ବିରାଟ ସୁନା ଖଣି, ଗଚ୍ଛିତ ଅଛି ୩ ହଜାର ଟନ୍ ସୁନା : ଖଣି ତଳେ ୟୁରାନିୟମ୍ ଥିବା ଆଶାରେ ସରକାର

Published By : Prameya-News7 Bureau | February 21, 2020 IST

ସୋନଭଦ୍ର ୨୧।୦୨: ପାହାଡରେ ଦବି ହୋଇ ରହିଛି ସୁନାର ଭଣ୍ଡାର । ଉତ୍ତରପ୍ରଦେଶରେ ଏକ ପାହାଡରେ ସୁନାର ଏକ ବଡ ଭଣ୍ଡାର ଥିବା ଠାବ ହୋଇଛି । ସୋନଭଦ୍ରର ଅଞ୍ଚଳରେ ଏକ ପାହାଡ ୩ହଜାର ଟନ୍‌ ସୁନାର ଭଣ୍ଡାର ମିଳିଛି । ବିଶେଷ ଭାବେ ଏହି ମୂଲ୍ୟବାନ ଖଣିଜ ପଦାର୍ଥ ସୋନଭଦ୍ର ଜିଲ୍ଲାର ପାହାଡ଼ ତଳେ ଚାପି ହୋଇରହିଛି ବୋଲି ବିଶେଷଜ୍ଞ ଟିମ୍ କହିଛନ୍ତି। ଉତ୍ତରପ୍ରଦେଶ ସରକାର ଏହି ସୁନାକୁ ବାହାର କରିପାରିଲେ ପ୍ରାୟ ୧୨ ଲକ୍ଷ କୋଟି ଟଙ୍କା ପାଇପାରିବେ ବୋଲି ଅନୁମାନ କରାଯାଉଛି । ତେବେ ପାହାଡରେ କେବଳ ସୁନା ନୁହେଁ, ବରଂ ୟୁରାନିୟମ ଥିବା ମଧ୍ୟ ଆଶାଙ୍କା କରୁଛନ୍ତି ସରକାର । ଯାହାକୁ ନେଇ ଖୁବଶୀଘ୍ର ମଧ୍ୟ ସର୍ଭେ କରାଯିବ ।

୨୦୦୫ରେ ଏହି ସ୍ଥାନରେ ସର୍ଭେ କରି ସୁନା ଥିବାର ସୂଚନା ଦେଇଥିଲେ ଟିମ୍ । ଏହାପରେ ୨୦୧୨ରେ ଜିଓଲୋଜିକାଲ ଟିମ୍ ସୋନଭଦ୍ର ପାହାଡରେ ସର୍ଭେ କରି ସୁନା ଥିବାର ପୃଷ୍ଟି କରିଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ପାହାଡରୁ ସୁନା ଖନନ କାମ ଆରମ୍ଭ ହୋଇନାହିଁ । ତେବେ ବର୍ତ୍ତମାନ ସମୟରେ ଉତ୍ତରପ୍ରଦେଶ ସରକାର ତତ୍ପରତା ଦେଖାଇ ସୁନା ଖନନ ପାଇଁ ବ୍ଲକ ଆବଣ୍ଟନ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।

ସୋନଭଦ୍ରର କୋନ ଥାନାର ହରଦୀ କ୍ଷେତ୍ରରେ ମହୁଲୀ ଗାଁରେ ଥିବା ପାହାଡରେ ସୁନା ଭଣ୍ଡାର ଥିବାର ପୃଷ୍ଟି ହୋଇଛି । ପାହାଡରେ ପାଖାପାଖି ୩ ହଜାର ଟନ୍‌ ସୁନା ରହିଛି । ସର୍ଭେ ସମୟରେ ସୋନାଞ୍ଚଳ ପାହାଡରେ ସୁନା ସହ ଅନ୍ୟ ମୂଲ୍ୟବାନ ଖଣିଜ ପଦାର୍ଥ ଥିବା ଦାବି ହେଉଛି । ଜିଲ୍ଲାର ଅନେକ ଭୂ-ଭାଗରେ ହେଲିକପ୍ଟର ଦ୍ୱାରା ସର୍ଭେ କରାଯାଇଛି । ଏହି ସର୍ଭେରେ ଦ୍ୱିଚୁମ୍ବକୀୟ ଏବଂ ସ୍ପେକ୍ଟୋମିଟର ଉପକରଣ ପ୍ରୟୋଗ କରାଯାଉଛି । ମାଟିର ଉପରସ୍ତରରୁ ୬୦ରୁ ୮୦ ମିଟର ଉଚ୍ଚରେ ହେଲିକପ୍ଟର ଜରିଆରେ ସର୍ଭେ କାମରେ ନିୟୋଜିତ ହୋଇଥିଲା ।

ତେବେ ସୁନା ବ୍ଲକଟି ନିଲାମ କାର୍ଯ୍ୟ ପାଇଁ ୭ଜଣିଆ ଟିମ୍‌ ଗଠିତ ହୋଇଛି । ଏହି ଟିମ୍‌ ସାରା ଅଞ୍ଚଳରେ ଜିଓ ଟ୍ୟାଙ୍ଗିଗ କରି ୨୨ଫେବୃଆରୀ ୨୦୨୦ରେ ନିଜ ରିପୋର୍ଟ ଦେବ । ଏହାପରେ ନିଲାମ ତାରିଖ ଧାର୍ଯ୍ୟ କରାଯିବ । କିନ୍ତୁ ସେପଟେ ଉତ୍ତରପ୍ରଦେଶ ସରକାର ନିଲାମ ପ୍ରକିୟା ଆରମ୍ଭ କରିସାରିଲେଣି । ପାହାଡକୁ ଖନନ ପାଇଁ ବନ ବିଭାଗ ଅନୁମତି ଦେଇସାରିଥିବା ସୂଚନା ମିଳିଛି । ରାଜସ୍ବ ବିଭାଗ ମଧ୍ୟ କ୍ଲିଅରାନ୍ସ ଦେଇସାରିଛି ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.