ଆଫଗାନିସ୍ତାନକୁ ଏମିତି ଚିଠି ଲେଖି ବିଶ୍ୱରେ ନିଜର ଛବି ସୁଧାରିବାକୁ ଚେଷ୍ଟା କରୁଛି କି ପାକିସ୍ତାନ ?

Published By : Prameya-News7 Bureau | September 14, 2022 IST

ଇସଲାମବାଦ: ପାକିସ୍ତାନ ଆତଙ୍କବାଦୀ ସଂଗଠନ ଜୈଶ-ଏ ମହମ୍ମଦ(ଜେଇଏମ୍‌)ର ସଂସ୍ଥାପକ ମସୁଦ ଅଜହରକୁ ଗିରଫ କରିବାକୁ ଆଫଗାନିସ୍ତାନକୁ ଚିଠି ଲେଖିଲା ପାକିସ୍ତାନ। ଅଜହର ଆଫଗାନିସ୍ତାନରେ ଲୁଚିଛି, ତାକୁ ଖୋଜି ଗିରଫ କର ବୋଲି ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରାଳୟକୁ ଚିଠି ଲେଖିଛି ପାକିସ୍ତାନ। ଲେଖିଥିବା ଚିଠିରେ ମସୁଦ ଅଜହର ଠିକଣା ବି ଲେଖାଯାଇଛି। ଅଜହର ଆଫଗାନିସ୍ତାନର ନଙ୍ଗରହର ଓ କୁନହରରେ ଲୁଚିଥିବା ପାକିସ୍ତାନ ସନ୍ଦେହ କରିଛି।

ତେବେ ହଠାତ୍ ଆତଙ୍କବାଦୀଙ୍କ ପ୍ରତି ପାକିସ୍ତାନର ଏ ବୈମାତ୍ରୁକ ମନୋଭାବ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପାକିସ୍ତାନ ଏପରି କରି ବିଶ୍ୱ ସମୁଦାୟକୁ ଜଣାଇବାକୁ ଚାହୁଁଛି ଯେ ଆତଙ୍କବାଦୀ ଆମ ଦେଶରେ ନାହିଁ କି ଆମେ ତାକୁ ପାଳୁ ନାହୁଁ।

ତେବେ ଅଜହର ଆଫଗାନିସ୍ତାନକୁ କେବେ ଗଲା ସେ ନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ। ଗତବର୍ଷ ତାଲିବାନ ଆଫଗାନିସ୍ତାନ ଅକ୍ତିଆର କରିବା ପରେ ନା ତା ପୂର୍ବରୁ ଏକଥା କିନ୍ତୁ ପାକିସ୍ତାନ ଉଲ୍ଲେଖ କରି ନାହିଁ।

ଆତଙ୍କବାଦୀ ପୋଷୁଥିବା ଅଭିଯୋଗରେ ପାକିସ୍ତାନ ବିଶ୍ୱ ଦରବାରରେ ବଦନାମ ହୋଇସାରିଛି। ଏଥିପାଇଁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଋଣ ଦେବାକୁ ବି ମନା କରୁଛି। ତେଣୁ ବିଶ୍ୱରେ ନିଜର ଛବି ସୁଧାରିବାକୁ ପାକିସ୍ତାନ ଏଭଳି ନୂଆ ନାଟକ ରଚୁଥାଇ ପାରେ ବୋଲି କୁହାଯାଉଛି।   

ଅତୀତରେ ଭାରତରେ ହୋଇଥିବା ଅନେକ ଭୟଙ୍କର ଆକ୍ରମଣରେ ଜେଇଏମ୍‌ର ହାତ ରହିଛି। ଡିସେମ୍ବର ୨୦୦୧ରେ ସଂସଦରେ ହୋଇଥିବା ଆକ୍ରମଣରେ ବି ମଧ୍ୟ ଏହି ଆତଙ୍କୀ ସଂଗଠନର ହାତ ଥିଲା। ୨୦୧୯ରେ ଜାତିସଂଘ ମସୁଦ ଅଜହରକୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିଥିଲା।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.