OYO ପ୍ରତିଷ୍ଠାତା ରିତେଶଙ୍କ ପିତୃ ବିୟୋଗ, ୨୦ ମହଲାରୁ ଖସି ଚାଲିଗଲା ପ୍ରାଣ, ଦୁଇ ଦିନ ତଳେ କରାଇଥିଲେ ପୁଅ ବାହାଘର
10/03/2023 at 6:16 PM

ନୂଆଦିଲ୍ଳୀ, ୧୦/୦୩: ଓୟୋ ରୁମ୍ସର ପ୍ରତିଷ୍ଠାତା ରିତେଶ ଅଗ୍ରଓ୍ବାଲଙ୍କ ବାପାଙ୍କ ମୃତ୍ୟୁ ହୋଇଛି। ରିପୋର୍ଟ ଅନୁଯାୟୀ, ଗୁରୁଗ୍ରାମର ଏକ ଉଚ୍ଚ ବିଲ୍ଡିଂରୁ ଖସିବା କାରଣରୁ ରିତେଶଙ୍କ ବାପା ରମେଶ ଅଗ୍ରଓ୍ବାଲଙ୍କ ମୃତ୍ୟୁ ହୋଇଛି। ଦ୍ବିପ୍ରହର ପ୍ରାୟ ୧ ଟା ବେଳେ ଡିଏଲଏଫରେ ୨୦ ତମ ମହଲାରୁ ଖସିପଡ଼ିଥିଲେ। ଯେଉଁଥରେ ତାଙ୍କୁ ଗୁରୁତର ଆଘାତ ଲାଗିଥିଲା ଯେଉଁଥିରେ ତାଙ୍କର ମୃତ୍ୟୁ ହୋଇଛି।
ସୂଚନା ଅନୁଯାୟୀ, ରମେଶ ଅଗ୍ରଓ୍ବାଲ ଘରର ବାଲକୋନୀରୁ ଖସିପଡ଼ିଛନ୍ତି। ଏହି ଘଟଣା ସମୟରେ ଘରେ ପରିବାର ସଦସ୍ୟ ଉପସ୍ଥିତ ଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି। ତେବେ ରିତେଶ ବାପାଙ୍କ ମୃତ୍ୟୁକୁ ନେଇ ଗଭୀର ଦୁଃଖପ୍ରକାଶ କରିଛନ୍ତି ଏବଂ ବାପାଙ୍କ ମୃତ୍ୟୁ ତାଙ୍କର ତଥା ପରିବାର ପାଇଁ ଅପୂରଣୀୟ କ୍ଷତି ବୋଲି କହିଛନ୍ତି।
ସୂଚନାଥାଉ, ତିନି ଦିନ ପୂର୍ବେ ରିତେଶ ଅଗ୍ରଓ୍ବାଲଙ୍କ ବିବାହ ହୋଇଥିଲା ଆଉ ଏବେ ତାଙ୍କ ବାପାଙ୍କ ମୃତ୍ୟୁ ଖବର ଆସିଛି। ପରିବାରର ଖୁସିର ମାହୋଲ ଏବେ ଦୁଃଖରେ ପରିଣତ ହୋଇଛି।