୨୦୦କୋଟି ସମ୍ପତ୍ତିର ମାଲିକ ଦୀର୍ଘ ୨ବର୍ଷ ଯାଏଁ ହସ୍ପିଟାଲରେ ପଡ଼ିଥିଲେ ଏକା : ମୃତ୍ୟୁ ସମୟରେ ବି କେହି ଛିଡ଼ା ହେଲେନି

Published By : Prameya-News7 Bureau | October 19, 2019 IST

ମୁମ୍ବାଇ ୧୯/୧୦: ଏଠାକାର ପଶ ଏରିୟାରେ ନେପିୟନ ସି ରୋଡରେ ପାଖାପାଖି ୨୦୦କୋଟିର ସମ୍ପତ୍ତିର ମାଲିକ ନିଖିଲ ଝାବେରୀଙ୍କ ବୁଧବାର ମୃତ୍ୟୁ ହୋଇଛି। ସବୁଠୁ ଦୁଃଖଦ କଥା ହେଉଛି ଏୟା ଯେ ତାଙ୍କ ମୃତ୍ୟୁ ସମୟରେ ତାଙ୍କ ପାଖରେ କେହି ନଥିଲେ। ତାଙ୍କ ପୁଅ ମଧ୍ୟ ନଥିଲେ। ନିଖିଲ ଦୀର୍ଘ ଦୁଇ ବର୍ଷ ହେବ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ମାନସିକ ଏବଂ ଶାରିରୀକ ସମସ୍ୟା ଭୋଗୁଥିବା ନିଖିଲଙ୍କ ଶେଷ ସମୟରେ ନିମୋନିଆ ବଢ଼ିଯାଇଥିଲା। ତାଙ୍କ ସମ୍ପତ୍ତି ପାଇଁ ପରିବାରରେ ଗଣ୍ଡଗୋଳ ଚାଲିଥିଲା। ପୋଲିସ୍ ମଧ୍ୟ ଅନେକ ଉଦ୍ୟମ କରିବା ପରେ ତାଙ୍କ ପୁଅଙ୍କ ସହ ଯୋଗାଯୋଗ କରିପାରିଥିଲେ। ସେ ଦୁଇଟି ବିବାହ କରିଥିଲେ। ତାଙ୍କର ଗୋଟିଏ ପୁଅ ଯିଏ କି ବିଦେଶରେ ଚାକିରୀ କରିଥିଲେ।

୨୦୧୩ମସିହାରେ ନିଖିଲ କାନ୍ଦିବଲିରେ ତାଙ୍କ ଭଉଣୀଙ୍କ ଘରୁ ହଠାତ୍ ଗାୟବ ହୋଇଯାଇଥିଲେ। ପରେ ସେ ବୋରିବଲି ଅଞ୍ଚଳରୁ ମିଳିଥିଲେ। ସେତେବେଳେ ତାଙ୍କୁ ଏକ ଏନଜିଓ ଆଶ୍ରମକୁ ପଠାଯାଇଥିଲା। ସେତେବେଳ ଯାଏଁ ତାଙ୍କ ପରିଚୟ ମିଳିପାରିନଥିଲା। ୨୦୧୪ମସିହାରେ ତାଙ୍କର ପରିଚୟ ମିଳିବାରୁ କୋର୍ଟ ଆଦେଶରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କୋର୍ଟ ନିଖିଲଙ୍କ ସମ୍ପତ୍ତିକୁ ଥାର୍ଡ଼ ପାର୍ଟି ସହ ଡିଲ କରିବା ଉପରେ ମଧ୍ୟ ରୋକ ଲଗାଇଥିଲା। ନିଖିଲ ହସ୍ପିଟାଲରେ ମଧ୍ୟ ଏକୁଟିଆ ଭର୍ତ୍ତି ହୋଇଥିଲେ।

ନିଖିଲ ଦୁଇଟି ବିବାହ କରିଥିଲେ । ତାଙ୍କର ଗୋଟିଏ ବି ବିବାହ ତିଷ୍ଠିନଥିଲା। ଦ୍ବିତୀୟ ପତ୍ନୀଙ୍କଠୁ ତାଙ୍କର ଜଣେ ପୁଅ ରିୟାନ ଅଛନ୍ତି। ସେ ବିଦେଶରେ ରୁହନ୍ତି। ପୋଲିସ ରେୟାନଙ୍କ ସହ ସମ୍ପର୍କ କରିଥିଲେ। ନିଖିଲଙ୍କ ସମ୍ପତ୍ତିକୁ ନେଇ ତାଙ୍କର ଦୁଇ ପତ୍ନୀଙ୍କ ବ୍ୟତୀତ ଭଉଣୀଙ୍କ ସ୍ବାମୀମାନଙ୍କର ମଧ୍ୟ ଗଣ୍ଡଗୋଳ ଚାଲିଥିଲା। ନିଖିଲଙ୍କ ପ୍ରଥମ ପତ୍ନୀ ଦୀପ୍ତି ପାଞ୍ଚାଲ କୋର୍ଟରେ ଶପଥପତ୍ର ଦାଖଲ କରିଛନ୍ତି। ମୁମ୍ବାଇର ଇକୋନୋମିକ୍ ଅଫିସ ଓ୍ବିଙ୍ଗ ଏହି ମାମଲାର ଯାଞ୍ଚ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.