ପଦ୍ମପୁର ୦୫/୧୨: ଶାନ୍ତି ଶୃଙ୍ଖଳା ସହିତ ସରିଲା ପଦ୍ମପୁର ଉପନିର୍ବାଚନ। ପ୍ରାର୍ଥୀମାନେ ତାଙ୍କ ବୁଥରେ ଭୋଟ ଦେଇଥିବାବେଳେ ଦିବ୍ଯାଙ୍ଗ, ବୟସ୍କ ପାଇଁ ସ୍ବତନ୍ତ୍ର ବ୍ଯବସ୍ଥା କରାଯାଇଥିଲା। ୩୧୯ଟି ବୁଥରେ ମତଦାନ ହୋଇଥିବାବେଳେ ୪ଟି ବୁଥରେ ଇଭିଏମ ଅଚଳ ହେବାରୁ ସଙ୍ଗେସଙ୍ଗେ ପରିବର୍ତ୍ତନ କରାଯାଇଥିଲା। ସେପଟେ ଭୋଟ ଦେବାକୁ ପଦ୍ମପୁରାସୀଙ୍କୁ ମୁଖ୍ଯମନ୍ତ୍ରୀ ଅପିଲ କରିଥିବାବେଳେ ନୂଆ ଭୋଟର ମଧ୍ଯ ଭୋଟ ଦେଇ ଆଙ୍ଗୁଠି ସଙ୍କେତ ସଶକ୍ତ ଗଣତନ୍ତ୍ରର ବାର୍ତ୍ତା ଦେଇଛନ୍ତି।
ଶୁକ୍ରବାର ଉପନିର୍ବାଚନ ପାଇଁ ପଦ୍ମପୁରରେ ସକାଳ ୭ଟାରୁ ଭୋଟଦାନ ଆରମ୍ଭ ହୋଇ ଅପରାହ୍ଣ ୫:୩୦ ପର୍ଯ୍ଯନ୍ତ ଚାଲିଥିଲା। ତେବେ କିଛି ଜାଗାରେ ଅଧିକ ଭୋଟର ଥିବାବେଳେ ୫ଟା ପର୍ଯ୍ଯନ୍ତ ମତଦାନର ସୁଯୋଗ ମିଳିଥିଲା। ପ୍ରଥମେ ସକାଳ ୯ଟା ସୁଦ୍ଧା ୮.୫ ପ୍ରତିଶତ, ୧୧ଟା ସୁଦ୍ଧା ୨୯.୭୫, ୧ଟା ସୁଦ୍ଧା ୪୬.୯୬ ପ୍ରତିଶତ ମତଦାନ ହୋଇଥିଲା। ସକାଳେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ରାଜାପଡ଼ା ସ୍କୁଲରେଥିବା ୨୧୩ ନମ୍ବର ବୁଥରେ ଯାଇ ମତଦାନ କରି ସମସ୍ତଙ୍କୁ ଭୋଟ ଦେବା ପାଇଁ ଅପିଲ କରିଥିଲେ। ସେହିପରି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ବୁଥରେ ମତଦାନ କରିଥିବାବେଳେ କଂଗ୍ରେସ ପ୍ରାର୍ଥୀ ସତ୍ଯଭୂଷଣ ସାହୁ ବୁଥରେ ମତଦାନ କରିବା ସହ ଭୋଟରଙ୍କୁ ଭୋଟ ଦେବା ପାଇଁ ଅପିଲ କରିଥିଲେ। ସେହିପରି ମୁଖ୍ଯମନ୍ତ୍ରୀ ମଧ୍ଯ ଭୋଟରଙ୍କୁ ଭୋଟ ଦେବା ପାଇଁ ଅପିଲ କରି ମୌଳିକ ଅଧିକାର ସାବ୍ଯସ୍ତ କରିବା ପାଇଁ କହିଛନ୍ତି।
ତେବେ ଭିନ୍ନକ୍ଷମ ତଥା ବୟସ୍କ ଭୋଟରଙ୍କ ପାଇଁ ୬୨୮ ଜଣ ସ୍ବେଚ୍ଛାସେବୀଙ୍କୁ ଦାୟିତ୍ବରେ ଥିବାବେଳେ ୩ଟି ବ୍ଲକରେ ପର୍ଯ୍ଯାୟକ୍ରମେ ୨୯, ୩୦ ଓ ୨୧ଟି ଗାଡ଼ିର ବ୍ଯବସ୍ଥା ହୋଇଥିଲା । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସକାଶେ ୬ଟି ପିଙ୍କ୍ ବୁଥ ଓ ୧୫ଟି ମଡେଲ ବୁଥ କରାଯାଇଥିଲା। ତେବେ ୩୧୯ଟି ବୁଥ ମଧ୍ଯରୁ ୧୨୦ଟି ବୁଥରେ ୱେବ କାଷ୍ଟିଂ ଓ ୬୬ଟି ବୁଥରେ ସିସିଟିଭି କ୍ୟାମେରା ଲଗାଇ ନିରିକ୍ଷଣ କରାଯାଇଛି। ସେହିଭଳି ସୁରକ୍ଷା ଦୃଷ୍ଟିରୁ ପୋଲିସ ପକ୍ଷରୁ ୫୨ଟି ସମ୍ବେଦନଶୀଳ ଓ ୭୪ଟି ଅତି ସମ୍ବେଦନଶୀଳ ବୁଥ ରହିଛି। ଯାହାପାଇଁ ଅର୍ଦ୍ଧ ସାମରୀକ ବାହିନି ଓ କେନ୍ଦ୍ରିୟ ଫୋର୍ସ ମୁତୟନ କରାଯାଇଛି। ସୀମାନ୍ତବର୍ତ୍ତି ୯ଟି ଜାଗାରେ ଚେକପୋଷ୍ଟ କରିବା ସହ ବେନିୟମ ଅନୁପ୍ରବେଶ ରୋକିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।