ଶ୍ରୀନଗର: ଜାମ୍ମୁ କାଶ୍ମୀର ରିଆସି ଜିଲ୍ଲାରେ ରବିବାର ଶ୍ରଦ୍ଧାଳୁଙ୍କ ବସ୍ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ନିଜକୁ ଦାୟୀ କରିଛି ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନ ଦ ରେଜିଷ୍ଟାନ୍ସ ଫ୍ରଣ୍ଟ(ଟିଆର୍ଏଫ୍)। ଏହି ଆକ୍ରମଣ ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୩ ଜଣ ଆହତ ହୋଇଛନ୍ତି।
ଆକ୍ରମଣ ନେଇ ଟିଆର୍ଏଫ୍ ଏକ ମେସେଜ୍ ଜାରି କରି ପର୍ଯ୍ୟଟକ ଓ ବାହାରୁ ଆସିଥିବା ଲୋକଙ୍କ ଉପରେ ଆହୁରି ଆକ୍ରମଣ କରିବ ବୋଲି କହିଛି। ରିଆସି ଆକ୍ରମଣ ଏକ ନୂଆ ଆରମ୍ଭର ଆରମ୍ଭ ବୋଲି ଟିଆର୍ଏଫ୍ କହିଛି। ଘଟଣା ସ୍ଥଳରେ ଜାମ୍ମୁ-କାଶ୍ମୀର ପୁଲିସ ସମେତ ଏନ୍ଆଇଏ ମଧ୍ୟ ତଦନ୍ତ ଆରମ୍ଭ କରିଛି। ଆତଙ୍କବାଦୀଙ୍କୁ ଖୋଜିବାକୁ ଡ୍ରୋନ୍ର ବ୍ୟବାହର କରାଯାଉଛି।
ଗତକାଲି ଶ୍ରଦ୍ଧାଳୁଙ୍କ ଏକର ବସ ଶିଭ ଖୋରି ମନ୍ଦିରରୁ ମା ବୈଷ୍ଣବ ଦେବ ମନ୍ଦିର କତ୍ରା ଅଭିମୁଖେ ଯାଉଥିବା ବେଳେ ଗୁଳିକାଣ୍ଡ ଘଟିଥିଲା। ଆତଙ୍କବାଦୀମାନେ ନିକଟସ୍ଥ ଜଙ୍ଗଲରେ ଲୁଚି ରହିଥିଲେ। ବସ୍ ପହଞ୍ଚିଲା ପରେ ତୁରନ୍ତ ଗୁଳିମାଡ଼ କରିଥିଲେ। ଡ୍ରାଇଭରଙ୍କ ଦେହରେ ଗୁଳି ବାଜିବା ପରେ ନିୟନ୍ତ୍ରଣ ହରାଇବାରୁ ବସ୍ଟି ଖାଇକୁ ଖସିପଡ଼ିଥିଲା ଏହି ଆକ୍ରମଣରେ ଉଭୟ ବସ୍ର ଡ୍ରାଇଭର ଓ କଣ୍ଡକ୍ଟରଙ୍କ ମୃତ୍ୟୁ ହୋଇଛି।
ଭାରତ ୨୦୨୩ରେ ଟିଆର୍ଏଫ୍କୁ ଆତଙ୍କବାଦୀ ସଂଗଠନ ଘୋଷଣା କରିଥିଲା। ୨୦୧୯ରେ ଜାମ୍ମୁ-କାଶ୍ମୀର ଧାରା ୩୭୦ ହଟିବା ପରେ ପାକିସ୍ତାନ ସମର୍ଥନରେ ଏହି ଆତଙ୍କବାଦୀ ସଂଗଠନ ଗଢ଼ି ଉଠିଥିଲା। ଗତ କିଛି ମାସ ହେବ ଜାମ୍ମୁ-କାଶ୍ମୀରର ପୁଞ୍ଚ ଓ ରାଜୌରିରେ ହୋଇଥିବା ଏକାଧିକ ଆକ୍ରମଣରେ ଏହି ଗ୍ରୁପର ହାତ ରହିଛି।