କୋଭିଡ ହସ୍ପିଟାଲରେ ଚିତ୍ରକଳା ପ୍ରତିଯୋଗିତା : ରୋଗୀଙ୍କୁ ଉତ୍ସାହିତ କରିବାକୁ ଏକ ଛୋଟ ପ୍ରୟାସ

Published By : Prameya-News7 Bureau | August 24, 2020 IST

ଅମ୍ବରନାଥ ୨୪/୦୮ : କରୋନା ମହାମାରୀ ଯୋଗୁଁ ଲୋକଙ୍କ ଜୀବନ ରଙ୍ଗହୀନ ହୋଇଯାଇଛି | ଏହାର ପ୍ରଭାବ ଲୋକଙ୍କ ଦିନଚର୍ଯ୍ୟା, ପରିବାର ଓ ବ୍ୟବସାୟ ଉପରେ ମଧ୍ୟ ପଡିଛି | ଏହି ମହାମାରୀ ଜନିତ ଅବସାଦରୁ ବାହାରିବା ପାଇଁ ଲୋକେ ମାନସିକ ସନ୍ତୁଳନ ବଜାୟ ରଖିବାକୁ ବିଭିନ୍ନ ପ୍ରୟାସ କରୁଛନ୍ତି | ଏହାର ଏକ ଜୀବନ୍ତ ଉଦାହରଣ ଦେଖିବାକୁ ମିଳିଛି ମହାରାଷ୍ଟ୍ରର ଅମ୍ବରନାଥ କୋଭିଡ ହସ୍ପିଟାଲରେ | କୋଭିଡ ହସ୍ପିଟାଲରେ ଏକ ଚିତ୍ରକଳା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା | ରୋଗୀ କାଗଜରେ ଚିତ୍ର ଆଙ୍କି ରଙ୍ଗ ଦେଇଥିଲେ ଏବଂ ରଙ୍ଗହୀନ ଜୀବନରେ ଟିକେ ଉତ୍ସାହ ଭରିବାକୁ ଚେଷ୍ଟା କରିଥିଲେ |

ହସ୍ପିଟାଲରେ ଗଣେଶ ଉତ୍ସବ ସହ ଗଣପତି ସ୍ଥାପନା କରାଯାଇଥିଲା | କରୋନା ରୋଗୀଙ୍କୁ ଟିକେ ଉତ୍ସାହିତ କରିବାକୁ ଚିତ୍ରକଳା ଆୟୋଜନ କରାଯାଇଥିଲା | ପ୍ରତିଯୋଗିତାରେ ବାପ୍ପାଙ୍କ ଚିତ୍ର ଅଙ୍କିବାକୁ କୁହାଯାଇଥିଲା | ଅନେକ ରୋଗୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ | ପ୍ରତିଯୋଗୀ କାଗଜରେ ବାପ୍ପାଙ୍କ ଚିତ୍ର ଆଙ୍କି ଶୀଘ୍ର ଏହି ମହାମାରୀରୁ ମୁକ୍ତି ପାଇଁ ପ୍ରାର୍ଥନା କରିଥିଲେ |

ମହାନଗର ପାଳିକାଙ୍କ ତରଫରୁ ହସ୍ପିଟାଲରେ ଆୟୋଜନ ହୋଇଥିବା ଚିତ୍ରକଳା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ପୀଡିତଙ୍କ ଖୁସି ଦେଖି ନଗର ପାଳିକା ପ୍ରଶାସନ ମଧ୍ୟ ଅତ୍ୟନ୍ତ ଖୁସି ହୋଇଥିଲେ | ହସ୍ପିଟାଲରେ ଚିକିତ୍ସିତ ହେଉଥିବା କରୋନା ରୋଗୀଙ୍କ ମୁହଁରେ ମଧ୍ୟ ଖୁସି ଦେଖିବାକୁ ମିଳିଥିଲା | ପାଖାପାଖି ୮୦ ପ୍ରତିଯୋଗୀ ଏଥିରେ ସାମିଲ ହୋଇଥିଲେ |

ମହାରାଷ୍ଟ୍ରରେ ଗଣେଶ ପୂଜା ବହୁତ ଧୂମଧାମରେ ପାଳନ କରାଯାଏ | କିନ୍ତୁ ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ଗଣେଶ ପୂଜା ରଙ୍ଗ ଫିକା ପଡିଯାଇଥିଲା | ମହାରାଷ୍ଟ୍ରରେ ଗଣପତି ଉତ୍ସବ ସମୟରେ ଯେଉଁସବୁ ସ୍ଥାନରେ ବାପ୍ପାଙ୍କୁ ସ୍ଥାପନା କରାଯାଏ ସେଠାରେ ପ୍ରତିଦିନ କିଛି ନା କିଛି ପ୍ରତିଯୋଗିତା ଆୟୋଜନ କରାଯାଇଥାଏ | ଏଥିରେ ଆବାଳ, ବୃଦ୍ଧ, ବନିତା ସମସ୍ତେ ସାମିଲ ହୁଅନ୍ତି | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.