ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ପଖାଳ ଦିବସ; ଓଡ଼ିଆ ସଂସ୍କୃତିର ଅବିଚ୍ଛେଦ୍ୟ ଅଙ୍ଗ ପଖାଳ
20/03/2023 at 6:48 PM

ଭୁବନେଶ୍ୱର ୨୦/୦୩: ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ଭୁବନେଶ୍ୱରରେ ଥିବା ଉତ୍କଳ ରଙ୍ଗମଞ୍ଚରେ ପଖାଳ ଦିବସ ପାଳନ କରାଯାଇଛି। ଜଗନ୍ନାଥ ସଂସ୍କୃତିରେ ପଖାଳ ଏକ ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଏବି ଦିବସରେ ଯୋଗଦେଇଥିବା ବିଶିଷ୍ଟ ବକ୍ତିମାନେ ମତବ୍ୟକ୍ତ କରିଛନ୍ତି। ଏହି ଉତ୍ସବରେ ପ୍ରଥମେ ଡଃ ଶୈଳେଶ୍ୱର ନନ୍ଦଙ୍କ ପୁସ୍ତକ ଉନ୍ମୋଚନ କରାଯାଇଥିଲା। ଏହାପରେ ଉପ ସଭାପତି ରବି ନାରାୟଣ ମହାପାତ୍ରଙ୍କ ସ୍ୱାଗତ ଭାଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ମା ସୁଭଦ୍ରାଙ୍କ ବାଡ଼ଗ୍ରାହୀ ରାମଚନ୍ଦ୍ର ଦାଶ ମହାପାତ୍ର ଯୋଗଦେଇଥିଲେ। ସେହିପରି ସମ୍ମାନୀତ ଅତିଥି ଭାବେ ଜଗନ୍ନାଥ ସଂସ୍କୃତି ବିଷାରଦ ଦାଶରଥୀ ସାମନ୍ତରାୟ ଉପସ୍ଥିତ ଥିଲେ। ପରିଷଦର ସଭାପତିଙ୍କ ପୌରହିତ୍ୱରେ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରି ମୁଖ୍ୟ ଅତିଥି ଜଗନ୍ନାଥ ସଂସ୍କୃତିକୁ ସାରା ବିଶ୍ୱରେ ପରିବ୍ୟାପ୍ତ କରିବା ପାଇଁ ଜଗନ୍ନାଥ ପ୍ରେମୀଙ୍କୁ ଆହ୍ୱାନ ଦେଇଥିଲେ।

ମୁଖ୍ୟ ଅତିଥି ଜଗନ୍ନାଥ ସଂସ୍କୃତିକୁ ନିକଟରୁ ନିରିଖି ଦେଖିଲେ ପ୍ରତ୍ୟେକ ଦିଗରେ ବିଶ୍ୱ କଲ୍ୟାଣ ଓ ବିଶ୍ୱ ଭାତୃଭାବର ବାର୍ତ୍ତା ମିଳିଥାଏ, ଯେଉଁଥିପାଇଁ ସାରା ବିଶ୍ୱବାସୀ ଏହି ସଂସ୍କୃତି ପ୍ରତି ବହୁଳ ଭାବେ ଆକୃଷ୍ଟ ହେଉଛନ୍ତି ବୋଲି କହିଥିଲେ। ସେହିପରି ଶ୍ରୀ ଜଗନ୍ନାଥଙ୍କ ନୀତିକାନ୍ତି, ସଂସ୍କୃତି ଓ ପରମ୍ପରା ବିଶ୍ୱ କଲ୍ୟାଣ ପାଇଁ ଉର୍ଦ୍ଧିଷ୍ଟ। ତାଙ୍କ ସଂସ୍କୃତିରେ ପଖାଳ ବ୍ୟଞ୍ଜନର ପରମ୍ପରା ଆଦିମ କାଳରୁ ରହି ଆସିଛି ଯାହା ପ୍ରତ୍ୟେକ ଓଡ଼ିଆ ଘରର ପରିଚୟ ବୋଲି ସମ୍ମାନୀୟ ଅତିଥି ପ୍ରକାଶ କରିଥିଲେ। ଏଥିରେ ମୁଖ୍ୟବକ୍ତା ଭାବେ ଡଃ ଅସିତ ମହାନ୍ତି, ସମ୍ମାନୀୟ ବକ୍ତା ଭାବେ ସୁଦର୍ଶନ ସାହୁ ଯୋଗଦେଇ ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ଆଲୋକପାତ କରିଥିଲେ। ପରିଷଦର ସମ୍ପାଦକ ନାରାୟଣ ମହାପାତ୍ର ଉତ୍ସବ ପରିଚାଳନା କରିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶେଷରେ ଯୁଗ୍ମ ସମ୍ପାଦକ ଅଜୟ ହରିଚନ୍ଦନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଏଥିରେ ଉପଦେଷ୍ଟା ରବି ନାରାୟଣ ମିଶ୍ର ବାଳକୃଷ୍ଣ ପଣ୍ଡା କୋଷାଧ୍ୟକ୍ଷ ସୁରେଶ ମିଶ୍ରଙ୍କ ସହଗୌରାଙ୍ଗ ନାୟକ, କାମେଶ୍ଵର ରାଓ, ବିଷ୍ଣୁ ମୋହନ ମହାନ୍ତି, ତ୍ରିଲୋଚନ ନାୟକ, ମଳୟ ମହାପାତ୍ର, ଶ୍ରୀନିବାସ ରାଓ ଅଚ୍ୟୁତ ପ୍ରସାଦ ବେହେରା, ମନୋରଞ୍ଜନ ମହାନ୍ତି, ବିଷ୍ଣୁପଦ ଦାସ ଦିଲ୍ଲୀପ ପଟ୍ଟନାୟକ, ବିପିନ ବିହାରୀ ସାହୁ ଓ ଆଜୀବନ ସଦସ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ପରିଶେଷରେ ବହୁ ସଂଖ୍ୟାରେ ଯୋଗ ଦେଇଥିବା ଜଗନ୍ନାଥ ସଂସ୍କୃତି ପରିଷଦର କର୍ମକର୍ତ୍ତାମାନେ ମିଶି ଅବଢା ପଖାଳ ଖାଇଥିଲେ।