ରଜ ପାଇଁ ଉତ୍ସବମୁଖର ଗାଁରୁ ସହର, ଗାଁ ଭଳି ସହରରେ ବି ପାଳିତ ହେବ ରଜ, ପ୍ରସ୍ତୁତି ଶେଷ
13/06/2019 at 10:29 PM

ଭୁବନେଶ୍ବର ୧୩।୬: ରାତି ପାହିଲେ ରଜ । ଓଡ଼ିଶାର ଗଣପର୍ବ ପାଇଁ ଗାଁ ଠୁ ସହର ଉତ୍ସବ ମୁଖର । ପୋଡ଼ ପିଠା କରିବାକୁ ଘରେ ଘରେ ଚାଲିଛି ପ୍ରସ୍ତୁତି । ସେପଟେ କୋଉଠି ଦୋଳି ଲାଗିସାରିଲାଣି ତ ଆଉ କୋଉଠି ବାନ୍ଧିବାକୁ ଚାଲିଛି ଆୟୋଜନ । ରାତି ପାହିଲେ ନୂଆ ପୋଷାକ ପିନ୍ଧି ଦୋଳିରେ ଝୁଲିବେ ସମସ୍ତେ । କଳରେ ରଜ ପାନ ଖଣ୍ଡେ ନଜାକିଲେ କି ମଜା? ସହର ଅପେକ୍ଷା ଗାଁରେ ରଜ ମଜା ଟିକେ ନିଆରା । ସେଥିପାଇଁ ସମସ୍ତେ ଗାଁ ମୁହାଁ ହୋଇସାରିଛନ୍ତି ।

ଗୁରବାର ଥିଲା ସଜବାଜ । ପୋଡ଼ ପିଠା ପାଇଁ ଢିଙ୍କିରେ ଚାଉଳ କୁଟା ସରିଛି । ଗଛରେ ବି ଦୋଳି ଲାଗିସାରିଲାଣି ।ପୁଣି କୋଉଠି ବାଉଁଶ କାଟି ଦୋଳି ଲଗାଇବା ପାଇଁ ବ୍ୟବସ୍ଥା ହେଉଛି । ରଜ ହେଉଛି ମଉଜ ମଜଲିସର ପର୍ବ । ମହିଳାମାନେ କଟା, ବଟା କରିବେନି । ଖାଲି ପାଦରେ ଚାଲିବେନି । ପୁରୁଷ ବି ମାଟି ଖୋଳିବନି । ଚାଷ କାମ ଉପରେ ଏହି ୩ ଦିନ ବାରଣ ଲାଗେ । ତେଣୁ ସମସ୍ତେ ଭଲ ମନ୍ଦ ଖାଇ ମଉଜ ମଜଲିସରେ ମାତନ୍ତି । ଗାଁ ଦାଣ୍ଡରେ ଜମେ ବୋହୂଚୋରୀ, ପୁଚି, ତାସ୍, କବାଡ଼ି ଆଦି ଖେଳ ।

ସେପଟେ ରାଜଧାନୀବାସୀଙ୍କୁ ଗାଁ ପରିବେଶରେ ରଜର ମଜା ଦେବା ପାଇଁ ପାନ୍ଥନିବାସରେ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା । ଦୋଳି ଲାଗି ସାରିଲାଣି । ସେଲଫି ଜୋନ୍ ମଧ୍ୟ ରହିଛି । ମାଗଣାରେ ମେହେନ୍ଦି ଲଗାଇବାର ବ୍ୟବସ୍ଥା କରିଛି ପାନ୍ଥନିବାସ । ଏହାଛଡା ପୋଡପିଠା, ଆରିଶା, କାକରା, ମଣ୍ଡା ଆଦି ପିଠା ମଧ୍ୟ ରହିଛି । ତେବେ ମହୁଲ ଓ ମାଣ୍ଡିଆରେ ତିଆରି ପିଠା ଚଳିତ ବର୍ଷର ମୁଖ୍ୟ ଆକର୍ଷଣ । ସେପଟେ ପାତ୍ରପଡାରେ ମଧ୍ୟ ରଜ ପାଇଁ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା । ଏଠାରେ ପ୍ରତିବର୍ଷ ୧୦୦ରୁ ଅଧିକ ଦୋଳି ଲାଗେ । ତେବେ ଚଳିତ ବର୍ଷ ଫୋନିରେ ଗଛ ଭାଙ୍ଗି ଯାଇଥିବାରୁ ବହ୍ଲା ପୋତି ଦୋଳି ଲଗାଯାଇଛି ।

କଟକ ସହର ମଧ୍ୟ ହେଲାଣି ସଜବାଜ । ପୋଡ ପିଠା, ମିଠା ସାଙ୍ଗକୁ ବଜାରରେ ଜମିଛି ପାନର ଆସର । ପାନ ଖଣ୍ଡେ ନଖାଇଲେ ରଜ ପୂରା ଫିକା ଲାଗେ । ସେଥିପାଇଁ ବାଦାମବାଡି, ଦୋଳମୁଣ୍ଡା, ଚୌଧୁରୀବଜାର, ବକ୍ସିବଜାର, ବିଡାନାସୀ ଆଦି ଛକରେ ରଜ ପାଇଁ ଖୋଲିଛି ସ୍ବତନ୍ତ୍ର ପାନ ଷ୍ଟଲ । ପାଖାପାଖି ୫୬ ପ୍ରକାରର ମସଲା ବ୍ୟବହାର କରାଯାଉଛି । ଏହାଛଡା ଡିମାଣ୍ଡରେ ଅଛି ଫାୟାର ପାନ । ଯାହାର ଦର ୧୦ ରୁ ଆରମ୍ଭ ହୋଇ ୧୪୦ ଟଙ୍କା ଯାଏ ରହିଛି । ସେହିପରି ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର ଭାବେ ପୋଡପିଠା ପ୍ରସ୍ତୁତ କରାଯାଇଛି । ଏହାର ଦାମ କିଲୋ ପିଛା ଅଢେଇ ଶହ ଟଙ୍କା ରହିଛି । ବରଷକେ ଥରେ ଆସିଛି ରଜ । ବନ୍ଧୁ ବାନ୍ଧବ, ସାଙ୍ଗସାଥୀ ମେଳରେ ପାଟିସୁଆଦିଆ ଖାଦ୍ୟ ଖାଇ, ଖଟି ମାରି ଜଞ୍ଜାଳିଆ ଜୀବନରୁ ଟିକିଏ ମୁକ୍ତି ପାଇବାକୁ ସମସ୍ତେ ଯେମିତି ଅପେକ୍ଷା କରିଥାଆନ୍ତି ରଜକୁ ।