ପଦ୍ମଶ୍ରୀ ଡି.ପ୍ରକାଶ ରାଓ ଅସୁସ୍ଥ : ଏସ୍‌ସିବି ଆଇସିୟୁରେ ଚିକିତ୍ସିତ, ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | July 17, 2019 IST

କଟକ ୧୭|୭: ବିଶିଷ୍ଟ ସମାଜସେବୀ ତଥା ପଦ୍ମଶ୍ରୀ ଡି. ପ୍ରକାଶ ରାଓ ଅସୁସ୍ଥ । ଅସୁସ୍ଥତା ଯୋଗୁଁ ତାଙ୍କୁ କଟକ ବଡ ମେଡିକାଲ ଆଇସିୟୁରେ ଭର୍ତ୍ତି କରାଯାଛନ୍ତି । ପ୍ରକାଶ ରାଓ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଅନୁଗୁଳକୁ ଯାଇଥିବା ସମୟରେ ସେଠାରେ ହଠାତ୍‌ ଅସୁସ୍ଥ ହୋଇପଡିଥିଲେ । ସେଠାରୁ ତାଙ୍କୁ ଏସସିବି ଡାକ୍ତରଖାନାକୁ ଅଣାଯାଇ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଏସସିବି ଆଶୁଚିକିତ୍ସା କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ସମୟରେ ସିଟି ସ୍କାନ୍‌ ଆଦି ପରୀକ୍ଷା ନିରୀକ୍ଷାରୁ ପ୍ରକାଶ ରାଓଙ୍କର ମସ୍ତିଷ୍କ ଆଘାତ (ବ୍ରେନ୍‌ ଷ୍ଟ୍ରୋକ୍‌) ହୋଇଥିବା ଜଣାପଡିଛି । ଜରୁରୀ ଚିକିତ୍ସାକୁ ଦୃଷ୍ଟିରେ ରଖି ପ୍ରକାଶ ରାଓଙ୍କୁ ମେଡିସିନ ବିଭାଗର ଆଇସିୟୁରେ ଭର୍ତ୍ତି କରାଯାଇଛି । ପ୍ରଫେସର ବିରଞ୍ଚି ନାରାୟଣ ମହାପାତ୍ରଙ୍କ ନେତୃତ୍ବରେ ଡାକ୍ତରୀ ଟିମ୍‌ ଏବେ ତାଙ୍କୁ ଚିକିତ୍ସା କରୁଥିବା ସୂଚନା ମିଳିଛି । ପଦ୍ମଶ୍ରୀ ପ୍ରକାଶ ରାଓଙ୍କର ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା ଡାକ୍ତରଖାନା ଅଧୀକ୍ଷକ ପ୍ରଫେସର ସି.ବି.କେ ମହାନ୍ତି କହିଛନ୍ତି ।

ଅସୁସ୍ଥ ଥିବା ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏସସିବିରେ ଚିକିତ୍ସିତ ହେଉଥିବା ପ୍ରକାଶ ରାଓଙ୍କୁ ସମସ୍ତ ଚିକିତ୍ସା ମାଗଣାରେ ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ତାଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖିବାକୁ ଜିଲ୍ଲାପାଳ ଓ ଏସସିବି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ସୂଚନାଯୋଗ୍ୟ, କଟକ ବକ୍ସିବଜାର ଅଞ୍ଚଳରେ ରହୁଥିବା ଡି. ପ୍ରକାଶ ରାଓଙ୍କର ସମାଜସେବା କ୍ଷେତ୍ରରେ ବହୁ ଖ୍ୟାତି ରହିଛି । ସ୍ଥାନୀୟ ଅଞ୍ଚଳରେ ତାଙ୍କର ଏକ ଚା’ ଦୋକାନ ରହିଛି । ଚା’ ବିକ୍ରି କରି ପ୍ରକାଶ ରାଓ ନିଜ ଘରେ ଏକ ଶିକ୍ଷାନୁଷ୍ଠାନ ଖୋଲି ବସ୍ତିବାସିନ୍ଦାଙ୍କ ଗରିବ ପିଲାମାନଙ୍କୁ ମାଗଣାରେ ଶିକ୍ଷାଦାନ କରୁଛନ୍ତି । ସେହିପରି ରକ୍ତଦାତା ଭାବେ ମଧ୍ୟ ସେ ବିଶେଷ ରେକର୍ଡ ସୃଷ୍ଟି କରିଛନ୍ତି । ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତବର୍ଷ କଟକ ଗସ୍ତ ଅବସରରେ ତାଙ୍କୁ ସାକ୍ଷାତ କରିଥିଲେ । ପଦ୍ମଶ୍ରୀ ସମ୍ମାନରେ ତାଙ୍କୁ ସମ୍ମାନିତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.