ଟି-୨୦ ବିଶ୍ୱକପ: ତୃତୀୟ ଥର ଫାଇନାଲ୍‌ରେ ପହଞ୍ଚିଲା ପାକିସ୍ତାନ, ସେମିଫାଇନାଲ୍‌ରେ ନ୍ୟୁଜିଲାଣ୍ଡକୁ ୭ ୱିକେଟ୍‌ରେ ହରାଇଲା

Published By : Prameya-News7 Bureau | November 09, 2022 IST

ସିଡନୀ: ୧୩ ବର୍ଷ ପରେ ଫାଇନାଲକୁ ଗଲା ପାକିସ୍ତାନ। ଆଜି ସେମିଫାଇନାଲ୍‌ରେ ନ୍ୟୁଜିଲାଣ୍ଡକୁ ୭ ୱିକେଟରେ ହରାଇ ଫାଇନାଲ୍‌ରେ ପହଞ୍ଚିଛି ପାକିସ୍ତାନ। ୨୦୦୯ରେ ଶେଷଥର ପାଇଁ ଫାଇନାଲକୁ ଯାଇ ଟି-୨୦ ବିଶ୍ୱକପ ବିଜେତା ହୋଇଥିଲା ପାକିସ୍ତାନ। ଏହାପର ଠାରୁ ସେ କେବେ ବି ଟି-୨୦ ବିଶ୍ୱକପ୍ ଫାଇନାଲରେ ପହଞ୍ଚିପାରି ନଥିଲା। ତେବେ ଆଜି ନ୍ୟୁଜିଲାଣ୍ଡକୁ ହରାଇ ଫାଇନାଲ୍‌ରେ ପହଞ୍ଚିଛି ଦଳ। ପାକିସ୍ତାନ ଫାଇନାଲ୍‌ରେ ପହଞ୍ଚିବା ପରେ ଏବେ ସଭିଙ୍କ ନଜର ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ଵିତୀୟ ସେମି ଫାଇନାଲ୍ ଉପରେ ରହିଛି। ଯଦି ଭାରତ ବିଜୟୀ ହୁଏ ତେବେ ଫାଇନାଲ୍‌ରେ ପାକିସ୍ତାନ ସହ ପୁଣି ଥରେ ହେବ ମହାମୁକାବିଲା।

ଆଜି ଟି-୨୦ ବିଶ୍ୱକପ୍‌ ସେମିଫାଇନାଲ୍‌ରେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଜବରଦସ୍ତ ମ୍ୟାଚ୍ ଦେଖିବାକୁ ମିଳିଛି। ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୧୫୨ ରନ୍ କରିଥିଲା। ୧୫୩ ରନ୍‌ର ଟାର୍ଗେଟ୍ ନେଇ ପଡ଼ିଆକୁ ଓହ୍ଲାଇଥିବା ପାକିସ୍ତାନ ୧୯.୧ ଓଭରରେ ଲକ୍ଷ୍ୟ ହାସଲ କରି ନେଇଛି।

ଏହି ବିଜୟ ସହିତ ପାକିସ୍ତାନ ଫାଇନାଲକୁ ଯାଇଛି। ଆସନ୍ତାକାଲି ଭାରତ ଓ ଇଂଲଣ୍ଡ ମଧ୍ୟରେ ସେମିଫାଇନାଲ ମ୍ୟାଚ୍ ଖେଳାଯିବ। ଯିଏ ଜିତିବ ସିଏ ପାକିସ୍ତାନ ସହିତ ଫାଇନାଲ ଖେଳିବ। ସୁପର ୧୨ ମ୍ୟାଚ୍‌ରେ ଜିମ୍ବାଓ୍ଵେ ନିକଟରୁ ହାରିବା ପରେ ପାକିସ୍ତାନର ବିଶ୍ଵ କପ୍‌ରୁ ବାଦ୍ ପଡିବା ଆଶଙ୍କା ସୃଷ୍ଟି ହୋଇଥିଲା। ଦଳ ସେମି ଦୌଡରୁ ବାଦ୍ ପଡିବ ବୋଲି ସମସ୍ତେ ଧରି ନେଇଥିଲେ। ହେଲେ ଦକ୍ଷିଣ ଆଫ୍ରିକାକୁ ଶୋଚନୀୟ ପରାସ୍ତ କରି ଆଶା ଉଜ୍ଜୀବିତ ରଖିଥିଲା ପାକିସ୍ତାନ। ତେବେ ନେଦରଲାଣ୍ଡ ନିକଟରୁ ଦକ୍ଷିଣ ଆଫ୍ରିକା ପରାଜିତ ହେବା ବିଶ୍ଵ କପ୍‌ରେ ଆଗକୁ ବଢିବା ପାଇଁ ପାକିସ୍ତାନ ପାଇଁ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିଥିଲା। ଆଉ ଏହି ସୁଯୋଗକୁ ହାତଛଡା କରିନଥିଲା ପାକିସ୍ତାନ। କର ବା ମର ମୁକାବିଲାରେ ବାଂଲାଦେଶକୁ ହରାଇ ସେମି ଫାଇନାଲ୍‌ରେ ପ୍ରବେଶ କରିପାରିଥିଲା ଆମର ଏହି ପଡୋଶୀ। ଆଉ ଆଜିର ସେମି ଫାଇନାଲ୍‌ରେ କିଓ୍ଵି ଦଳକୁ ହରାଇ ପ୍ରଥମ ଦଳ ଭାବେ ଫାଇନାଲ୍‌ରେ ପହଞ୍ଚିଛି ପାକିସ୍ତାନ। ଏଥିସହ ସମସ୍ତଙ୍କ କଳ୍ପନା ଜଳ୍ପନାକୁ ଭୁଲ୍ ପ୍ରମାଣିତ କରିଛି ବାବର ଆଜମଙ୍କ ନେତୃତ୍ଵାଧୀନ ଦଳ।

