ସେନା ହେପାଜତରେ ପାକିସ୍ତାନର ପୂର୍ବତନ ISI ମୁଖ୍ୟ; କୋର୍ଟ ମାର୍ଶଲ ପ୍ରକ୍ରିୟା ଆରମ୍ଭ

Published By : Prameya-News7 Bureau | August 12, 2024 IST

ନୂଆଦିଲ୍ଲୀ: ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଇଣ୍ଟର ସର୍ଭିସେସ୍ ଇଣ୍ଟେଲିଜେନ୍ସି (ISI)ର ପୂର୍ବତନ ମୁଖ୍ୟ ଫୈଜ ହମୀଦଙ୍କୁ ସେନା ନିଜ ହେପାଜତକୁ ନେଇଛି । ଆବାସ ଯୋଜନା ଦୁର୍ନୀତି ମାମଲାରେ ଆର୍ମି ପକ୍ଷରୁ ଏହି ଆକ୍ସନ ନିଆଯାଇଛି । ପାକିସ୍ତାନ ସେନା ପକ୍ଷରୁ କୁହାଯାଇଛି, 'ପାକିସ୍ତାନ ସୁପ୍ରିମକୋର୍ଟଙ୍କ ଆଦେଶ ପାଳନ କରି ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଲେଫ୍ଟିନାଣ୍ଟଙ୍କ ବିରୋଧରେ ରୁଜୁ ମାମଲାର ସତ୍ୟତା ଯାଞ୍ଚ କରାଯିବ । ବର୍ତ୍ତମାନ, ପାକିସ୍ତାନ ସେନା ଅଧିନିୟମର ପ୍ରାବଧାନ ଅନୁଯାୟୀ ଲେଫ୍ଟିନାଣ୍ଟ ଜେନେରାଲ ଫୈଜ ହମୀଦ (ରିଟାୟର୍ଡ)ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି ।'

ସେବାରୁ ଅବସର ନେବା ପରେ ବି ଫୈଜ ହମୀଦଙ୍କ ବିରୋଧରେ ପାକିସ୍ତାନ ସେନା ଅଧିନିୟମ ଉଲ୍ଲଂଘନରେ ଅନେକ ମାମଲା ରୁଜୁ କରାଯାଇଛି । ଏଥିପାଇଁ ଫିଲ୍ଡ ଜେନେରାଲ କୋର୍ଟ ମାର୍ଶଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହା ଅଧିନରେ ଲେଫ୍ଟିନାଣ୍ଟ ଜେନେରାଲ ଫୈଜ ହମୀଦ (ରିଟାୟର୍ଡ)ଙ୍କୁ ସୈନ୍ୟ ହେପାଜତକୁ ନିଆଯାଇଛି । ପାକିସ୍ତାନରେ ପ୍ରାଇଭେଟ୍ ହାଉସିଂ ସ୍କିମ୍ ଟପ୍ ସିଟି ଦ୍ୱାରା ହମୀଦଙ୍କ ବିରୋଧରେ ଅଭିଯୋଗ ଅଣାଯାଇଥିଲା । ଅଭିଯୋଗରେ ଦାବି କରାଯାଇଥିଲା ଯେ ହମୀଦ ସଂସ୍ଥାର ମାଲିକ ମୋଇଜ ଖାନଙ୍କ କାର୍ଯ୍ୟାଳୟ ଏବଂ ଘରେ ରେଡ୍ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ ଲେଫ୍ଟିନାଣ୍ଟ ଜେନେରାଲ୍ ହମୀଦ ୨୦୧୯ରୁ ୨୦୨୧ ଯାଏ ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସଆଇର ମୁଖ୍ୟ ଥିଲେ । ସେହି ସମୟରେ ହମୀଦଙ୍କ ଗଣତି ଦେଶର ଶକ୍ତିଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ହେଉଥିଲା ।

ରିପୋର୍ଟ ଅନୁସାରେ ପାକିସ୍ତାନ ସେନା ହମୀଦଙ୍କ ବିରୋଧରେ କ୍ଷମତାର ଦୁରୁପଯୋଗ ଅଭିଯୋଗର ତଦନ୍ତ ପାଇଁ ଏପ୍ରିଲରେ ଏକ କମିଟି ଗଠନ କରିଥିଲା । ପାକିସ୍ତାନ ସୁପ୍ରିମକୋର୍ଟଙ୍କ ଆଦେଶରେ ଏହି କମିଟି ଗଠନ ହୋଇଥିଲା । କୋର୍ଟ କହିଥିଲେ ଯେ ହମୀଦଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆସିଛି । ଏହାକୁ ଅଣଦେଖା କରାଯାଇ ପାରିବ ନାହିଁ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.