ଗାନ୍ଧୀବାଦୀ ସମାଜସେବୀ ତଥା SEWA ସଂସ୍ଥାପକ ପଦ୍ମଭୂଷଣ ଇଲା ଭଟ୍ଟଙ୍କ ପରଲୋକ

Published By : Prameya-News7 Bureau | November 02, 2022 IST

ଅହମଦାବାଦ: ସମାଜସେବୀ ତଥା SEWA ସଂସ୍ଥାପକ ପଦ୍ମ ଭୂଷଣ ଇଲା ଭଟ୍ଟଙ୍କ ପରଲୋକ ହୋଇଛି। ବୁଧବାର ଅହମଦାବାଦରେ ୮୯ ବର୍ଷ ବୟସରେ ଶେଷ ନିସ୍ୱାସ ତ୍ୟାଗ କରିଛନ୍ତି ଇଲା ଭଟ୍ଟ। ଗାନ୍ଧୀବାଦୀ ସମାଜସେବୀ ଇଲା ଭଟ୍ଟ ମହିଳାଙ୍କୁ ସ୍ୱାବଲମ୍ବି ଓ ଆର୍ଥିକ ସ୍ୱଚ୍ଛଳ କରିବା ଦିଗରେ ଅନେକ କାର୍ଯ୍ୟ କରିଛନ୍ତି। ଇଲା ଭାରତର ପ୍ରଥମ ମହିଳା ବ୍ୟାଙ୍କ କୋଅପରେଟିଭ୍ ବ୍ୟାଙ୍କ ଅଫ୍ ସେୱା ୧୯୭୩ରେ ପ୍ରତିଷ୍ଠା କରିଥିଲେ। ତା ସହିତ ୧୯୭୯ରେ ସେ ଓମେନ୍ସ ୱର୍ଲ୍ଡ ବ୍ୟାଙ୍କିଙ୍ଗର ସହସଂସ୍ଥାପକ ଥିଲେ ।

ଇଲାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ବହୁ ବରିଷ୍ଠ ନେତା। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି “ପ୍ରଖ୍ୟାତ ଗାନ୍ଧୀବାଦୀ ନେତ୍ରୀ ଓ ସେୱା ସଂସ୍ଥାପକ ଇଲା ଭଟ୍ଟ ଜୀଙ୍କର ବିୟୋଗରେ ଦୁଃଖିତ। ଏହି ପଦ୍ମ ଭୂଷଣ ବିଜେତା ମହିଳା ଅଧିକାର ଲଢ଼େଇର ସୂତ୍ରଧର। ତୃଣମୂଳ ସ୍ତରରେ ଉଦ୍ୟୋଗ ମାଧ୍ୟମରେ ମହିଳାଙ୍କୁ ସଶକ୍ତ କରିବାରେ ସେ ତାଙ୍କର ପୂରା ଜୀବନ ଉତ୍ସର୍ଗ କରିଦେଇଥିଲେ। ତାଙ୍କର ଅତୁଳନୀୟ ଅବଦାନ ସବୁବେଳେ ମନେ ରହିବ। ”

ମହିଳାଙ୍କୁ ସଶକ୍ତ କରିବା ଦିଗରେ ଜୀବନ ବ୍ୟାପୀ ସାଧନା ଯୋଗୁ ଇଲାଙ୍କୁ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ମିଳିଛି। ୧୯୮୫ରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ଦେଇଥିବା ବେଳେ ୧୯୮୬ରେ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ। ଉଦ୍ୟୋଗ ମାଧ୍ୟମରେ ମହିଳାଙ୍କୁ ସଶକ୍ତ କରିବା ପାଇଁ ଚେଷ୍ଟା କରିଥିବାରୁ ୨୦୧୧ରେ ତାଙ୍କୁ ଗାନ୍ଧୀ ପିସ୍ ପ୍ରାଇଜ୍‌ ଦିଆଯାଇଥିଲା କମ୍ୟୁନିଟି ଲିଡର୍ସିପ୍‌ ପାଇଁ ୧୯୭୭ରେ ଇଲାଙ୍କୁ ରମଣ ମେଗାସେସ ପୁରସ୍କାରରେ ସମ୍ମାନିତ କରାଯାଇଛି।   

ଇଲାଙ୍କ ପୁରସ୍କାର ତାଲିକା ଖୁବ୍ ଲମ୍ବା। ୧୯୮୬ରେ ରାଇଟ୍‌ ଲାଇଭ୍ଲିହୁଡ୍ ଆୱାର୍ଡ,ଗ୍ଲୋବାଲ ଫେୟାରନେସ୍ ଆୱାର୍ଡ, ରେଡକ୍ଲିଫ୍ ମେଡାଲ ଆଦି ରହିଛି। ଇଲା ୧୯୫୬ ମସିହାରେ ରମେଶ ଭଟ୍ଟଙ୍କୁ ବିବାହ କରିଥିଲେ। ଦୁଇ ପିଲା ଅମିମୟୀ ଓ ମିହିରଙ୍କ ସହିତ ଇଲା ଅହମଦାବାଦରେ ରହୁଥିଲେ।

ବରିଷ୍ଠ ନାଗରିକଙ୍କ ହିତରେ କାମ କରିଥିବା ଅନ୍ତର୍ଜାତୀୟ ସଂସ୍ଥା ‘ଦି ଏଲ୍ଡର୍ସ’ ପାଇଁ ମଧ୍ୟ କାମ କରିଥିଲେ ଇଲା। ଶାନ୍ତି ପାଇଁ ଉଦ୍ୟମ କରିଥିବା ସମାଜସେବୀ ଓ ସମାଜସେବୀ ନ୍ୟାଲସନ ମାଣ୍ଡେଲାଙ୍କ ଉଦ୍ୟମରେ ୨୦୦୭ରେ ‘ଦି ଏଲ୍ଡର୍ସ’ର ପ୍ରତିଷ୍ଠା ହୋଇଥିଲା। ଇଲା ଏହାର ସଂସ୍ଥାପକ ସଦସ୍ୟ ଥିଲେ। ୨୦୦୭ରୁ ୨୦୧୬ ପର୍ଯ୍ୟନ୍ତ ସେ ଏହି ସଂସ୍ଥା ପାଇଁ କାର୍ଯ୍ୟ କରିଥିଲେ। ଏହି ସଂସ୍ଥା ସହିତ ମିଶି ଇଲା ଲିଙ୍ଗଗତ ଭେଦଭାବ ଓ ସାମାଜିକ କୁପ୍ରଥା ବିରୋଧରେ କାର୍ଯ୍ୟ କରିଥିଲେ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.