ଲୋକସଭା ନିର୍ବାଚନ ଏଗଜିଟ ପୋଲକୁ ନେଇ ଚିନ୍ତାରେ ପାକିସ୍ତାନ, ଦେଶର ଗଣମାଧ୍ୟମରେ ଚାଲିଛି ଜୋରଦାର ବିତର୍କ
20/05/2019 at 8:34 PM

ସପ୍ତଦଶ ଲୋକସଭା ନିର୍ବାଚନ ଏଗଜିଟ୍ ପୋଲକୁ ନେଇ ପାକିସ୍ତାନ ମିଡିଆରେ ହଡକମ୍ପ ମଚିଯାଇଛି। ପୋଲ ରିପୋର୍ଟରେ ଏନଡିଏକୁ ଏକକ ସଂଖ୍ୟାଗରିଷ୍ଠତା ମିଳୁଥିବା ନେଇ ପ୍ରମୁଖ ଗଣମାଧ୍ୟମମାନଙ୍କର ଆକଳନ ଅନୁସାରେ ଦେଶରେ ମୋଦି ପୁଣି ଥରେ କ୍ଷମତାକୁ ଫେରୁଥିବା ଅନୁମାନ କରାଯାଉଛି। ଏଣୁ ଏହାକୁ ନେଇ ପାକ୍ ଗଣମାଧ୍ୟମମାନେ ଏବେ ମୁଖର ହୋଇଉଠିଛନ୍ତି । ବିଭିନ୍ନ କାର୍ଯ୍ୟକ୍ରମରେ ଗଣମାଧ୍ୟମ ଭାରତର ସାଧାରଣ ନିର୍ବାଚନକୁ ନେଇ ଯେପରି ବିତର୍କ କରୁଛନ୍ତି ସେଥିରୁ ପାକିସ୍ତାନର ଚିନ୍ତା ସ୍ପଷ୍ଚ ଜଣାପଡିଯାଉଛି।

ଭାରତୀୟ ଗଣମାଧ୍ୟମମାନଙ୍କର ଏଗଜିଟ୍ ପୋଲକୁ ନେଇ ପାକ୍ ଗଣମାଧ୍ୟମରେ ଏବେ ଯେଉଁ ବିତର୍କ ହେଉଛି ସେଥିରେ ଭାରତରେ ପ୍ରଥମେ ମୂଲ୍ୟବୃଦ୍ଧି, ଭ୍ରଷ୍ଚାଚାର, ଗୋରକ୍ଷା, ସୁରକ୍ଷା ଓ ବିକାଶ ଆଦି ନିର୍ବାଚନର ପ୍ରସଙ୍ଗ ଥିବାବେଳେ ଅଚାନକ ଏହା ପୁଲଓ୍ବାମା ଓ ବାଲକୋଟ ହୋଇଯାଇଥିଲା। ପରେ ଅଭିନନ୍ଦନ ପ୍ରସଙ୍ଗ ପାଲଟିଥିବା ବେଳେ ଦେଶର ନିର୍ବାଚନ ଫଳାଫଳ ପାକିସ୍ତାନ ବିପକ୍ଷରେ ଯିବାକୁ ଲାଗିଲାଣି । ଏଣୁ ନିର୍ବାଚନ ବେଳେ ଭାରତ ଯେଉଁ ଆକ୍ରମଣ କରିବ ବୋଲି ଆଶଙ୍କା କରାଯାଉଥିଲା ତାହା ଏବେ ଟଳି ଯାଇଥିଲେ ହେଁ ପାକିସ୍ତାନ ଉପରୁ ପ୍ରକୃତ ବିପଦ ହଟି ନାହିଁ ବୋଲି ଦେଶର ଅନ୍ତର୍ଜାତୀୟ ସମୀକ୍ଷକମାନେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା କରୁଛନ୍ତି।

ଯଦି ଭାରତରେ ବିଜେପି ପୁଣି କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରେ ନିର୍ବାଚନ ପ୍ରତିଶ୍ରୁତିରେ ରଖିଥିବା ଜମ୍ମୁ-କାଶ୍ମୀର ପ୍ରସଙ୍ଗ ଉପରେ ନିଶ୍ଚିତ କାର୍ଯ୍ୟ କରିବ। କାଶ୍ମୀରରୁ ୩୭୦ ଧାରା ପ୍ରତ୍ୟାହାର ସହ ଧାରା ୩୫-ଏକୁ ମଧ୍ୟ ପ୍ରତ୍ୟାହାର କରିବ। ଯାହା ଜମ୍ମୁ-କାଶ୍ମୀର ପାଇଁ ଉତ୍ତେଜନାର କାରଣ ହେବା ସହ ପାକିସ୍ତାନକୁ ମଧ୍ୟ ପ୍ରଭାବିତ କରିବ। ସ୍ବାଧୀନତା ପରେ ଭାରତରେ କେବେ ଏଭଳି ନିର୍ବାଚନ ହୋଇ ନାହିଁ । ଏଣୁ ଏହି ନିର୍ବାଚନର ଫଳାଫଳ ଭାରତ ସମେତ ପାକିସ୍ତାନ ପାଇଁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ବୋଲି ପାକିସ୍ତାନୀ ବିଶେଷଜ୍ଞମାନେ କହୁଛନ୍ତି।

ଯଦି କାଶ୍ମୀର ପରିସ୍ଥିତିରେ ପରିବର୍ତ୍ତନ ହୁଏ ତେବେ ଚରମପନ୍ଥୀ ସଙ୍ଗଠନମାନେ କାଶ୍ମୀର ଆଡକୁ ମୁହାଁଇପାରନ୍ତି। ଯେଉଁଥି ପାଇଁ ଭାରତ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି କରିପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରୁଛନ୍ତି। ତେବେ ଭାରତର ରାଜନୀତି ପାକିସ୍ତାନକୁ କୌଣସି ପ୍ରକାର ପ୍ରଭାବିତ କରିବ ନାହିଁ ବୋଲି ଗଣମାଧ୍ୟମ ବିତର୍କରେ ପାକ୍ ରାଜନୀତିଜ୍ଞ ଓ ବିଶେଷଜ୍ଞମାନେ କହୁଛନ୍ତି। କାରଣ ଦେଶ ବିଭାଜନ ପରେ ପାକ୍ ଉପରେ କେବେ ଭାରତ କର୍ତ୍ତୃତ୍ବ ଜାହିର କରିବାକୁ ଚାହିଁ ନାହିଁ କି କୌଣସି ପ୍ରସଙ୍ଗରେ ହସ୍ତକ୍ଷେପ କରିନି। ଏପରିକି ବ୍ୟବସାୟ, ବାଣିଜ୍ୟ ଓ ଅନ୍ୟ ପ୍ରସଙ୍ଗରେ ମଧ୍ୟ ଦୁଇ ପଡୋସୀ ଦେଶଙ୍କ ନିର୍ଭରତା ନାହିଁ । ଏଣୁ ଭାରତର ସାଧାରଣ ନିର୍ବାଚନ ପାକ୍ ପାଇଁ ଚିନ୍ତାଜନକ ନୁହେଁ ବୋଲି ସେମାନେ କହୁଛନ୍ତି।