ରାସ୍ତାରେ ଚାଷୀ – ମଣ୍ଡିରେ ଭିଜୁଛି ଧାନ
25/02/2020 at 9:05 PM

ଭୁବନେଶ୍ୱର ୨୫।୦୨ – ଧାନ କିଣାରେ ବିଳମ୍ବ, ଚାଷୀଙ୍କୁ ଟୋକନ୍ ନମିଳିବା , ରାଜ୍ୟର ପଶ୍ଟିମ ଓଡିଶା ଠାରୁ ଆରମ୍ଭ କରି ଉପକୂଳ ଓଡିଶାର ବିଭିନ୍ନ ମଣ୍ଡିରେ ବର୍ଷା ଯୋଗୁଁ ଧାନ ଭିଜିବା ପ୍ରସଙ୍ଗକୁ ନେଇ ଆଜି ଗୃହରେ ବିରୋଧୀଙ୍କ ହଟ୍ଟହୋଳ । ଗୃହ ବାରମ୍ବାର ମୁତତବୀ ସହ ପ୍ରଶ୍ନକାଳ ବିଲକୁଲ୍ ଚାଲି ପାରିନଥିଲା । ପରେ ଏହି ପ୍ରସଙ୍ଗରେ ବାଚସ୍ପତି ରୁଲିଂ ଦେଇଛନ୍ତି ଯେ ମନ୍ତ୍ରୀ ସବୁ ଜିଲ୍ଲା ଭିତ୍ତିରେ ବିଧାୟକଙ୍କ ସହ ଆଲୋଚନା କରନ୍ତୁ । ୩୧ ମାର୍ଚ୍ଚ ସୁଧା ସବୁ ଚାଷୀଙ୍କୁ ଟୋକନ ମିଳିବ ଓ ସମସ୍ତଙ୍କ ଧାନ କିଣାଯିବ ବୋଲି ସମୟ ଧାର୍ଯ୍ୟ ହୋଇଛି । …

ରାସ୍ତାରେ ଚାଷୀ । ମଣ୍ଡିରେ ଭିଜୁଛି ଧାନ।ବିଧାନସଭାରେ ବିରୋଧୀ ସରକାରଙ୍କୁ ଘେରିଛନ୍ତି। ମଣ୍ଡିରେ ଖୋଲା ମେଲାରେ ପଡିଥିବା ଧାନକୁ ବର୍ଷା ଦାଉରୁ ରକ୍ଷା କରିବାକୁ ବର୍ଷା ପବନ ମାଡ ଖାଇ ଜଗି ବସିଛନ୍ତି ଚାଷୀ । ଏପଟେ ବିଧାନସଭାରେ ଧାନ କିଣାକୁ ନେଇ ଦୁଇ ଦିନ ହେଲା ଥମୁନି ତାତି । ସରକାରଙ୍କ ଧାନ କିଣାର ଅବ୍ୟବସ୍ଥାକୁ ନେଇ ଏମିତି କମ୍ପୁଛି ରାଜରାସ୍ତା ରୁ ବିଧାନସଭା ।

ଶହ ଶହ କୁଇଣ୍ଟାଲ ଧାନ ମଣ୍ଡିରେ ଭିଜୁଛି । ବ୍ଲକ ଏବଂ ତହସିଲ ସାମ୍ନାରେ ଧାରଣାରେ ବସିଛନ୍ତି । ବୌଦ୍ଧ ବ୍ଲକର ବଘିଆପଡ଼ା, ମୁଣ୍ଡିପଦର, ରକ୍ସା, ବହିରା ତଥା କଣ୍ଟାମାଳ ବ୍ଲକର ଶିମିଳିପଦର, ସୁଣ୍ଡିପଦର, ବରଗୋଛକ୍ଷ ଲମ୍ବସରି ଆଦି ମଣ୍ଡିରେ ଧାନ ଭିଜି ନଷ୍ଟ ହେବାକୁ ବସିଲାଣି। କେବଳ ପଶ୍ଚିମ ଓଡିଶା ନୁହେଁ ଉପକୂଳ ଓଡିଶାରେ ବି ଧାନ କିଣାକୁ ନେଇ ସମାନ ସ୍ଥିତି ।

କେନ୍ଦ୍ରାପଡା ବ୍ଲକ୍ ଆୟବା ପ୍ରାଥମିକ ସେବା ସମବାୟ ସମିତିର ଚିତ୍ର। ସେହିପରି ବାଙ୍କୀରେ ମଧ୍ୟ ସମାନ ଚିତ୍ର ଏଣେ ଧାନ ମଣ୍ଡିରେ ଭିଜୁଛି କିନ୍ତୁ ନା ଧାନ କିଣା ସରୁଛି ନା ଟେନସନ ଯାଉଛି।

ସେପଟେ ବିଧାନ ସଭାରେ ଏସବୁ ପ୍ରସଙ୍ଗକୁ ନେଇ ହଙ୍ଗାମା ହୋଇଛି । ମାସ ମାସ ଧରି ମଣ୍ଡିରେ ଧାନ ପଡିଥିବାରୁ ଏ ପ୍ରସଙ୍ଗ ଉଠାଇ ସରକାରଙ୍କ ହସ୍ତକ୍ଷେପ ଲୋଡିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ବିରୋଧୀ ସଦସ୍ୟ ମାନେ ପ୍ଲାକାର୍ଡ ଧରି ନାରାବାଜି କରିଥିଲେ । ପଳରେ ପ୍ରଶ୍ନକାଳ ଚାଲିପାରିନଥିଲା ସେପଟେ ବିଜେଡି କହିଛି ସରକାର ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି । ହେଲେ ବିରୋଧୀ ଆଲୋଚନାକୁ ଆସୁ ନାହାନ୍ତି ।

ଧାନ କିଣା ପ୍ରସଙ୍ଗକୁ ନେଇ ଗତ କାଲି ବିଧାନସଭା ମଧ୍ୟ ଏକ ପ୍ରକାର ଅଚଳ ହୋଇଯାଇଥିଲା । ୧୬ ଥର ମୁଲତବୀ ହୋଇଥିଲା ବିଧାନସଭା । ଆଜି ମଧ୍ୟ ସମାନ ସ୍ଥିତି ଥିଲା । ପରେ ବାଚସ୍ପତି ରୁଲିଂ ଦେଇଛନ୍ତି ଯେ ମନ୍ତ୍ରୀ ସବୁ ଜିଲ୍ଲା ଭିତ୍ତିରେ ଭିଧାୟକଙ୍କ ସହ ଆଲୋଚନା କରନ୍ତୁ । ୩୧ ମାର୍ଚ୍ଚ ସୁଧା ସବୁ ଚାଷୀଙ୍କୁ ଟୋକନ ମିଳିବ ଓ ସମସ୍ତଙ୍କ ଧାନ କିଣାଯିବ ।