ଇସ୍ଲାମାବାଦ ୧୧।୮: ପାକିସ୍ତାନସ୍ଥିତ ଭାରତୀୟ ହାଇକମିଶନରେ ମୁତୟନ ଅଧିକାରୀ ଓ କର୍ମଚାରୀଙ୍କ ମୌଳିକ ଆବଶ୍ୟକତା ପୁରଣ ଉପରେ ରୋକ ଲଗାଇ ଦିଆଯାଇଛି। ଏଥିରେ କର୍ମଚାରୀଙ୍କୁ ଏଲପିଜି ଗ୍ୟାସ୍ ଯୋଗାଣ, ପାଣି ଓ ନ୍ୟୁଜ ପେପର ଭଳି ଆବଶ୍ୟକତା ମଧ୍ୟ ରୋକି ଦିଆଯାଇଛି। ପାକିସ୍ତାନର ଏଭଳି ଆଚରଣକୁ ଭିଏନା କନଭେନସନର ଘୋର ଉଲ୍ଲଂଘନ ବୋଲି ଏବେ କୁହାଯାଇଛି। ତେବେ ଏ ନେଇ ଭାରତ ଅଥବା ପାକିସ୍ତାନ ପକ୍ଷରୁ ଏ ପର୍ଯ୍ୟନ୍ତ ଅଧିକାରୀକ ପ୍ରତିକ୍ରିୟା ମିଳି ନାହିଁ।
ସିଏନଏନ ନ୍ୟୁଜ୧୮ ରିପୋର୍ଟ ଅନୁସାରେ ପାକିସ୍ତାନ ଇସ୍ଲାମାବାଦସ୍ଥିତ ଭାରତୀୟ ହାଇକମିଶନଙ୍କ ଅଧିକାରୀ ଓ କର୍ମଚାରୀଙ୍କ ମୌଳିକ ଆବଶ୍ୟକତା ଉପରେ ଏହି ରୋକ ଭାରତୀୟ ସେନାର ସଫଳ ଅପରେସନ ସିନ୍ଦୂର ଓ ମୋଦି ସରକାରଙ୍କ ସିନ୍ଧୁ ଜଳ ସନ୍ଧି ନିଲମ୍ବନ ନିଷ୍ପତ୍ତି ପରେ ଲାଗୁ ହୋଇଛି। ରିପୋର୍ଟରେ ଶୀର୍ଷ ସରକାରୀ ସୂତ୍ରରୁ କୁହାଯାଇଛି ଯେ ଏହି ପଦକ୍ଷେପ ପାକିସ୍ତାନୀ ଗୁଇନ୍ଦା ଏଜେନ୍ସୀ ଇଣ୍ଟର ସର୍ଭିସେସ ଇଣ୍ଟେଲିଜେନ୍ସ (ଆଇଏସଆଇ) ଇସ୍ଲାମାବାଦରେ ଭାରତୀୟ ଡିପ୍ଲୋମାଟଙ୍କ ରହିବା ଓ କାମ କରିବା ସ୍ଥିତିକୁ ବିଗାଡିବା ପାଇଁ ଏହି ପଦକ୍ଷେପ ନେଇଛି।
ରିପୋର୍ଟ ଅନୁସାରେ ଇସ୍ଲାମାବାଦରେ ଭାରତୀୟ ହାଇକମିଶନ ପରିସରରେ ସୁଇ ନର୍ଦ୍ଦନ ଗ୍ୟାସ୍ ପାଇପଲାଇନ ଲିମିଟେଡ (ଏସଏନଜିପିଏଲ) ପାଇପ ଲାଇନ ଗ୍ୟାସ୍ ଯୋଗାଣ କରୁଛି। ତେବେ ଏହାର ଯୋଗାଣ ଜାଣିଶୁଣି ବନ୍ଦ କରିଦିଆଯାଇଛି। ସେହିପରି ସ୍ଥାନୀୟ ଏଲପିଜି ସିଲିଣ୍ଡର ବିକ୍ରେତାଙ୍କୁ ଭାରତୀୟ ହାଇକମିଶନ କର୍ମଚାରୀଙ୍କୁ ଏଲପିଜି ନ ବିକିବାକୁ ଧମକ ଦିଆଯାଇଛି। ଏହି କାରଣରୁ ଡିପ୍ଲୋମାଟ ଓ ସେମାନଙ୍କ ପରିବାର ଏବେ ଖୋଲା ବଜାରରୁ ଏ ସବୁ ଜିନିଷ କ୍ରୟ କରୁଥିବା ବେଳେ ଏହା ବେଶ୍ ମହଙ୍ଗା ହେଉଛି।
