ଘେଁସ ରଥଯାତ୍ରାରେ ଘୁଗୁନି ବିକିଲେ ପଦ୍ମଶ୍ରୀ ହଳଧର, ରାଗଚଣା ଷ୍ଟଲ୍‌ରେ ଲାଗିଲା ଲୋକଙ୍କ ଗହଳି

Published By : Prameya-News7 Bureau | July 02, 2022 IST

ବରଗଡ଼, ୦୨/୦୭: କେବେଦିନେ ନିଜେ ପ୍ରସ୍ତୁତ କରି ରାଗଚଣା ବା ଘୁଗୁନି ବିକ୍ରୀ କରି ପେଟପାଟଣା କରୁଥିଲେ । ଯାହାକି ପଦ୍ମଶ୍ରୀ ଭଳି ଜାତୀୟ ସମ୍ମାନ ସହ ପ୍ରସିଦ୍ଧି ପାଇଲା ପରେ ବ୍ୟାଘାତ ପାଇଥିଲେବି ସମ୍ପୂର୍ଣ୍ଣ ଭାବେ ବନ୍ଦ କରିନାହାନ୍ତି । ବରଂ ପିଲାମାନେ ଖୁସି ହେବେ ବୋଲି ଦୁଇଗୁଣ ଉତ୍ସାହ ନେଇ ରଥଯାତ୍ରା ଦିନ ରାଗଚଣା ପ୍ରସ୍ତୁତ କରି ବିକ୍ରି କରିଥାନ୍ତି ପଦ୍ମଶ୍ରୀ ହଳଧର ନାଗ ।

ଚଳିତ ବର୍ଷ ମଧ୍ୟ ତାଙ୍କ ରାଗଚଣା ଷ୍ଟଲ୍‌ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । ପଦ୍ମଶ୍ରୀଙ୍କ ହାତରୁ ରାଗଚଣା ଖାଇବା ପାଇଁ ଠୁଳ ହେଉଥିବା ଶ୍ରଦ୍ଧାଳୁଙ୍କ ଭିଡ଼ ଘେଁସ ରଥଯାତ୍ରାକୁ ଭିନ୍ନ ଏକ ପରିଚୟ ଦେଇଛି । ଗଲା ତିନିବର୍ଷ ଧରି କରୋନା ଯୋଗୁଁ ବିଧି ପାଳନରେ ସୀମିତ ରଥଯାତ୍ରା ଏଥର ଭକ୍ତଙ୍କ ଗହଣରେ ପାଳିତ ହେଉଥିବାରୁ ତିନିବର୍ଷ ପରେ କବିରତ୍ନ ପଦ୍ମଶ୍ରୀ ହଳଧର ପୁଣିଥରେ ଆଜି ତାଙ୍କର ରାଗଚଣା ପସରା ଖୋଲିଥିଲେ ।

ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହୋଇଥିବା ତାଙ୍କର ଷ୍ଟଲରେ ନାହିଁନଥିବା ଭିଡ଼ ପରିଲକ୍ଷିତ ହୋଇଥିବା ବେଳେ ବାଟୋଇ ଓ ପଥଚାରୀମାନେ ଦଣ୍ଡେ ଅଟକି ଚଣାର ସ୍ୱାଦ ନେବାକୁ ଭୁଲିନଥିଲେ ।

ବରଗଡ଼ ପାଇଁ ଜାତୀୟ ସମ୍ମାନ ଆଣିଥିବା ପଦ୍ମଶ୍ରୀ ହଳଧର ନାଗଙ୍କୁ ରାଗଚଣା ବିକ୍ରୀ ବିଷୟରେ ପଚରାଯିବା ପରେ ପୂର୍ବର ଜୀବନ ଜୀବିକା ସହିତ ଅତୀତକୁ ମନେ ରଖିବାରେ କି ଲାଜ ବୋଲି “ପ୍ରମେୟ’କୁ ସୂଚନା ଦେଇଥିଲେ । ପୁରୁଣା ସ୍ମୃତି ରୋମନ୍ଥନ ସହିତ କିଛି ପଇସା ରୋଜଗାର ହେଉଥିବାରୁ ଅନାଥ ପିଲାଙ୍କ କାମରେ ଆସିବ ବୋଲି ଦାବି କରିଥିଲେ ।

ତାଙ୍କର ଚଳଣୀ ପାଇଁ ଓଡ଼ିଶା ସରକାର ତାଙ୍କୁ ମାସିକ ୧୦ ହଜାର ଟଙ୍କା ଦେଉଥିଲେବି ତାକୁ ନିଜେ ଖର୍ଚ୍ଚ ନକରି ନିଜେ ଖୋଲିଥିବା ବନବିଦ୍ୟାଳୟର ଦଳିତ ଅନାଥ ପିଲାଙ୍କ ପଢ଼ା ଏବଂ ବାଗଦେବୀଙ୍କ ମନ୍ଦିର ନିର୍ମାଣରେ ଖର୍ଚ୍ଚ ହେଉଛି ବୋଲି ସ୍ପଷ୍ଟ କରି ପଦ୍ମଶ୍ରୀ ହଳଧର ନାଗ ଅତୀତକୁ ନଭୁଲିବା ପାଇଁ ହିଁ ବର୍ଷକୁ ଦୁଇଦିନ ରଥଯାତ୍ରା ଓ ବାହୁଡ଼ାରେ ଚଣା ବିକ୍ରି କରିଆସୁଛନ୍ତି ଏବଂ ଅନ୍ତିମ ସମୟ ପର୍ଯ୍ୟନ୍ତ ଏହା ଜାରି ରଖିବେ ବୋଲି ପ୍ରତିକ୍ରିୟା ରଖିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.