ତେବେ ଆଜିର ମ୍ୟାଚ୍‌ରେ ପାକିସ୍ତାନର ଦୁଇ ଓପନର ବ୍ୟାଟ୍ସମ୍ୟାନ୍‌ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ଦୁହେଁ ଅର୍ଦ୍ଧଶତକ ହାସଲ କରିଛନ୍ତି। ମହମ୍ମଦ ରିଜୱାନ ସର୍ବାଧିକ ୫୭ ରନ୍ କରିଥିବା ବେଳେ ବାବର ଆଜମ ୫୩ ରନ୍ କରିଛନ୍ତି।  ସେହିପରି ମହମ୍ମଦ ହାରିସ ୩୦ ରନରେ ଯୋଗଦାନ ଦେଇଛନ୍ତି।ତେବେ ପାକିସ୍ତାନର ଶୁଭ ସଂକେତ ହେଉଛି ଅଧିନାୟକ ବାବର ଆଜମ ଆଜି ଫର୍ମକୁ ଫେରିଛନ୍ତି। ଚଳିତ ବିଶ୍ୱକପ୍‌ରେ ବାରମ୍ବାର ଫେଲ୍ ଏହି ମାରୁଥିବା ବ୍ୟାଟର ଆଜି ମ୍ୟାଚ୍ ୱିନିଂ ପାଳି ଖେଳିଛନ୍ତି।

ଅନ୍ୟପଟେ ବୋଲିଂରେ ଟାଣୁଥିବା ନ୍ୟୁଜିଲାଣ୍ଡ ଆଜି ଖରାପ ବୋଲିଂ ପ୍ରଦର୍ଶନ କରିଥିଲା। କେବଳ ବୋଲିଂ ନୁହେଁ ଫିଲ୍ଡିଂ ଓ ବ୍ୟାଟିଂରେ ମଧ୍ୟ ଦଳ ଭଲ ପ୍ରଦର୍ଶନ କରିପାରି ନଥିଲା। ଦଳ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ ଦୁଇଟି ୱିକେଟ୍ ନେଇଥିବା ବେଳେ ମିଶେଲ ସାନ୍ତେରଙ୍କୁ ଗୋଟିଏ ୱିକେଟ୍ ମିଳିଥିଲା। ଅନ୍ୟ କୌଣସି ବୋଲର ୱିକେଟ୍ ନେଇପାରି ନଥିଲେ।

ନ୍ୟୁଜିଲାଣ୍ଡ ବ୍ୟାଟିଂ-

ଆଜିର ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ପାକିସ୍ତାନର ବୋଲର ଆଗରେ ଧରାଶାୟୀ ହୋଇଥିଲା। ଡେରିଲ ମିଶେଲ ଓ ଅଧିନାୟକ ୱିଲିୟମସନଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟର ଭଲ ପ୍ରଦର୍ଶନ କରିପାରି ନଥିଲେ। ମିଶେଲ ସର୍ବାଧିକ ୫୩ ରନ୍ କରିଥିବା ବେଳେ ଅଧିନାୟକ ୱିଲିୟମସନ ୪୨ ବଲ୍‌ରେ ୪୬ ରନ୍ କରିଥିଲେ। ଦଳ ନିର୍ଦ୍ଧାରିତ ୨୦ ଓଭର ଖେଳି ପାକିସ୍ତାନକୁ ୧୫୨ ରନ୍ କରିଥିଲା।

ପାକିସ୍ତାନ ପକ୍ଷରୁ ଆଜି ଘାତକ ବୋଲିଂର ସାମ୍ନା କରିଥିଲା କିୱି ଦଳ। ଯଦି ପାକିସ୍ତାନୀ ବୋଲର ଅଧିକ ୱେକଟ୍ ନେବାର ସଫଳ ହୋଇପାରି ନଥିଲେ। ତେବେ ରନ୍‌ ରୋକିବାରେ ସଫଳ ହୋଇଥିଲେ। ପାକିସ୍ତାନର ଶାହୀନ ଆଫ୍ରିଦି ଦୁଇଟି ୱେକେଟ୍ ନେଇଥିବା ବେଳେ ନୱାଜ ଗୋଟିଏ ୱେକେଟ୍ ନେଇଥିଲେ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.