ପଦ୍ମପୁର ଉପନିର୍ବାଚନ: ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଭିତରେ ଇଭିଏମ, ବାହାରେ ଜଗି ରହିଛନ୍ତି ପ୍ରାର୍ଥୀଙ୍କ ଏଜେଣ୍ଟ, ଚାଲିଛି ଅଙ୍କ କଷା
6/12/2022 at 7:15 PM

ଭୁବନେଶ୍ଵର: ପଦ୍ମପୁର ଉପ ନିର୍ବାଚନର ଭୋଟ ଗ୍ରହଣ ସରିବା ପରେ ଏବେ ଇଭିଏମରେ ଲକ୍ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ । ସମସ୍ତ ଇଭିଏମକୁ ପଦ୍ମପୁର ସ୍ଥିତ ଆରଏମସି ହଲରେ ଷ୍ଟ୍ରଙ୍ଗ ରୁମ କରି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଭିତରେ ରଖା ଯାଇଛି । ଇଭିଏମଗୁଡ଼ିକୁ ସିସିଟିଭି ନଜରରେ ରଖାଯାଇଥିବା ବେଳେ ଏହାକୁ ବାହାରେ ଜଗି ରହିଛନ୍ତି ପ୍ରାର୍ଥୀଙ୍କ ଏଜେଣ୍ଟ ମାନେ। ସେପଟେ କିଏ କେଉଁ ଦଳ କେତେ ଭୋଟ ପାଇବ କାହାର ଜିତାପଟ ହେବ ତାକୁ ନେଇ ଚାଲିଛି ଅଙ୍କ କଷା ।
କନଷ୍ଟିଚ୍ୟୁଏନସି ନମ୍ବର ୱାନରେ କିଏ ହେବ ନମ୍ବର ୱାନ। ପଦ୍ମପୁରରେ କାହାର ହେବ ବାଜିମାତ। କାଲି ଭୋଟ ପରେ ଆଜି ବୁଥୱାରି ଚାଲିଛି ଅଙ୍କ କଷା । କେଉଁ ବ୍ଲକରୁ କେଉଁ ପଞ୍ଚାୟତରୁ କେଉଁ ବୁଥରୁ କାହାକୁ କେତେ ମିଳିଥିବ ଚାଲିଛି ଆକଳନ। ସବୁ ରେକର୍ଡ ଭାଙ୍ଗି ୮୧.୨୯ ପ୍ରତିଶତ ଭୋଟ ହୋଇଛି। ତେବେ ବିପୁଳ ଭୋଟିଂର ଫାଇଦା କାହାକୁ ମିଳିବ ତାକୁ ନେଇ ନାନା କଳ୍ପନାଜଳ୍ପନା ଚାଲିଛି। ପଦ୍ମପୁର ସିଟ ବିଜେଡି ହାତରେ ଥିଲା । ଉପନିର୍ବାଚନରେ ପୁଣି ସିଟ୍ ହାତେଇବ ବୋଲି ବିଜେଡି ଦୃଢ଼ ସ୍ବରରେ କହୁଛି। ବିଜେଡି କହିଛି ୨୦୧୯ରେ ୫ ହଜାରରୁ ଅଧିକ ଭୋଟ ବିଜୟ ମାର୍ଜିନ ଥିଲା । ଏଥର ତାହା ବହୁଗୁଣିତ ହେବ। ବିଜେପି ମଧ୍ୟ ଜିତାପଟ ନେଇ ଅଙ୍କ କଷିଛି । ମତଦାନ ହାର ବଢିବା ବିଜେପିକୁ ସୁହାଇବ ବୋଲି ଯୁକ୍ତି ବାଢିଛି ଦଳ । ଧାମନଗର ପରି ପଦ୍ମପୁର ପାଇଁ କଂଗ୍ରେସ ଆଗୁଆ ଜଣାଇ ଦେଇଛି ଯେ ତିନି ନମ୍ବରରେ ରହିବ ।
ଭୋଟର ତ ଭୋଟ ଦେଇସାରିଛନ୍ତି ଏବେ ଇଭିଏମ ଜଣାଇବ ଉତ୍ତର। ଇଭିଏମସବୁ ଆଇଏମସି ଗୋଡାଉନ ଷ୍ଟ୍ରଙ୍ଗରୁମ ରହିଛି ଇଭିଏମସବୁ । ଷ୍ଟ୍ରଙ୍ଗରୁମ ଉପରେ ସମସ୍ତଙ୍କ ନଜର ରହିଛି । ତ୍ରିସ୍ତରିୟ ସୁରକ୍ଷା ବ୍ୟବସ୍ଥା ଭିତରେ ଇଭିଏମ ରଖା ଯାଇଛି। ଏସଓଜି, ସିଆରପିଏଫ ଓ ଓଡିଶା ପୋଲିସ ୨୪ ଘଣ୍ଟା ପହରା ଦେଉଛନ୍ତି। ସୁରକ୍ଷା ବ୍ୟବସ୍ଥାକୁ ସର୍ବ ସାଧାରଣରେ ଜାଣିବା ପାଇଁ ଭିତରେ ସିସି ଟିଭି ଲଗାଯିବା ସହ ବାହାରେ ଏଲଇଡି ମାଧ୍ୟମରେ ଡିସପ୍ଲେ କରା ଯାଉଛି, ଯାହାକୁ ପ୍ରାର୍ଥୀଙ୍କ ଏଜେଣ୍ଟମାନେ ସହ ଜଗି ବସିଛନ୍ତି।
୮ତାରିଖ ସକାଳ ୮ଟାରୁ ଆରମ୍ଭ ହେବ ଭୋଟ ଗଣତି । ପ୍ରଥମେ ପୋଷ୍ଟାଲ ବ୍ୟାଲାଟ ଗଣତି ହେବ । ଏହାର ଅଧଘଣ୍ଟା ପରେ ଅର୍ଥାତ ସାଢେ ୮ଟାରୁ ଇଭିଏମ ଭୋଟ ଗଣତି ହେବ । ଗୋଟିଏ ରାଉଣ୍ଡରେ ୧୪ଟି ବୁଥର ଭୋଟ ଗଣତି ହେବ । ସମୁଦାୟ ୩୧୯ ଟି ବୁଥର ଭୋଟ ଗଣତି ୨୩ଟି ରାଉଣ୍ଡରେ ଶେଷ ହେବ । କାହା ଅଙ୍କ ଆଉ ଆକଳନ ସଠିକ ହେଉଛି ଆଉ କାହାକୁ ପଦ୍ମପୁର ଭୋଟର ଆଶୀର୍ବାଦ କରୁଛନ୍ତି ତାହା ୮ ତାରିଖ ଦିନ ଇଭିଏମ ଖୋଲିବା ପରେ ଜଣା ପଡିବ ।