Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପଦ୍ମପୁର ଉପନିର୍ବାଚନ: ମଇଦାନକୁ ଓହ୍ଲାଇଲେ ପ୍ରଦୀପ ଏବଂ ବର୍ଷା, ଘର ଘର ବୁଲି ସମର୍ଥନ ଭିକ୍ଷା କଲେ

18/11/2022 at 9:00 PM

ପଦ୍ମପୁର: ପଦ୍ମପୁର ଉପନିର୍ବାଚନ ମଇଦାନରେ ରହିଲେ ୧୧ ପ୍ରାର୍ଥୀ । ଗତକାଲି ୧୩ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ ମଧ୍ୟ ଆଜି  ଆବଶ୍ୟକ ଡକ୍ୟୁମେଣ୍ଟସ ଅଭାବରୁ ଦୁଇ ଜଣ ସ୍ବାଧୀନ ପ୍ରାର୍ଥୀଙ୍କ ନାମାଙ୍କନ ରଦ୍ଦ ହୋଇଯାଇଛି ।ସେପଟେ ଆଜିଠୁ ପଦ୍ମପୁରରେ ଜୋର୍ ଧରିଛି ପ୍ରଚାର ପର୍ବ । ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ଓ  ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ବିଭିନ୍ନ ପଞ୍ଚାୟତରେ ପ୍ରଚାର କରିଛନ୍ତି ।

ପଦ୍ମପୁର ଉପନିର୍ବାଚନ ମଇଦାନରେ ରହିଲେ ୧୧ ପ୍ରାର୍ଥୀ । ବିଜେଡି-ବିଜେପି-କଂଗ୍ରେସ ପ୍ରାର୍ଥୀଙ୍କ ସହ ନିର୍ବାଚନକୁ ଓହ୍ଲାଇଛନ୍ତି ୮ଜଣ ସ୍ବାଧୀନ ପ୍ରାର୍ଥୀ । ଗତକାଲି ନାମାଙ୍କନ କରିଥିବା ୧୦ ସ୍ବାଧୀନ ପ୍ରାର୍ଥୀଙ୍କ ଭିତରୁ ଦୁଇ ଜଣଙ୍କ ନାମାଙ୍କନ ରଦ୍ଦ ହୋଇଛି । ସେମାନେ ଆବଶ୍ୟକ ଡକ୍ୟୁମେଣ୍ଟସ୍ ଦେଇନଥିବାରୁ ସେମାନଙ୍କ ପ୍ରାର୍ଥୀ ପତ୍ରକୁ ନାକଚ କରିଛନ୍ତି ନିର୍ବାଚନ କମିଶନ ।

ପଦ୍ମପୁର ଉପନିର୍ବାଚନରେ ମୁଖ୍ୟତଃ ବିଜେଡି-ବିଜେପି ଓ କଂଗ୍ରେସ ଭିତରେ ଫାଇଟ୍ ହେବ । କାଲି ନାମାଙ୍କନ ପରେ ଆଜି ଜୋର୍ ଧରିଛି ପ୍ରଚାର । ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ଆଜି ସକାଳୁ ସକାଳୁ ଦେବଦର୍ହା ଶୈବ ପୀଠରେ ପୂଜାର୍ଚ୍ଚନା କରିବା ପରେ ମହାଦେବଙ୍କ ଆଶୀର୍ବାଦ ନେଇ ପ୍ରଚାର ମଇଦାନକୁ ବାହାରିଥିଲେ । ପ୍ରଥମ ପର୍ଯ୍ୟାୟରେ ଚରଦାପାଲି, ଲକ୍ଷ୍ମରା ଓ ସରେଇକେଲା, କଂସର, ଦହିଗାଁ ଓ ଜମର୍ତଲା ପଞ୍ଚାୟତରେ ପ୍ରଚାର କରିଥିଲେ ବର୍ଷା । ବାଜା ବଜାଇ ଗାଁକୁ ଗାଁ ଗଡ଼ୁଥିଲା ବିଜେଡିର ପ୍ରଚାର ଗାଡ଼ି । ବିଶାଳ ଶୋଭାଯାତ୍ରାରେ ବୁଲୁଥିଲେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ।

