ନେପାଳ ବିମାନ ଦୁର୍ଘଟଣା: ଏମିତି ଏକ ବିମାନ କ୍ରାସ୍ରେ ୟେତୀ ଏୟାରଲାଇନ୍ସର ମାଲିକଙ୍କର ବି ଜୀବନ ଯାଇଥିଲା
16/01/2023 at 7:19 PM

ନୂଆଦିଲ୍ଲୀ: ରବିବାର ନେପାଳି ୟେତି ଏୟାର୍ଲାଇନ୍ସର ବିମାନ ଦୁର୍ଘଟଣାରେ ୭୨ ଜଣଙ୍କର ଜୀବନ ଯାଇଛି। ଯାହାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଲାଗି ରହିଛି। ଏଥିରେ ୫ ଭାରତୀୟଙ୍କର ବି ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ହେଲେ ୩ ବର୍ଷ ତଳେ ଠିକ୍ ଏମିତି ଏକ ବିମାନ କ୍ରାସ୍ରେ ୟେତି ଏୟାର୍ଲାଇନ୍ସର ମାଲିକଙ୍କର ବି ମୃତ୍ୟୁ ହୋଇଥିଲା। ୨୦୧୯ ଫେବ୍ରୁଆରୀରେ ନେପାଳର ବିମାନ ଓ ହୋଟେଲ୍ ଉଦ୍ୟୋଗୀ ଅଙ୍ଗ ଶାଇରିଙ୍ଗ ଶେରପାଙ୍କର ହେଲିକପ୍ଟର କ୍ରାସ୍ରେ ମୃତ୍ୟୁ ହୋଇଥିଲା।
ତେରହଥମ ଜିଲ୍ଲାରେ ନୂଆ କରି ହୋଇଥିବା ବିମାନବନ୍ଦରର ସୁବିଧା ସୁଯୋଗ ଯାଞ୍ଚ କରିବା ପାଇଁ ଯାଇଥିବା ବେଳେ ହେଲକପ୍ଟର କ୍ରାସ୍ ହୋଇ ଯାଇଥିଲା। ନେପାଳ ବେସାମରିକ ବିମାନ ଚଳାଚଳମନ୍ତ୍ରୀ ରବୀନ୍ଦ୍ର ଅଧିକାରୀ ଓ ତାଙ୍କ ସହଯୋଗୀ ମନ୍ତ୍ରୀଙ୍କ ସହ ଶେରପା ହେଲିକ୍ପଟରରେ ଯାଇଥିଲେ। ୬ ଜଣଙ୍କୁ ନେଇ ଉଡ଼ାଣ ଭରିଥିବା ହେଲିକପ୍ଟର ଫେରିଲା ବେଳେ ଏକ ପାହାଡ଼ ଚୋଟିରେ ପିଟି ହୋଇ କ୍ରାସ୍ ହୋଇଯାଇଥିଲା।
ଏହି ଦୁର୍ଘଟଣାରେ ସମସ୍ତଙ୍କର ମୃତ୍ୟୁ ହୋଇଥିଲା। ୫ ଜଣ ବସିବାର କ୍ଷମତା ଥିବା ଏହି ହେଲିକପ୍ଟରରେ ସେଦିନ ୬ ଜଣ ଯାତ୍ରା କରିଥିଲେ। ଫେରିବା ବେଳେ ପଥିଭରା ଜିଲ୍ଲା ତାପ୍ଲେଜୁଙ୍ଗ ଠାରେ ଦିନ ୧.୩୦ ମିନିଟ୍ ସମୟରେ ହେଲିକପ୍ଟର ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ହେଲିକପ୍ଟରଟି ନେପାଳର ଏକ ପୁରୁଣା ହେଲିକପ୍ଟର ଉଦ୍ଧାର ସେବା ‘ଏୟାର ଡାଇନାଷ୍ଟି ହେଲି ସର୍ଭିସ୍’ର ହେଲିକପ୍ଟର ଥିଲା।
ଏହି ଦୁର୍ଘଟଣାରେ ଶେରପାଙ୍କ ସମେତ ନେପାଳର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ, ତାଙ୍କ ସୁରକ୍ଷାକର୍ମୀ, ବିମାନ ଚଳାଚଳ ପ୍ରାଧିକରଣର ଡିଜି ଓ ମନ୍ତ୍ରାଳୟର ନିର୍ଦ୍ଦେଶକ ଓ ଡେପୁଟି ସେକ୍ରେଟାରୀଙ୍କର ଅକାଳ ବିୟୋଗ ହୋଇଥିଲା। ଏହି ଘଟଣାରେ ପୂରା ଦେଶରେ ଶୋକର ଛାୟା ଖେଳିଯାଇଥିଲା। ସୂଚନା ଥାଉକି ନେପାଳର ୟେତି ଏୟାର୍ ଲାଇନ୍ସୁ ବ୍ୟତୀତ ଶେରପା ତାରା ଏୟାର ଲାଇନ୍ସ ଓ ନେପାଳ ଏକମାତ୍ର ଅନ୍ତର୍ଜାତୀୟ ଏୟାର୍ କ୍ରାଫ୍ଟ ହିମାଳୟ ଏୟାରଲାଇନ୍ସର ବି ମାଲିକ।