ନୂଆଦିଲ୍ଲୀ: ଭାରତ ସରକାର ପାକିସ୍ତାନର ଏକ ଓଟିଟି ପ୍ଲାଟଫର୍ମ ଭିଡଲୀ ଟିଭିକୁ ବ୍ୟାନ କରିଛନ୍ତି । ଏହା ଅଧିନରେ ଏହାର ୱେବସାଇଟ, ଦୁଇ ମୋବାଇଲ ଆପଲିକେସନ, ଚାରି ସୋସିଆଲ ମିଡିଆ ଆକାଉଣ୍ଟ୍ସ ଏବଂ ଗୋଟିଏ ସ୍ମାର୍ଟ ଟିଭି ଆପକୁ ବ୍ଲକ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି ପାକିସ୍ତାନ ଓଟିଟି ପ୍ଲାଟଫର୍ମ ନିକଟରେ ସେବକ; ଦ କନଫେସନ ନାମକ ଏକ ୱେବ ସିରିଜ୍ ରିଲିଜ୍ କରିଥିଲା। ଏହି ୱେବ ସିରିଜ ଭାରତର ସୁରକ୍ଷା ଏବଂ ଅଖଣ୍ଡତା ପାଇଁ ବିପଦ ବୋଲି କୁହାଯାଉଥିଲା । ଏବେ ସୁଦ୍ଧା ଏହି ୱେବ ସିରିଜର ତିନି ଏପିସୋଡ ରିଲିଜ ହୋଇଥିଲା।
ଏହି ପାକିସ୍ତାନୀ ୱେବ ସିରିଜର ପ୍ରଥମ ଏପିସୋଡ ମୁମ୍ୱାଇ ଆତଙ୍କବାଦୀ ଆକ୍ରମଣ ବର୍ଷ ପୂର୍ତ୍ତି ଦିନ ନଭେମ୍ୱର ୨୬ରେ ରିଲିଜ କରାଯାଇଥିଲା । ଏହାର ଓପନିଂ କ୍ରେଡିଟରେ ତ୍ରିରଙ୍ଗା ଉପରେ ଲାଗିଥିବା ଅଶୋକ ଚକ୍ରକୁ ଜଳାଇ ଦେଖାଯାଇଥିଲା । ଏହାଛଡା ଏଥିରେ ଐତିହାସିକ ଘଟଣାକୁ ଭାରତ ବିରୋଧୀ ଦୃଷ୍ଟିକୋଣରେ ସ୍ଥାନିତ କରାଯାଇଥିଲା । ଏଥିରେ ଅପରେସନ ବ୍ଲୁ ଷ୍ଟାର ଏବଂ ଏହା ପରର ଘଟଣାବଳୀ, ଅଯୋଧ୍ୟା ବାବରୀ ବିବାଦୀୟ ଢାଞ୍ଚା ଧ୍ୱଂସ, ଖ୍ରୀଷ୍ଟିୟନ ମିଶନରୀ ଗ୍ରାହମ ଷ୍ଟେନଙ୍କ ହତ୍ୟା, ମାଲେଗାଓଁ ବିସ୍ଫୋରଣ, ସମଝୌତା ଏକ୍ସପ୍ରେସ ବ୍ଲାଷ୍ଟକୁ ମଧ୍ୟ ଭୁଲ ଭାବରେ ଉପସ୍ଥାପିତ କରାଯାଇଥିଲା।