ସୁନା ଝିଅ ପଦ୍ମିନୀ : ଓଡିଶାର ଗ୍ରାଣ୍ଡମାଷ୍ଟର୍ ଚେସ୍ ରାଣୀଙ୍କ ଆଜି ଜନ୍ମଦିନ, ଇଣ୍ଟରନ୍ୟାସନାଲ୍ ମାଷ୍ଟର୍ ଟାଇଟଲ୍ ସହ ଜିତିଛନ୍ତି ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର

Published By : Prameya-News7 Bureau | January 05, 2021 IST

ଭୁବନେଶ୍ୱର,୦୫/୦୧:  ଓଡିଆ ଝିଅ ପଦ୍ନିନୀ ରାଉତ । ସାରା ବିଶ୍ୱରେ ଚେସ୍ ଖେଳରେ ସୁନାମ ଅର୍ଜନ କରିଥିବା ଓଡିଆ ଝିଅ ପଦ୍ନିନୀଙ୍କୁ କିଏ ବା ନଜାଣେ । ଦେଶ ତଥା ରାଜ୍ୟ ପାଇଁ ସେ ଅନେକ କୃତିତ୍ୱ ହାସଲ କରିଛନ୍ତି । ଆଜି ହେଉଛି ତାଙ୍କର ଜନ୍ମଦିନ ।

ପଦ୍ମିନୀ ୧୯୯୪ ମସିହା ଜାନୁଆରୀ ମାସ ୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । କଟକ ଜିଲ୍ଲାର ବଡମ୍ବାରେ ତାଙ୍କର ଜନ୍ମ । ପିତା ଡାକ୍ତର ଅଶୋକ କୁମାର ରାଉତ ଓ ମାଆ ସସ୍ମିତା ଧଳଙ୍କ ଓୌରସରୁ ସେ ଜନ୍ମ ହୋଇଥିଲେ । ସେ ମାତ୍ର ୯ ବର୍ଷ ବୟସରୁ ଚେସ୍ ଖେଳିବା ଆରମ୍ଭ କରିଥିଲେ ।  ପିତାଙ୍କ ଇଚ୍ଛା ଥିଲା ଝିଅ ଚେସ୍ ଖେଳରେ ସୁନାମ କରୁ । ଝିଅ ପଦ୍ମିନୀ ମଧ୍ୟ ବାପାଙ୍କ ଇଚ୍ଛାକୁ ପୂରଣ କରିଥିଲେ ।  ପ୍ରଥମେ ଡିଏଭି ସ୍କୁଲ ଚନ୍ଦ୍ରଶେଖରପୁରରୁ ସ୍କୁଲ ଶିକ୍ଷା ସମାପ୍ତ ପରେ ସେ ବିଜେବି କଲେଜରେ ବାଣିଜ୍ୟରୁ ସ୍ନାତକ ଶିକ୍ଷା ସମାପ୍ତ କରିଥିଲେ ।

ସେ ଇଣ୍ଟରନ୍ୟାସନାଲ୍ ମାଷ୍ଟର୍ସ ଓ ମହିଳା ଗ୍ରାଣ୍ଡମାଷ୍ଟର୍ ଟାଇଟଲ୍ ହାସଲ କରିଛନ୍ତି । ଏହାବ୍ୟତୀତ ୪ ଥର ଜାତୀୟ ମହିଳା ପ୍ରିମିୟର ଟାଇଟଲ୍ ମଧ୍ୟ ତାଙ୍କ ନାମରେ ରହିଛି । ୨୦୧୪ରୁ ୨୦୧୭ ଯାଏଁ ସେ ଲଗାତର ଭାବେ ଏହି ଟାଇଟଲ୍ ଉପରେ କବଜା କରିଥିଲେ । ଏହାସହ ୨୦୧୮ରେ ଏସିଆନ ମହିଳା ଚାମ୍ପିଅନ ହୋଇଥିଲେ । ସେହିପରି ୨୦୦୭ରେ ବିଜୁ ପଟ୍ଟନାୟକ ରାଜ୍ୟ ଖେଳ ପୁରସ୍କାର ଓ ୨୦୦୯ରେ ଏକଲବ୍ୟ ପୁରସ୍କାର ମଧ୍ୟ ପଦ୍ମିନୀ ହାସଲ କରିଛନ୍ତି ।

୨୦୦୫ରେ ପଦ୍ମିନୀ ପ୍ରଥମ ଜାତୀୟ ପୁରସ୍କାର ଲାଭ କରିଥିଲେ । ଅଣ୍ଡର-୧୧ ବର୍ଗରେ  ସେ ଏହି କୃତିତ୍ତ୍ୱ ହାସଲ କରିଥିଲେ । ସେହିପରି ପଦ୍ମିନୀ ଆହୁରି ଅନେକ ଜାତୀୟ ତଥା ଅନ୍ତର୍ଜାତୀୟ ଟାଇଟଲ୍ ହାସଲ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.