ଏହା ବି କୁହାଯାଇଛି ଯେ ଭାରତୀୟ ହାଇକମିଶନ କାର୍ଯ୍ୟାଳୟକୁ ଫିଲ୍ଟର ପାଣି ଯୋଗାଇ ଦେଉଥିବା ଭେଣ୍ଡରକୁ ଡେଲିଭରୀ କରିବାକୁ ରୋକି ଦିଆଯାଇଛି। ଏହା ଛଡା ଇସ୍ଲାମାବାଦରେ ସବୁ ମିନେରାଲ ପାଣି ବିକ୍ରେତାଙ୍କୁ ଭାରତୀୟ ହାଇକମିଶନ କାର୍ଯ୍ୟାଳୟକୁ ମିନେରାଲ ୱାଟର ଯୋଗାଣ ନ କରିବାକୁ ଧମକା ଯାଇଛି। ଏଥି ପାଇଁ ଇସ୍ଲାମାବାଦସ୍ଥିତ ଭାରତୀୟ ହାଇକମିଶନରେ କାର୍ଯ୍ୟରତ କର୍ମଚାରୀଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। କାରଣ ସାଧାରଣରେ ଉପଲବ୍ଧ ହେଉଥିବା ପାଣି ରୋଷେଇ ଯୋଗ୍ୟ ନୁହେଁ କି ଏହାକୁ ବିନା ଫିଲ୍ଟରରେ ବ୍ୟବହାର କରାଯାଇ ପାରିବନାହିଁ।
ଇସ୍ଲାମାବାଦରେ ଭାରତୀୟ ହାଇକମିଶନ କାର୍ଯ୍ୟାଳୟକୁ ସ୍ଥାନୀୟ ସମ୍ବାଦପତ୍ର ଯୋଗାଣ ମଧ୍ୟ ପାକିସ୍ତାନ ବନ୍ଦ କରାଇ ଦେଇଛି। ସମ୍ବାଦପତ୍ର ବିକ୍ରେତାମାନଙ୍କୁ ହାଇକମିଶନ କାର୍ଯ୍ୟାଳୟ ଆଖପାଖକୁ ନଯିବା ପାଇଁ କୁହାଯାଇଛି। ଏଣୁ ପାକିସ୍ତାନସ୍ଥିତ ଭାରତୀୟ ହାଇକମିଶନ ପାକିସ୍ତାନର ପ୍ରିଣ୍ଟ ମିଡିଆ ପର୍ଯ୍ୟନ୍ତ ଏବେ ପହଞ୍ଚି ପାରୁ ନାହାନ୍ତି। ଏଥି ଯୋଗୁ ସ୍ଥାନୀୟ ଘଟଣାକ୍ରମ ମଧ୍ୟ ହାଇକମିଶନ ଜାଣି ପାରୁ ନାହାନ୍ତି। ପାକିସ୍ତାନର ଏପରି ବ୍ୟବହାରକୁ ଭିଏନା କନଭେନସନର ଉଲ୍ଲଂଘନ ବୋଲି କୁହାଯାଉଛି, ଯାହା ଦୂତାବାସଙ୍କ ସୂଚାରୁ ସଞ୍ଚାଳନ ଓ କର୍ମଚାରୀଙ୍କ ସୁରକ୍ଷା ଏବଂ ସମ୍ମାନ ଗ୍ୟାରେଣ୍ଟି ଦେଇଥାଏ।