ପାକିସ୍ତାନ ବିଦେଶ ମନ୍ତ୍ରୀଙ୍କୁ ଭାରି ପଡିଲା ସାଉଦୀ ବିରୋଧରେ ବୟାନ, ଏବେ ଯାଇପାରେ ପଦ

Published By : Prameya-News7 Bureau | August 17, 2020 IST

ଇସ୍ଲାମାବାଦ : ପାକ୍ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମୁଦ କ୍ୟୁରେସୀଙ୍କୁ ଏବେ ତାଙ୍କ ପଦବୀ ଛାଡିବାକୁ ପଡିପରେ। ମିଳୁଥିବା ସୂଚନାରୁ ମାନବାଧିକାର ମନ୍ତ୍ରୀ ଶିରିନ୍ ମଜାରୀଙ୍କୁ ଦେଶର ବୈଦେଶିକ ମନ୍ତ୍ରୀ କରାଯାଇପାରେ। ନିକଟରେ କ୍ୟୁରେସୀ ଦେଇଥିବା ବୟାନ ଲାଗି ଦେଶକୁ ସାଉଦୀ ଆରବ ‘ଦାନାପାଣି’ ବନ୍ଦ ଘୋଷଣା କରିଛି। ଏଣୁ ସରକାର ତାଙ୍କୁ ପଦରୁ ହଟାଇ ପ୍ରାୟଶ୍ଚିତ କରିବାକୁ ଚିନ୍ତା କରୁଛନ୍ତି।

ବୈଦେଶିକ ମନ୍ତ୍ରୀ କ୍ୟୁରେସୀ କାଶ୍ମୀର ପ୍ରସଙ୍ଗରେ ସାଉଦୀ ଆରବ ଭାରତ ବିରୋଧରେ କଡା ନୀତି ଅବଲମ୍ବନ କରୁଥିବାରୁ ଇସ୍ଲାମିକ ସହଯୋଗ ସଙ୍ଗଠନ (ଓଆଇସି)କୁ କଡା ଚେତାବନୀ ଦେଇଥିଲେ।  କ୍ୟୁରେସୀ କହିଥିଲେ ଯେ ଯଦି ଓଆଇସି ପ୍ରସଙ୍ଗରେ ହସ୍ତକ୍ଷେପ ନ କରନ୍ତି ତେବେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ନେତୃତ୍ୱରେ ଆମେ ସେହିସବୁ ଇସ୍ଲାମିକ ଦେଶମାନଙ୍କର ବୈଠକ ଡକାଇବାକୁ ବାଧ୍ୟ ହେବୁ ଯେଉଁମାନେ ପ୍ରସଙ୍ଗରେ ଆମକୁ ସମର୍ଥନ କରୁଛନ୍ତି ବୋଲି କହିଥିଲେ।

ସେପଟେ ମାନବାଧିକାର ମନ୍ତ୍ରୀ ଶିରିନ୍‌ ଏକ ବୟାନରେ କାଶ୍ମୀର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ବୈଦେଶିକ ମନ୍ତ୍ରାଳୟ କୌଣସି ପ୍ରକାର ସହାୟତା କରୁନଥିବା କହିଛନ୍ତି। ଯଦି ପ୍ରସଙ୍ଗରେ ବୈଦେଶିକ ମନ୍ତ୍ରାଳୟ ପ୍ରଧାନମନ୍ତ୍ରୀଙ୍କୁ ଆବଶ୍ୟକ ସହଯୋଗ କରିଥାନ୍ତେ ତେବେ ଆଜି କାଶ୍ମୀର ପ୍ରସଙ୍ଗର ପରିଦୃଶ୍ୟ ଭିନ୍ନ ଥାଆନ୍ତା ବୋଲିକହିଛନ୍ତି। ସାଉଦୀ ଆରବ କ୍ୟୁରେସୀଙ୍କ ବୟାନ ପରେ ପାକିସ୍ତାନକୁ ତୈଳ ଯୋଗାଣ ବନ୍ଦ କରିଦେଇଛି। ଏଣୁ ଉପୁଜିଥିବା ପରିସ୍ଥିତିର ସମାଧାନ ଲାଗି ପାକ୍ ସେନାଧ୍ୟକ୍ଷ ଜେନେରାଲ କମର ବାଜୱା  ପାକ୍ ଗୁଇନ୍ଦା ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଫୈଜ ରିୟାଦଙ୍କୁ ସାଙ୍ଗରେ ନେଇ ସାଉଦୀ ଆରବ ଗସ୍ତରେ ଯାଇଛନ୍ତି।

ତେବେ ଶିରିନଙ୍କ ବୟାନକୁ ସାଉଦୀ ସନ୍ତୋଷ ନିମନ୍ତେ ବୁଝା ଯାଉଥିବା ବେଳେ କ୍ୟୁରେସୀଙ୍କୁ ହଟାଇବା ଲାଗି ପୂର୍ବ ସଂକେତ ବୋଲି କୁହାଯାଉଛି। ଏହା ଛଡା ଇମ୍ରାନ ଖାନ ଏବେ  କ୍ୟୁରେସୀଙ୍କୁ କୌଣସି ସାର୍ବଜନିକ ବୟାନବାଜୀରୁ ଦୂରେଇ ରଖିବାକୁ ଚାହୁଁଥିବାର ମଧ୍ୟ ଅନୁମାନ କରାଯାଉଛି। ଯାହା ଇମ୍ରାନଙ୍କ ମନ୍ତ୍ରୀମଣ୍ଡଳରୁ ତାଙ୍କ ବିଦାୟର ସୂଚନା ଦେଉଥିବା ଏବେ ପାକିସ୍ତାନ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.