ପାକିସ୍ତାନ ପୋଲିସ୍ ଷ୍ଟେସନରେ ଭୟଙ୍କର ବିସ୍ଫୋରଣ; ଜଣେ ଶିଶୁ ମୃତ, ୨୫ ଆହତ

Published By : Prameya-News7 Bureau | September 27, 2024 IST

ନୂଆଦିଲ୍ଲୀ ୨୭।୦୯: ପାକିସ୍ତାନରେ ପ୍ରତିଦିନ କୌଣସି ନା କୌଣସି ସ୍ଥାନରେ ବିସ୍ଫୋରଣ ଘଟୁଛି। ବର୍ତ୍ତମାନ ଖାଇବର ପାଖ୍ଟନଖୱା ପ୍ରଦେଶରେ ଏକ ବଡ଼ ବିସ୍ଫୋରଣ ହୋଇଛି। ଗୁରୁବାର ଦିନ ଖାଇବର ପାଖ୍ଟନଖୱା ସ୍ଥିତ ଏକ ପୋଲିସ ଷ୍ଟେସନରେ ବିସ୍ଫୋରଣ ଘଟିଥିଲା । ଯେଉଁଥିରେ ଜଣେ ଶିଶୁଙ୍କର ମୃତ୍ୟୁ ଘଟିଥିବା ୨୫ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିଲେ। ତେବେ ଏହି ବିସ୍ଫୋରଣ ଆତଙ୍କବାଦୀ ବିସ୍ଫୋରଣ ନୁହେଁ ବୋଲି ପୋଲିସ କହିଛି।

ଏହି ଘଟଣା ଉତ୍ତର-ପଶ୍ଚିମ ପାକିସ୍ଥାନ ଅଞ୍ଚଳର ପେଶୱାର ଠାରୁ ପ୍ରାୟ ୭୦ କିଲୋମିଟର ଦୂରରେ ଥିବା ପୋଲିସ ଷ୍ଟେସନରେ ଘଟିଛି। କେନ୍ଦ୍ରୀୟ ପୋଲିସ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ପୋଲିସ୍ ଷ୍ଟେସନର ପ୍ରଥମ ମହଲାରେ ଥିବା ଏକ ଡିପୋ ଭିତରେ “ସର୍ଟ ସର୍କିଟ” ଯୋଗୁଁ ଏହି ବିସ୍ଫୋରଣ ଘଟିଛି।

ବିସ୍ଫୋରଣରେ କ୍ଷତିଗ୍ରସ୍ତ କୋଠା

ଏହି ଘଟଣା ପରେ ଉଦ୍ଧାର ଓ ଅଗ୍ନିଶମ ବିଭାଗ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତ ପୋଲିସ କର୍ମଚାରୀଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଛି। ଏହି ବିସ୍ଫୋରଣରେ ଅନେକ ଲୋକ ଆହତ ହୋଇଛନ୍ତି ଏବଂ 'ବିଲ୍ଡିଂର ଉପର ଅଂଶ ଭୁଶୁଡି ପଡିଛି' ବୋଲି ସେମାନେ କହିଛନ୍ତି । ଏହା ସହ ବିସ୍ଫୋରଣରେ ଜଣେ ଶିଶୁଙ୍କର ମୃତ୍ୟୁ ଘଟିଥିବା ବେଳେ ୨୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ଅଧିକାଂଶ ପୋଲିସ। 

‘ଏହା ଆତଙ୍କବାଦୀ ଘଟଣା ନୁହେଁ’

ଏହି ବିସ୍ଫୋରଣ ସମ୍ପର୍କରେ ଖାଇବର ପାଖ୍ଟନଖୱା ପ୍ରାଦେଶିକ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ସ୍ପଷ୍ଟ କରିଛନ୍ତି ଯେ ପୋଲିସ ଷ୍ଟେସନ ଭିତରେ ହୋଇଥିବା ବିସ୍ଫୋରଣ ଆତଙ୍କବାଦୀ ଘଟଣା ନୁହେଁ। ଉଦ୍ଧାର କାର୍ଯ୍ୟରେ ସମ୍ପୃକ୍ତ ଅଧିକାରୀ କହିଛନ୍ତି ଯେ ଏପର୍ଯ୍ୟନ୍ତ ସେମାନେ ୧୨ ଜଣ ଆହତ ଲୋକଙ୍କୁ ଆବର୍ଜନା ଭିତରୁ ବାହାର କରି ନେଇଛନ୍ତି। ଆହତଙ୍କ ସଂଖ୍ୟା ବଢିପାରେ। ଖାଇବର ପାଖ୍ଟନଖୱା ମୁଖ୍ୟମନ୍ତ୍ରୀ ଅଲି ଅମିନ ଗଣ୍ଡାପୁର ଏହି ବିସ୍ଫୋରଣରେ ଶିଶୁର ମୃତ୍ୟୁକୁ ନେଇ  ଦୁଃଖ ପ୍ରକାଶ କରିଛନ୍ତି। ସେ ମଧ୍ୟ ମୃତ ଶିଶୁର ପରିବାର ପାଇଁ ନଗଦ କ୍ଷତିପୂରଣ ଘୋଷଣା କରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.