚ ଯୋଗାଇ ଦେଉ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.