ଏସ୍‌ଏଚ୍‌ଏମ୍ ପକ୍ଷରୁ ପଖାଳ ଉତ୍ସବ ଆୟୋଜିତ: ଉଦ୍‌ଘାଟନ କଲେ ସୋଆ ଉପସଭାପତି, କହିଲେ- ସବୁ ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ‘ପଖାଳ’

Published By : Prameya-News7 Bureau | April 03, 2024 IST

ଭୁବନେଶ୍ବର: ପଖାଳର ପ୍ରଚାର ଓ ପ୍ରସାର କରିବା ଉଦ୍ଦେଶ୍ୟରେ , ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ସୋଆ ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟ (ଏସ୍‌ଏଚ୍‌ଏମ୍ ) ପକ୍ଷରୁ ଆୟୋଜିତ ହୋଇଛି ‘ପଖାଳ ଉତ୍ସବ। ବୁଧବାର ଠାରୁ ଆରମ୍ଭ ହୋଇଥିବା ସ୍ବତନ୍ତ୍ର କାର୍ଯ୍ୟକ୍ରମ  ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ୫ ଦିନ ବ୍ୟାପି ଚାଲିବାକୁ ଥିବା ଏହି ଉତ୍ସବରେ ପଖାଳ ସାଙ୍ଗକୁ ବିଭିନ୍ନ କିସମର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଛି । 

ଏହି ଉତ୍ସବର ଉଦ୍‌ଘାଟନ କରି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପସଭାପତି ଶ୍ରୀମତି ଶାଶ୍ୱତୀ ଦାସ କହିଛନ୍ତି ‘‘ ପଖାଳ ସବୁ ଓଡ଼ିଆଙ୍କର ପ୍ରିୟ ଖାଦ୍ୟ । ଓଡ଼ିଶାର ଘରେ ଘରେ ଏହି ପାରମ୍ପରିକ ଖାଦ୍ୟ ବେଶ ଆଦୃତ। ଓଡ଼ିଶାର ପରମ୍ପରା ଓ ସଂସ୍କୃତିକୁ ବାନ୍ଧି ରଖିବାର ପ୍ରୟାସ ହେଉଛି ଏହି ପଖାଳ ଉତ୍ସବ।’’  

ପାରମ୍ପରିକ ବ୍ୟଞ୍ଜନ ପରିବେଷଣ ସହିତ ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖି ପ୍ରତ୍ୟେକ ଓଡିଆଙ୍କ ଖାଦ୍ୟରୁଚି ତଥା ଭାବଧାରାକୁ ସର୍ବସାଧାରଣଙ୍କ ନିକଟରେ ପହଂଚାଇବା ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଏସ୍‌ଏଚ୍‌ଏମ୍‌ର ଡିନ୍ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି କହିଛନ୍ତି । ଖରାଦିନେ ପ୍ରତ୍ୟେକ ଓଡ଼ିଆ ଖରା ତାତିକୁ ଏଡ଼ାଇବା ପାଇଁ ପଖାଳ ଖାଇବାକୁ ହିଁ ପସନ୍ଦ କରିଥାନ୍ତି ବୋଲି ସେ କହିଛନ୍ତି । 

ଅତିଥିମାନଙ୍କୁ ୫ ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା  ଏହି ଉତ୍ସବରେ ପ୍ରତ୍ୟେକ ଦିନ ୧୨ ଟାରୁ ୩ ଟା ପର୍ଯ୍ୟନ୍ତ ପଖାଳ ପରଷା ଯିବ । ଏହି ଉତ୍ସବକୁ ଏସ୍‌ଏଚ୍‌ଏମ୍‌ର ଛାତ୍ରଛାତ୍ରୀ ମାନେ ହିଁ ସଂଚାଳନ କରୁଥିବା ବେଳେ ସେମାନଙ୍କୁ ଫ୍ୟାକଲ୍ଟି ଓ ଅନ୍ୟାନ୍ୟ କର୍ମଚାରୀମାନେ ସହଯୋଗ କରୁଛନ୍ତି ।

ଏହି ୫ ଦିନିଆ ପଖାଳ ଉତ୍ସବରେ ଅତିଥି ମାନଙ୍କୁ ଉଷୁନା ପଖାଳ, ଅରୁଆ ପଖାଳ, ଦହି ପଖାଳ, ଅଦା ପଖାଳ, ଛୁଙ୍କ ପଖାଳ ଏବଂ ଲେମ୍ବୁ ପଖାଳ ପ୍ରଭୃତି ପରଷା ଯିବାର ବ୍ୟବସ୍ଥା ହେବ । ସେହିପରି ପଖାଳକୁ ସୁହାଇଲା ଭଳି ବିଭିନ୍ନ ପ୍ରକାରର ଆମିଷ ଓ ନିରାମିଷ ବ୍ୟଞ୍ଜନ ଯେପରିକି- ମାଛ ପତ୍ରପୋଡା, ଚିଙ୍ଗୁଡି ଛେଚା, ଶୁଖୁଆ ଭଜା, ପୋହଳା ଭଜା, କୁକୁଡା କଷା, ଚୁନା ମାଛ ଭଜା, ଚିଙ୍ଗୁଡି ଝରଝରି, ମାଛ ଭଜା, ଛତୁ ପତ୍ରପୋଡା, ଆଳୁ ଭଜା, ବାଇଗଣ ଭଜା, ଆଳୁ ଓ ବାଇଗଣ ଭର୍ତା, ପୋଡା ଆଳୁ , ଗୋଟା ଭେଣ୍ଡି ଭଜା, ନଡ଼ିଆ ଭଜା, ସାଗ ବଡ଼ି ଭଜା, ପରିବା ଭଜା, ଚିପ୍ସ, ଆମ୍ବ ଛେଚା ଚଟଣୀ, ପୋଡା ଟମାଟୋ ଚଟଣୀ, ପନିର ଭୁର୍ଜି, ଆଳୁ କଲରା ବାଟି ତରକାରୀ ଓ ବଡି ଚୁରା ସହିତ କାକୁଡି, ପିଆଜ, ଲଙ୍କା ଓ ଲେମ୍ବୁ ପ୍ରଭୃତି ପରିବେଷଣ କରାଯିବାର ବ୍ୟବସ୍ଥା କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.