ପୂର୍ବତନ ପାକ୍ ପ୍ରଧାନମନ୍ତ୍ରୀ ନୱାଜ୍ ସରିଫଙ୍କୁ ‘ପଳାତକ’ ଘୋଷଣା କଲେ ଇମ୍ରାନ ସରକାର
26/02/2020 at 8:57 PM

ଇସ୍ଲାମାବାଦ ୨୬।୨: ଏବେ ଲଣ୍ଡନରେ ରହି ଚିକିତ୍ସିତ ହେଉଥିବା ପୂର୍ବତନ ପାକ୍ ପ୍ରଧାନମନ୍ତ୍ରୀ ତଥା ପିଏମଏଲଏନର ସଂସ୍ଥାପକ ମିଆଁ ନୱାଜ ସରିଫଙ୍କୁ ପାକିସ୍ତାନର ଇମ୍ରାନ ଖାନ ସରକାର ବୁଧବାର ‘ପଳାତକ’ ଘୋଷଣା କରିଛନ୍ତି। ସରିଫଙ୍କ ଜାମିନ ଅବଧି ସମ୍ପ୍ରସାରଣ ନ କରିବା ଲାଗି ମଙ୍ଗଳବାର ପାକ୍ ପଞ୍ଜାବ ସରକାର ନିଷ୍ପତ୍ତି ନେଇଥିଲେ। ସରକାର ତାଙ୍କ ବିରୋଧରେ ଜାମିନ ସର୍ତ୍ତ ଉଲ୍ଲଂଘନର ଅଭିଯୋଗ ଆଣିଥିବା ବେଳେ ତାଙ୍କୁ ପଳାତକ ଘୋଷଣା କରିଦେଇଛନ୍ତି।

ପ୍ରମୁଖ ପାକ୍ ସମ୍ବାଦପତ୍ର ‘ଡନ’ ଅନୁସାରେ ଇମ୍ରାନ ଖାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ନୱାଜଙ୍କୁ ‘ପଳାତକ’ ଘୋଷଣା ଲାଗି ନିଷ୍ପତ୍ତି ହୋଇଛି। କ୍ୟାବିନେଟ୍ ବୈଠକ ପରେ ଇମ୍ରାନଙ୍କ ପରାମର୍ଷଦାତା ଡା.ଫିରଦୋସ ଆଶିକ ଅବାନ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଲଣ୍ଡନ ଚିକିତ୍ସା ଲାଗି ଯାଇଥିବା ନୱାଜ ସେଠାରେ କୌଣସି ହସ୍ପିଟାଲରେ ଚିକିତ୍ସିତ ହେଉ ନାହାନ୍ତି। ତାଙ୍କର ମେଡିକାଲ ରିପୋର୍ଟ କୌଣସି ହସ୍ପିଟାଲରେ ନଥିବା କହିଛନ୍ତି।

ସେହିପରି ମେଡିକାଲ ବୋର୍ଡକୁ ନୱାଜ୍ ପ୍ରଦାନ କରିଥିବା ମେଡିକାଲ ରିପୋର୍ଟ ଏବେ ତ୍ରୁଟିପୁର୍ଣ୍ଣ ବୋଲି ଜଣାପଡିଥିବା ସେ କହିଛନ୍ତି। ତାଙ୍କର ସମସ୍ତ ରିପୋର୍ଟ ମେଟିକାଲ ବୋର୍ଡ ଦ୍ୱାରା ଅଗ୍ରାହ୍ୟ ହୋଇଯାଇଛି। ଏଣୁ ବୁଧବାର ନୱାଜଙ୍କୁ ପଳାତକ ଘୋଷିତ ହୋଇଛନ୍ତି। ଯଦି ଆଇନ ଅନୁସାରେ ସେ ଦେଶକୁ ଫେରସ୍ତ ନ ଆସନ୍ତି ତେବେ ତାଙ୍କୁ ସମ୍ପୂର୍ଣ୍ଣ ପଳାତକ(Proclaimed Offender) ଘୋଷଣା କରାଯାଇପାରେ ବୋଲି ଇମ୍ରାନଙ୍କ ପରାମର୍ଶଦାତା କହିଛନ୍ତି।