ଏଟିଏମରୁ ଉଠାଣ ପରିମାଣ କମିବ ! ୫ହଜାରରୁ ଅଧିକ ଉଠାଇଲେ ଲାଗିବ ଟ୍ୟାକ୍ସ, RTIରୁ ମିଳିଛି ତଥ୍ୟ

Published By : Prameya-News7 Bureau | June 20, 2020 IST

ନୂଆଦିଲ୍ଲୀ, ୨୦|୦୬ :  ଏବେ ଏଟିଏମରୁ ୫ ହଜାର ଟଙ୍କାରୁ ଅଧିକ ଟଙ୍କା ବାହାର କଲେ ଚାର୍ଜ ଲାଗିବ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଏକ ସମିତି ଏନେଇ ସୁପାରିଶ କରିଛି । ଆରଟିଆଇ ମାଧ୍ୟମରେ ଏହି ତଥ୍ୟ ଜଣାପଡିଛି ।

ଇଣ୍ଡିଆନ ବ୍ୟାଙ୍କସ୍ ଆସୋସିଏସନର ପୂର୍ବତନ ମୁଖ୍ୟ କାର୍ଯ୍ୟକାରୀ ବିଜି କନନଙ୍କ ଅଧ୍ୟକ୍ଷତାରେ ଗଠିତ ସମିତି ଏହି ରିପୋର୍ଟ ଗତ ବର୍ଷ ଅକ୍ଟୋବର ୨୨ରେ ଆରବିଆଇକୁ ପ୍ରଦାନ କରିଥିଲା । ଏହି ରିପୋର୍ଟକୁ ଜାରି କରାଯାଇ ନାହିଁ । ଏଥିରେ ଉଲ୍ଲେଖ କରାଯାଇଥିଲା ଯେ, ଏଟିଏମରୁ ୫ ହଜାର ଟଙ୍କା ଉଠାଣ ଉପରେ ଚାର୍ଜ ଲାଗିବା କାରଣ ଉଠାଣ ହ୍ରାସ କରାଯାଇ ପାରିବ ।

ଲାଇଭ୍ ମିଣ୍ଟର ରିପୋର୍ଟ ଅନୁସାରେ, ଆରଟିଆଇ କାର୍ଯ୍ୟକର୍ତ୍ତା ଶ୍ରୀକାନ୍ତ ଏଲଙ୍କ ଆବେଦନକୁ ଆରଟିଆଇର ପବ୍ଲିକ ଇନପରମେସନ ଅଫିସର ଖାରଜ କରିଦେଇଥିଲା । ପରେ ଶ୍ରୀକାନ୍ତ ପୁନଃଆବେଦନ କରିଥିଲେ । ଏହାପରେ ଆରବିଆଇ ସୂଚନା ପ୍ରଦାନ କରିଥିଲା ।

ରିପୋର୍ଟରେ ଆହୁରି କୁହାଯାଇଛି ଯେ, ଏଟିଏମ ଅପରେଟିଂରେ ଅଧିକ ଖର୍ଚ୍ଚ ହେଉଛି । ଗ୍ରାହକଙ୍କ ଏଟିଏମ ଉପଯୋଗ ଉପରେ ଇଣ୍ଟରଚେଞ୍ଜ୍  ଫିସକୁ ୨୦୧୨ ପରେ ଆଉ ସମୀକ୍ଷା କରାଯାଇ ନାହିଁ । କମିଟି ବିଶେଷ ଭାବେ ସେମି ଅର୍ବାନ ଓ ଗ୍ରାମାଞ୍ଚଳରେ ଏଟିଏମ ନଥିବା ହେତୁ ଚିନ୍ତା ପ୍ରକଟ କରିଥିଲା ।

ସମିତିର ସୁପାରିଶ

ଏଟିଏମ ଚାର୍ଜର ଗଣନାରେ ଜନସଂଖ୍ୟା ମାଚ୍ରିକ୍ ପ୍ରୟୋଗ କରାଯିବ । ଏହାସହ ୧୦ ଲକ୍ଷରୁ କମ ଜନସଂଖ୍ୟା ଥିବା ସ୍ଥାନରେ ଫ୍ରି ଟ୍ରାଞ୍ଜାକ୍ସନ ସଂଖ୍ୟା ୫ରୁ ୬କୁ ବୃଦ୍ଧି କରାଯିବ । ଏହାକୁ ପ୍ରତି ୬ ମାସରେ ସମୀକ୍ଷା କରାଯିବ । ୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ସହରରେ ଫ୍ରି ଟ୍ରାଞ୍ଜାକ୍ସନ ସଂଖ୍ୟା ୩ ରହିବ । ଏହା ସରିବା ପରେ ଟ୍ରାଞ୍ଜାକ୍ସନ ପିଛା ୨୪ ଟଙ୍କା ଚାର୍ଜ ଲାଗିବ । ୧୦ ଲକ୍ଷରୁ କମ୍ ଜନସଂଖ୍ୟା ଥିବା ସହରରେ ଫାଇନାନସିଆଲ୍ ଓ ନନ୍ ଫାଇନାନସିଆଲ ଟ୍ରାଞ୍ଜାକ୍ସନ ପାଇଁ ଇଣ୍ଟରଚେଞ୍ଜ୍ ଫିସ୍ ୩ ଟଙ୍କାକୁ ବୃଦ୍ଧି କରାଯିବା ଆବଶ୍ୟକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.