ଅଶାନ୍ତ ପଦ୍ମକେଶରପୁର ଗାଁ, ପୁରୁଷ ପରେ ଗାଁ ଛାଡ଼ି ପଳାଉଛନ୍ତି ମହିଳା

Published By : Prameya-News7 Bureau | July 09, 2024 IST

ଭୁବନେଶ୍ଵର: ଏବେ ବି ଅଶାନ୍ତ ରାଜଧାନୀ ଉପକଣ୍ଠ ପଦ୍ମକେଶରପୁର ଗାଁ। ପୂର୍ବରୁ ଗାଁ ପୁରୁଷ ଶୂନ୍ୟ ହୋଇଯାଇଥିଲା। ଏବେ ଭୟରେ ମହିଳାମାନେ ଗାଁ ଛାଡି ବାହାରକୁ ପଳାଉଛନ୍ତି। ପୋଲିସ ଆକ୍ସନ ଭୟରେ ପିଲା ଛୁଆଙ୍କୁ ଧରି ମହିଳାମାନେ ଗାଁ ଛାଡୁଛନ୍ତି। ପୋଲିସ କମିଶନର କିନ୍ତୁ କହୁଛନ୍ତି ସବୁ ଠିକ୍ ଠାକ୍ ରହିଛି। ଗାଁରେ ଶାନ୍ତି ଫେରୁଛି। ଏହାରି ଭିତରେ ପଦ୍ମକେଶରପୁର ଗାଁର ବାସ୍ତବ ସ୍ଥିତି ପରଖିଛି ନ୍ୟୁଜ ସେଭେନ ଟିମ୍ । 

ପଦ୍ମକେଶରପୁର ଘଟଣାକୁ ନେଇ ଇଏ ଥିଲା ଟ୍ବିନ୍ ସିଟି ପୋଲିସ କମିଶନରଙ୍କ ପ୍ରତିକ୍ରିୟା। କହିଛନ୍ତି ଗାଁରେ ସବୁ ଠିକ୍ ଠାକ୍ ରହିଛି। ଶାନ୍ତି ଫେରୁଛି। ବାସ୍ତବ ଚିତ୍ର କିନ୍ତୁ କିଛି ଭିନ୍ନ କଥା କହୁଛି। ପଦ୍ମକେଶରପୁରର ଏବେକାର ସ୍ଥିତି ପରଖିଥିଲା ନ୍ୟୁଜ ସେଭେନ ଟିମ୍। ଅଧିକାଂଶ ଘରେ ଝୁଲୁଥିଲା ତାଲା। (ପିଟିସି) ଗାଁ ଭିତରକୁ ପଶିଲା ବେଳକୁ ଅନେକ ମହିଳା ପିଲା ଛୁଆଙ୍କୁ ଧରି ବାହାରକୁ ଚାଲି ଯାଉଥିଲା । ଇଏ ଥିଲା ସେଇ ଦୃଶ୍ୟ। ମୁଣ୍ଡରେ ବ୍ୟାଗ, କାଖରେ ପିଲାଙ୍କୁ ଧରି ତରବର ହୋଇ ପଳାଉଛନ୍ତି। କିଏ ଗାଁରୁ ଖଣ୍ଡେ ଦୂରକୁ ଆସି ଅଟୋରେ ଯାଉଛନ୍ତି ତ କିଏ ଚାଲି ଚାଲି ବ୍ୟାଗ ବସ୍ତାନି ସହ ପିଲା ଛୁଆଙ୍କୁ ଧରି ବାହାରିଛନ୍ତି । ସେମାନଙ୍କ ମନରେ ଭୟ ସ୍ପଷ୍ଟ ବାରି ହୋଇପଡୁଛି। ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଏବଂ ଗିରଫ ଭୟରେ ଏମାନେ ଗାଁ ଛାଡିଥିବା ପ୍ରକାଶ କରିଛନ୍ତି । ଯେଉଁମାନେ ପ୍ରକୃତ ଦୋଷୀ ସେମାନଙ୍କୁ ପୋଲିସ କାହିଁକି ଗିରଫ କରୁନି ବୋଲି ପ୍ରଶ୍ନ କରିଛନ୍ତି ଗାଁ ଛାଡୁଥିବା ମହିଳା। 

Also read: ଆଡ଼ପ ପହଣ୍ଡି ବେଳେ ଖସି ପଡ଼ିଲେ ବଡ଼ ଠାକୁର, ୨ ସେବାୟତ ଆହତ

ଗାଁ ସାରା ପୋଲିସ ଛାଉଣୀ। ପୂର୍ବରୁ ପୁରୁଷ ଶୁନ୍ୟ ରହିଥିବା ବେଳେ ଏବେ ମହିଳା ଶୂନ୍ୟ ହୋଇଛି ପଦ୍ମକେଶରପୁର ଗାଁ। ପୋଲିସ ଆକ୍ସନ ଭୟରେ ସାରା ଗାଁ ଏବେ ଖାଁ ଖାଁ।  ଏହାରି ଭିତର ଗାଁର ଗୋଟିଏ ଗଳିରେ ଦେଖିବାକୁ ମିଳିଥିଲା ଅଭାବନୀୟ ଦୃଶ୍ୟ । ଜଣେ ବୟସ୍କ ମହିଳା କାନ୍ଦି କାନ୍ଦି ତାଙ୍କ ଦୁଃଖ ବଖାଣିଥିଲେ ନ୍ୟୁଜ ସେଭେନ ଟିମ୍ ଆଗରେ। (ପିଟିସି) ଘର ଆଗରେ ପଡିଥିଲା ଏକ ଅଫୁଟା ବୋମା ସହ ଭଙ୍ଗା କାଚ ବୋତଲ। ଘର କବାଟ ଭଙ୍ଗିଯାଇଥିଲା । ନାତିପାଇଁ କିଣିଥିବା ନୂଆ ବାଇକକୁ ଦୁର୍ବୃତ୍ତ ମାନେ ଭାଙ୍ଗି ରୁଜି ଚୁରମାର କରିଦେଇଥିଲେ। ଘର ଭିତରେ ଗ୍ୟସଚୁଲାଠୁ ଆରମ୍ଭ କରି ଅନ୍ୟ ଆସବାସପତ୍ର ଭାଙ୍ଗି ରୁଜି ପଡିଥିଲା  । ଏବେବି ସେଦିନର ପଖାଳ ବେଲା ସେମିତି ବଢାହୋଇ ଥୁଆ ହୋଇଥିଲା।  

ଗତ ୬ ତାରିଖ ରାତିରେ ସୁଧ କାରବାରକୁ କେନ୍ଦ୍ର କରି ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା । ବୋମାମାଡ଼ ସହ ସହ କାଚ ବୋତଲ ଓ ଢ଼େଲା ମାଡ଼ ହୋଇଥିଲା । ଆଉ ଏବେ ପୂରା ଗାଁ ପାଲଟିଛି ପୋଲିସ ଛାଉଣୀ । ୨ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ୩ ଜଣ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି । ଖୁବଶୀଘ୍ର ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ କମିଶନର କହିଛନ୍ତି । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.