ପବିତ୍ର ଧନୁ ସଂକ୍ରାନ୍ତି, ଆଜିଠୁ ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି

Published By : Prameya-News7 Bureau | December 16, 2023 IST

ପୁରୀ ୧୬।୧୨ : ଶନିବାର ପବିତ୍ର ଧନୁ ସଂକ୍ରାନ୍ତି । ଏହି ଅବସରରେ ଶ୍ରୀମନ୍ଦିରରେ ମହାପଭୁଙ୍କ ପ୍ରସିଦ୍ଧ ପହିଲି ଭୋଗ ନୀତିର ଶୁଭାରମ୍ଭ ହୋଇଛି । ଧନୁ ସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି ପୂର୍ବଦିନ ପର୍ଯ୍ୟନ୍ତ ଏହି ନୀତି ଚାଲିବ । ଏଣୁ ଶୁକ୍ରବାର ମହାସୁଆରମାନେ କୋଠଭୋଗ ରୋଷଘରେ ନୂଆ ଚୂଲି ତିଆରି କରିଛନ୍ତି । ସେହି ସ୍ୱତନ୍ତ୍ର ଚୂଲିରେ ପ୍ରସ୍ତୁତ ହେବ ଠାକୁରଙ୍କ ପହିଲି ଭୋଗ । ବିରି, ଗହମ ଓ ଗୁଆଘିଅରେ ପିଠାମାନ ତିଆରି ହେବ । ପହିଲି ଭୋଗ ସହ ଗୋପାଳବଲ୍ଲଭ ଲାଗି ହେବ । ପଞ୍ଚୋପଚାରରେ ଠାକୁରଙ୍କୁ ପୂଜା ହେବ।

wp:embed {"url":"https://www.prameyanews7.com/guest-list-is-ready-for-srimandir-parikrama-project-inauguration/","type":"wp-embed","providerNameSlug":"prameya-news-7"}
https://www.prameyanews7.com/guest-list-is-ready-for-srimandir-parikrama-project-inauguration/
/wp:embed

ପବିତ୍ର ଧନୁସଂକ୍ରାନ୍ତି ଅବସରରେ ଠାକୁରଙ୍କୁ ଧନୁମୁଆଁ ଭୋଗ ଅର୍ପଣ କରାଯିବ । ପହିଲି ଭୋଗ ଲାଗି ଶ୍ରୀମନ୍ଦିର ପ୍ରଶାସନ ନୀତି ନିର୍ଘଣ୍ଟ ଧାର୍ଯ୍ୟ କରିଛି । ଶୁକ୍ରବାର ରାତି ୨ଟାରେ ଶ୍ରୀମନ୍ଦିର ଦ୍ୱାର ଫିଟା ହୋଇଛି । ସାଧାରଣ ଦିନରେ ଶ୍ରୀମନ୍ଦିର ନୀତି ଅନୁସାରେ ଠାକୁରଙ୍କ ବେଶ ପରେ ରୋଷହୋମ ହୋଇଥାଏ । ରୋଷହୋମରୁ ଅଗ୍ନି ଆସିଲେ ଠାକୁରଙ୍କ ଭୋଗ ରନ୍ଧାଯିବା ପାଇଁ ଚୂଲି ଲାଗିଥାଏ । ପହିଲି ଭୋଗ ମାସରେ କିନ୍ତୁ ମଙ୍ଗଳଆଳତୀ ପରେ ରୋଷହୋମ କରାଯାଏ । ଠାକୁରଙ୍କ ମଙ୍ଗଳଆଳତି ୨ଟା ୪୫, ରୋଷହୋମ ୨ଟା ୪୫, ମଇଲମ-ତଡ଼ପଲାଗି ୩ଟା ୧୫, ଅବକାଶ ୪ଟା, ସୂର୍ଯ୍ୟ ପୂଜା ୪ଟା ୪୫ରେ ସରି ୫ଟା ସୁଦ୍ଧା ଦ୍ୱାରପାଳ ପୂଜା ଓ ଠାକୁରଙ୍କ ବେଶ ହୋଇଛି । ସକାଳ ୬ଟାରେ ଦାରୁବ୍ରହ୍ମଙ୍କୁ ପହିଲି ଭୋଗ ଅର୍ପଣ ହୋଇଛି । ୧୬ ତାରିଖ ଶନିବାରଠାରୁ ଜାନୁୟାରୀ ୧୪ ତାରିଖ ପର୍ଯ୍ୟନ୍ତ ଧନୁ ମାସରେ ପହିଲି ଭୋଗ ବିଧି ସମ୍ପନ୍ନ ହେବ ।

