ପରାଧୀନ ସମୟର ଆଇନକୁ ଶେଷ କଲା ପାକିସ୍ତାନ, ଆତ୍ମହତ୍ୟା ଉଦ୍ୟମରେ ଥିଲା ଦଣ୍ଡର ପ୍ରାବଧାନ
23/12/2022 at 10:54 PM

ନୂଆଦିଲ୍ଲୀ: ପାକିସ୍ତାନ ଶୁକ୍ରବାର ପରାଧୀନ ସମୟର ଏକ ଆଇନକୁ ଶେଷ କରିଛି । ପାକିସ୍ତାନ ସଂସଦ ଅପରାଧିକ ଆଇନରେ ସଂଶୋଧନ କରି ଆତ୍ମହତ୍ୟା ଉଦ୍ୟମ କରିବା ଉପରେ ଦିଆଯାଉଥିବା ଦଣ୍ଡ ଏବଂ ଜରିମାନା ଆଇନକୁ ଶେଷ କରିଛି ।
ପାକିସ୍ତାନ ସଂସଦ ଆତ୍ମହତ୍ୟା ଉଦ୍ୟମ କରୁଥିବା ବ୍ୟକ୍ତିଙ୍କୁ ଦଣ୍ଡିତ କରୁଥିବା ପାକିସ୍ତାନ ଦଣ୍ଡ ସଂହିତା, ୧୮୬୦ର ଧାରା ୩୨୫କୁ ଶେଷ କରିଛି । ଏହି ନିୟମ ଅନୁସାରେ ଆତ୍ମହତ୍ୟା କିମ୍ୱା ଆତ୍ମହତ୍ୟା ଉଦ୍ୟମ ପାଇଁ ଏକ ବର୍ଷର ଜେଲ ଦଣ୍ଡ ଏବଂ ଜରିମାନା କିମ୍ୱା ଉଭୟର ବ୍ୟବସ୍ଥା ରହିଥିଲା ।
ପାକିସ୍ତାନ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ବୟାନ ଅନୁସାରେ ରାଷ୍ଟ୍ରପତି ଡ଼ା. ଆରିଫ ଅଲଭି ଅପରାଧିକ ଆଇନ ସଂଶୋଧନ ବିଧେୟକ ୨୦୨୨ ଉପରେ ହସ୍ତାକ୍ଷର କରିଛନ୍ତି । ଏହାସହ ଆତ୍ମହତ୍ୟା ଉଦ୍ୟମରେ ଦଣ୍ଡ ବ୍ୟବସ୍ଥା ଶେଷ ହୋଇଛି । ସଂଶୋଧନ ଉଦ୍ଦେଶ୍ୟ ଅନୁସାରେ ଆତ୍ମହତ୍ୟା କିମ୍ୱା ଉଦ୍ୟମକୁ ଏକ ରୋଗ ପରି ଦେଖାଯିବା ଦରକାର । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ରିପୋର୍ଟ ଅନୁସାରେ, ୨୦୧୯ରେ ପାକିସ୍ତାନରେ ଆତ୍ମହତ୍ୟାର ଆନୁମାନିକ ହାର ପ୍ରତି ଏକ ଲକ୍ଷରେ ୮.୯ ଥିଲା । ୨୦୧୯ରେ ଦେଶରେ ପ୍ରାୟ ୧୯,୩୩୧ ଜଣ ଆତ୍ମହତ୍ୟା କରିଥିଲେ । ତେବେ ପାକିସ୍ତାନରେ ଆତ୍ମହତ୍ୟା କରିଥିବା ଲୋକଙ୍କ ସଂଖ୍ୟା ବହୁ ଅଧିକ, ପୋଲିସ ତଦନ୍ତରୁ ବଞ୍ଚିବା ପାଇଁ ମାମଲା ରୁଜୁ କରୁନଥିବା ଦାବି କରାଯାଉଛି ।