ଆଜି ବର୍ଷାଙ୍କ ସହ ବିଜେଡି ପ୍ରଚାରରେ ସାମିଲ ହୋଇଥିଲେ ମନ୍ତ୍ରୀ ରୀତା ସାହୁ, ବରିଷ୍ଠ ବିଜେଡି ନେତା ଦିବ୍ୟ ଶଙ୍କର ମିଶ୍ର, ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ସମେତ ବରଗଡ଼ ଓ ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା । ଗାଁ ଗାଁରେ ଲୋକେ ବର୍ଷାଙ୍କୁ ଖୁବ୍ ଆଦର କରୁଥିବା ଦେଖିବାକୁ ମିଳିଥିଲା । ଗାଡ଼ିରୁ ଓହ୍ଲାଇ ଲୋକଙ୍କ ପାଖକୁ ଯିବା ବେଳେ ମହିଳାମାନେ ବର୍ଷାଙ୍କୁ ପିଢ଼ା ଉପରେ ଠିଆ କରି ଗୋଡ଼ ଧୋଇ ଦେଉଥିଲେ । ମୁଣ୍ଡରେ ଫୁଲ ପକାଇ ଆଶୀର୍ବାଦ କରୁଥିଲେ । ମା’ ମାଉସୀମାନଙ୍କୁ ଆଲିଙ୍ଗନ କରି ସମର୍ଥନ ଭିକ୍ଷା କରିଥିଲେ ବର୍ଷା । ଲୋକମାନଙ୍କ ଭଲପାଇବା ଦେଖି ବେଶ୍ ଭାବବିହ୍ବଳ ହୋଇପଡ଼ିଥିଲେ ବର୍ଷା । ବାପା ବିଜୟ ରଞ୍ଜନ ସିଂ ବରିହାକୁ ପଦ୍ମପୁରବାସୀ ଯେମିତି ଆଶୀର୍ବାଦ କରିଥିଲେ ସେହିଭଳି ମୋତେ ବି ଆଶୀର୍ବାଦ କରିବେ ବୋଲି ଆଶାବ୍ୟକ୍ତ କରିଥିଲେ ବର୍ଷା । ସେହିଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ବିଶ୍ବାସ ଓ ବିଜୁ ଜନତା ଦଳ ପ୍ରତି ଲୋକଙ୍କର ଆସ୍ଥା ବର୍ଷାଙ୍କୁ ଏହି ନିର୍ବାଚନରେ ବିଜୟୀ କରିବ ବୋଲି ଦମ୍ଭୋକ୍ତି କରିଥିଲେ ଦଳୀୟ ନେତା ।

ସେପଟେ ନାମାଙ୍କନ ପୂର୍ବରୁ ପ୍ରଚାରକୁ ଓହ୍ଲାଇଥିବା ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଆଜି ମଧ୍ୟ ଗାଁକୁ ଗାଁ ବୁଲି ପ୍ରଚାର କରିଥିଲେ । ସକାଳୁ ସକାଳୁ ଘରୁ ପୂଜାପାଠ କରି ପ୍ରଚାର ପାଇଁ କୁତ୍ରାବାହାଲ ଗାଁରେ ପହଞ୍ଚିଥିଲେ ପ୍ରଦୀପ ପୁରୋହିତ । ଗାଁ ଲୋକେ ହୁଳହୁଳି ପକାଇ ଫୁଲମାଳ ପିନ୍ଧାଇ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ସ୍ବାଗତ କରୁଥିବାର ଦେଖିବାକୁ ମିଳିଥିଲା । ଘରକୁ ଘର ବୁଲି ପ୍ରଚାର କରୁଥିବା ବେଳେ ଛୋଟ ଛୋଟ ପିଲାମାନଙ୍କୁ କାଖେଇ କୋଳେଇ ସ୍ନେହ ବାଣ୍ଟୁଥିଲେ ପ୍ରଦୀପ । ଗାଁ ଯଜ୍ଞ ମଣ୍ଡପରେ ଗନ୍ଧମାର୍ଦ୍ଦନ ବଞ୍ଚାଅ ଅଭିଯାନ ସହ କେନ୍ଦୁପତ୍ର ତୋଳାଳିଙ୍କ ସମସ୍ୟା ସମାଧାନ ପାଇଁ ପ୍ରତିଶ୍ରୁତି ଦେଇ ଭୋଟ୍ ଭିକ୍ଷା କରିଥିଲେ ପ୍ରଦୀପ ପୁରୋହିତ ।

ନାମାଙ୍କନ ପରେ ବିଜେଡି ଓ ବିଜେପି ପ୍ରାର୍ଥୀ ସେମାନଙ୍କ ପ୍ରଚାରକୁ ଜୋର୍ଦାର୍ କରିଛନ୍ତି । ତେବେ ଗତକାଲି ସଭା ଶୋଭାଯାତ୍ରା କରି ନାମାଙ୍କନ ପତ୍ର ଦାଖଲ କରିଥିବା କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ଖୁବ୍ ଶୀଘ୍ର ପ୍ରଚାର ମଇଦାନକୁ ଓହ୍ଲାଇବେ ବୋଲି କହିଥିଲେ ।

   Related Posts