ସେହିପରି ଅବକାଶ ପରେ ଠାକୁରେ ଅଳଙ୍କାର ଲାଗି ହେବେ । ବେଶ ସରିବା ପରେ ପହିଲି ଭୋଗ ଅର୍ପଣ କରାଯିବ । ଏଥିରେ ବଡ଼ଝିଲି, ଦରସୁଆ ବଡ଼ି, ଦରସୁଆ ଝିଲି, ବଡ଼ବଡ଼ା, କାକେରା, ସାନ ଅମାଲୁ, ନଳି, କାକେରୀ, ଏଣ୍ଡୁରୀ, ମୁଗେଇ, ଚଢ଼େଇ ନଦା, ଲଡ଼ୁ, ଗଜା, ଖଇରଚୁଳ, ଗଇଁଠା, ମଣ୍ଡା, ଆଦି ଭୋଗ ଲାଗିବ । ଭକ୍ତମାନେ କିଭଳି ଅତି ସଅଳ ଠାକୁରଙ୍କ ଅନ୍ନପ୍ରସାଦ ଭୋଗ ପାଇବେ ସେଥିପାଇଁ ସକାଳ ପ୍ରାୟ ୧୦ଟାରେ ଭୋଗମଣ୍ଡପ ଶେଷ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମୟ ଧାର୍ଯ୍ୟ ହୋଇଛି । ଅପରାହ୍ଣ ସାଢ଼େ ୨ଟାରେ ଦିବା ପହୁଡ଼ ପାଇଁ ନୀତି ନିର୍ଘଣ୍ଟ ହୋଇଛି । ସେହିଭଳି ସାଢ଼େ ୪ଟାରେ ଦ୍ୱାରଫିଟା ଯାଇ ୫ଟାରେ ସନ୍ଧ୍ୟା ଆଳତି ପାଇଁ ସ୍ଥିର କରାଯାଇଛି । ପରବର୍ତ୍ତୀ ନୀତି ହୋଇ ୧୧ଟାରେ ଠାକୁରଙ୍କ ରାତ୍ର ପହୁଡ଼ ହେବ ବୋଲି ସୂଚନା ରହିଛି । ଭକ୍ତଙ୍କ ଭିଡ଼କୁ ଦେଖି ଦିବାପହୁଡ଼ ବାତିଲ ସହ ଉପରୋକ୍ତ ନୀତି ନିର୍ଘଣ୍ଟର ସୂଚନା ଦିଆଯାଇଥିବା ବେଳେ ସେହି ଦିନର ଠାକୁରଙ୍କ ନୀତି ଉପରେ ସମସ୍ତ ଧାର୍ଯ୍ୟ ସମୟ ନିର୍ଭର ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ରହିଛି ।

wp:embed {"url":"https://www.prameyanews7.com/ms-dhoni-iconic-7-number-jersey-retire-by-bcci-no-team-india-cricketers-can-wear/","type":"wp-embed","providerNameSlug":"prameya-news-7"}
https://www.prameyanews7.com/ms-dhoni-iconic-7-number-jersey-retire-by-bcci-no-team-india-cricketers-can-wear/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.