ଶ୍ରୀମନ୍ଦିରରେ ହେଲାନି ମହାପ୍ରଭୁଙ୍କ ପହୁଡ଼ ନୀତି, ସାରା ରାତି ଅନିଦ୍ରା ରହିଲେ ମହାପ୍ରଭୁ

Published By : Prameya-News7 Bureau | September 08, 2023 IST

ପୁରୀ ୦୮/୦୯: ସାରା ରାତି ଅନିଦ୍ରା ରହିଲେ ମହାପ୍ରଭୁ । ଗତକାଲି ଶ୍ରୀମନ୍ଦିରରେ ହେଲା ନାହିଁ ମହାପ୍ରଭୁଙ୍କ ପହୁଡ଼ ନୀତି। ନନ୍ଦୋତ୍ସବ ନୀତି ସହ ବିଜୁଳି କନ୍ୟା ନୀତି ଅନୁଷ୍ଠିତ ହେବା ହେତୁ ଶ୍ରୀଜୀଉ ମାନଙ୍କ ପହୁଡ଼ ନୀତି ହୋଇପାରି ନାହିଁ । ଏଣୁ ଆଜି ଦ୍ଵାରଫିଟା ନୀତି ନ ହୋଇ ଭକ୍ତ ମାନେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ।

ସୂଚନା ଥାଉକି, ବଡ଼ଦେଉଳରେ ଶ୍ରୀକୃଷ୍ଣ ଲୀଳା ଅବସରରେ ଗୁରୁବାର ନନ୍ଦୋତ୍ସବ ଓ ବିଜୁଳି କନ୍ୟା ନୀତି ପାଳିତ ହୋଇଛି । ବୁଧବାର ଠାକୁରଙ୍କ ରାତ୍ର ପହୁଡ଼ ପରେ ଗୁରୁବାର ସକାଳ ୭ ଟା୧୫ଟା ଶ୍ରୀମନ୍ଦିର ଦ୍ୱାର ଫିଟିଥିଲା । ୮ଟାରେ ମଙ୍ଗଳଆଳତି ସରି ରାମ କୃଷ୍ଣ ଜଗମୋହନରେ ଥିବା ଦୋଳିରେ ବିଜେ ହୋଇଥିଲେ । ଏଥିସହ ମହାପ୍ରଭୁଙ୍କ ରୋହିଣୀ ବୃଷ ନକ୍ଷେତ୍ର ବନ୍ଦାପନା ନୀତି ବଢିଥିଲା ।

ସନ୍ଧ୍ୟାରେ ଯାତ୍ରାଙ୍ଗୀ ମହାସ୍ନାନ ଓ ଘଣ୍ଟଛତା ସର୍ବାଙ୍ଗ ନୀତି ବଢିଥିଲା । ନୂଆଲୁଗା ଲାଗି ସହ ୬ ମୂର୍ତ୍ତି ସ୍ୱର୍ଣ୍ଣ ଅଳଙ୍କାର ବେଶ ବଢିଥିଲା । ରାମକୃଷ୍ଣ ଓ ମଦନମୋହନ ପୁଣି ଖଟରେ ବିଜେ ହେଲେ । ତିନି ବିଗ୍ରହଙ୍କୁ ମାଜଣା, ମାଳଫୁଲ ଲାଗି ଓ ବେଶ କରାଯାଇଥିଲା । ଜଗମୋହନରେ ଠାକୁରମାନେ ବିଜେ ହୋଇଥିଲେ । ଅନ୍ୟାନ୍ୟ ବିଧି ସହ ମହାସ୍ନାନ ବଢିଥିଲା । ଡମ୍ବରୁ ଉପରେ ଠାକୁରେ ବିଜେ ହୋଇଥିଲେ । ବିଜୁଳି କନ୍ୟା ନୀତି ହୋଇଥିଲା ।

wp:embed {"url":"https://www.prameyanews7.com/janmastami-in-puri/","type":"wp-embed","providerNameSlug":"prameya-news-7"}
https://www.prameyanews7.com/janmastami-in-puri/
/wp:embed

ଭଣ୍ଡାରଘରୁ ଦୁର୍ଗାଦେବୀଙ୍କୁ ଅଣାଯାଇ ମା’ ସୁଭଦ୍ରାଙ୍କ ବାଡ଼ରୁ ଆଜ୍ଞାମାଳ ଦିଆଯାଇଥିଲା । ଜଗମୋହନ ଆଗରେ ଖଟୁଲି ଉପରେ ବିଜେ କରାଯାଇଥିଲା । ଜଣେ ସେବକ କାଠରେ ତିଆରି ବିଜୁଳି କନ୍ୟାଙ୍କୁ ଶୂନ୍ୟକୁ ଫୋପାଡ଼ିଥିଲେ । ଏହାପରେ କର୍ପୂର ଆଳତି ହୋଇ ଠାକୁରାଣୀ ଭଣ୍ଡାର ଘରକୁ ବାହୁଡା ବିଜେ କରିଥିଲେ । ପରେ ପାଲିଙ୍କିରେ ବିଜେ ହୋଇ ଲକ୍ଷ୍ମୀମନ୍ଦିର ଜଗମୋହନକୁ ବିଜେ କରିଥିଲେ ଠାକୁରେ ।

ଭିତରଚ୍ଛ ମହାପାତ୍ରେ ନନ୍ଦ ମହାରାଜାଙ୍କ ଭୂମିକା ନେଇଥିଲେ । ପାଟଲେଙ୍କା ଗୋଟିଏ ଦୁହାଁଳିଆ ଗାଈ ଲକ୍ଷ୍ମୀଙ୍କ ମନ୍ଦିର ପାଖକୁ ଆଣିଥିଲେ । ଭରତିଆ ଗଉଡ଼ ରୁପା ପିଙ୍ଗଣରେ ଗାଈ ଠାରୁ ଦୁଗ୍ଧ ସଂଗ୍ରହ କରିଥିଲେ । ନନ୍ଦ ରାଜା ଉକ୍ତ ଦୁଗ୍ଧ ମହାପ୍ରଭୁଙ୍କୁ ସମର୍ପଣ କରିଥିଲେ । ରାଶି କୋରା ଭୋଗ ଲାଗିବା ସହ ଅନ୍ୟାନ୍ୟ ନୀତି ବଢିଥିଲା । ଶ୍ରୀକୃଷ୍ଣ ଲୀଳାକୁ ନେଇ ଏହିଭଳି ନୀତି ବହୁ କାଳରୁ ଶ୍ରୀମନ୍ଦିରରେ ପାଳିତ ହୋଇଆସୁଛ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.