ଭାରତୀୟ ଅଲିମ୍ପିକ ସଂଘର ଅଧ୍ୟକ୍ଷ ହେଲେ ପି.ଟି.ଉଷା, ଶୀର୍ଷ ପଦବୀରେ ପ୍ରଥମ ମହିଳା

Published By : Prameya-News7 Bureau | December 10, 2022 IST

ନୂଆଦିଲ୍ଲୀ ୧୦।୧୨:  ଦିଗ୍ଗଜ ଧାବିକା ପି.ଟି.ଉଷାଙ୍କୁ ଶନିବାର ଭାରତୀୟ ଅଲିମ୍ପିକ ସଂଘ (ଆଇଓଏ) ଅଧ୍ୟକ୍ଷ ଚୟନ କରିଛନ୍ତି। ଏହି ପଦବୀରେ ପି.ଟି. ଉଷା ଦେଶର ପ୍ରଥମ ମହିଳା। ଏହା ସହ ଭାରତୀୟ ଖେଳ ପ୍ରଶାସନରେ ନୂଆ ଯୁଗର ଶୁଭାରମ୍ଭ ହୋଇଛି। ଏସିଆଡ କ୍ରିଡାରେ ଅନେକ ପଦକର ବିଜୟିନୀ ତଥା ୧୯୮୪ ଲସଏଞ୍ଜେଲସ୍ ଅଲିମ୍ପିକରେ ୪୦୦ ମିଟର ବାଧା ଦୌଡରେ ଚତୁର୍ଥ ସ୍ଥାନରେ ଥିବା ୫୮ ବର୍ଷ ବୟଷ୍କା ଉଷାଙ୍କୁ ଶୀର୍ଷ ପଦବୀ ଲାଗି ନିର୍ବିରୋଧ ନିର୍ବାଚିତ ଘୋଷଣା କରାଯାଇଛି।

ଉଷା ଆଇଓଏଙ୍କ ଅଧ୍ୟକ୍ଷ ମନୋନୀତ ହେବା ପରେ ସଂଘରେ ଗୋଷ୍ଠୀ ରାଜନୀତି କାରଣରୁ ଉପୁଜିଥିବା ସଂକଟର ମଧ୍ୟ ସମାଧାନ ହୋଇ ଯାଇଛି। ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ଚଳିତମାସରେ ଅଧ୍ୟକ୍ଷ ନିର୍ବାଚନ କରା ନଗଲେ ଆଇଓଏଙ୍କୁ ନିଲମ୍ବିତ କରିବାକୁ ଚେତାବନୀ ଦେଇଥିଲେ। ଏହି ଶୀର୍ଷ ପଦରେ ଉଷାଙ୍କ ଚୟନ ଗତମାସରେ ନିର୍ଦ୍ଧାରିତ ହୋଇଯାଇଥିଲା। କାରଣ ଏହି ପଦବୀ ଲାଗି ଆବେଦନ କରିବାରେ ସେ ଏକମାତ୍ର ଆବେଦନକାରୀ ଥିଲେ।

ଶାସକ ବିଜେପି ଗତ ଜୁଲାଇ ମାସରେ ପି.ଟି.ଉଷାଙ୍କୁ ରାଜ୍ୟସଭା ସାଂସଦ ନିମନ୍ତେ ନାମିତ କରିଥିଲା। ତେବେ ଉଷା ଆଇଓଏଙ୍କ ଅଧ୍ୟକ୍ଷ ପଦ ଲାଗି ଆବେଦନ କରିଥିବା ବେଳେ ତାଙ୍କ ଆବେଦନକୁ କେହି ବିରୋଧ ମଧ୍ୟ କରିନାହାନ୍ତି। ଆଇଓଏଙ୍କ ୯୫ ବର୍ଷର ଇତିହାସରେ ଉଷା ପ୍ରଥମ ଅଲିମ୍ପିୟାନ ଓ ପ୍ରଥମ ଅନ୍ତର୍ଜାତୀୟ ପଦକ ବିଜେତା ମଧ୍ୟ। ତାଙ୍କର ଉପଲବ୍ଧି ସହ ଆଇଓଏ ଅଧ୍ୟକ୍ଷ ହେବା ଏକ ନୂଆ ଉପଲବ୍ଧି ମଧ୍ୟ ତାଙ୍କୁ ମିଳିଛି। ଉଷା ୨୦୦୦ ମସିହାରେ କ୍ରିଡାରୁ ସନ୍ୟାସ ଘୋଷଣା କରିବା ପୂର୍ବରୁ ଭାରତୀୟ ଓ ଏସିୟ ଆଥେଲେଟିକ୍ସରେ ଦୁଇ ଦଶକ ପର୍ଯ୍ୟନ୍ତ ତାଙ୍କର ଦବଦବା କାୟମ ରଖିଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.