ଆମେରିକାରେ ୨୦୨୨ରେ ବଢ଼ିଛି ଆତ୍ମହତ୍ୟା ମାନସିକତା: ୫୦% ପ୍ରତିଶତରୁ ଅଧିକ କିନ୍ନର ଓ ଉଭୟଲିଙ୍ଗୀ ଯୁବଗୋଷ୍ଠୀ ଆତ୍ମହତ୍ୟା କରିବାକୁ ଚିନ୍ତା କରିଛନ୍ତି
17/12/2022 at 11:46 PM

ୱାଶିଂଟନଡିସି: ଆମେରିକା ଭଳି ବିକାଶଶୀଳ ରାଷ୍ଟ୍ରରେ ଆତ୍ମହତ୍ୟା ମାନସିକତା ବଢ଼ିଛି। ଏହି ଦେଶର ଯୁବଗୋଷ୍ଠୀ ଆତ୍ମହତ୍ୟା କରିବାକୁ ଚିନ୍ତା କରୁଛନ୍ତି। ତେବେ ଏହି ସମସ୍ୟା ଏଲ୍ଜିବିଟକ୍ୟୁ+(ଲେସ୍ବିୟାନ, ଗେ, ବାଇସେକ୍ସୁଆଲ୍ ଓ ଟ୍ରାନ୍ସଜେଣ୍ଡର) ସମୁଦାୟରେ ଦେଖିବାକୁ ମିଳିଛି।
ଆମେରିକାରେ ୫୦ ପ୍ରତିଶତରୁ ଅଧିକ କିନ୍ନର ଓ ଉଭୟଲିଙ୍ଗୀ ଆତ୍ମହତ୍ୟା କରିବାକୁ ବିଚାର କରିଥିବା ସର୍ଭେରେ ଜଣାପଡ଼ିଛି। ଗତ ୧୨ ମାସରେ ସ୍ଥିତି ଏଭଳି ହୋଇଛି। ରାଜ୍ୟସ୍ତରରେ ଏହି ସର୍ଭେ କରାଯାଇଥିଲା। ଗୁରୁବାର ଏହି ରିପୋର୍ଟ ସାର୍ବଜନୀନ କରାଯାଇଛି। ଟେକ୍ସାସ, ଅର୍କାନ୍ସା, ନ୍ୟୁ ୟୁର୍କ ଏବଂ କାଲିଫର୍ଣ୍ଣିଆ ଆଦି ରାଜ୍ୟରେ ଆତ୍ମହତ୍ୟା ହାର ଅଧିକ ରହିଛି।
ଆମେରିକାର ଏନ୍ଜିଓ ଟ୍ରେଭର ପ୍ରୋଜେକ୍ଟ ଏହି ସର୍ଭେ କରିଥିଲେ। ଟ୍ରେଭର ପ୍ରୋଜେକ୍ଟର ରିପୋର୍ଟ ଅନୁସାରେ,୧୩ ରୁ ୨୪ ବର୍ଷ ବୟସର ୩୪ ହଜାର ହେଟେରୋସେକ୍ସୁଆଲ୍ ଓ କିନ୍ନର ଆତ୍ମହତ୍ୟା ଉଦ୍ୟମର ଭୟାନକ ସୂଚନା ରହିଛି। ଏହି ବୟସରେ ଅଧିକ ଆତ୍ମହତ୍ୟା ମାନସିକତା ଆସୁଛି। ଚିନ୍ତା, ଉଦାସୀନତା ଯୋଗୁ ଆତ୍ମହତ୍ୟା କରୁଥିବା ଆମେରିକା ଖବରକାଗଜ ଗାର୍ଡିଆନ୍ରେ ରିପୋର୍ଟ ପ୍ରକାଶ ପାଇଛି।
ସର୍ଭେ ରିପୋର୍ଟ ଅନୁସାରେ, ୪୪ ପ୍ରତିଶତ ଏଲ୍ଜିବିଟି ଆତ୍ମହତ୍ୟା କଥା ବିଚାର କରିଥିବା ବେଳେ ୧୪ ପ୍ରତିଶତ ଉଦ୍ୟମ କରିଛନ୍ତି। କେବଳ କିନ୍ନର ଓ ଉଭୟଲିଙ୍ଗଙ୍କ ମଧ୍ୟରେ ୫୪ ପ୍ରତିଶତ ଆତ୍ମହତ୍ୟା କଥା ଚିନ୍ତା କରିଥିବା ବେଳେ ୧୯ ପ୍ରତିଶତ ଉଦ୍ୟମ କରିଛନ୍ତି।
ଆମେରିକା ଭଳି ରାଷ୍ଟ୍ରରେ ୭୦ ପ୍ରତିଶତ ଏଲ୍ଜିବିଟ ସମ୍ପ୍ରଦାୟ ଯୁବଗୋଷ୍ଠୀ ଭେଦଭାବର ଶିକାର ହେଉଥିବା ବେଳେ ୬୨ ପ୍ରତିଶତ ମାନସିକ ଚିକିତ୍ସା କରାଇ ନପାରିବାର ଅଭିଯୋଗ ଆଣିଛନ୍ତି। ତେବେ କିନ୍ନର ଓ ନନବାଇନାରୀ(ଉଭୟ ପୁରୁଷ କିମ୍ବା ନାରୀ କେଉଁଟା ବି ନୁହେଁ)ଙ୍କ କ୍ଷେତ୍ରରେ ଆତ୍ମହତ୍ୟା ଆଶଙ୍କା ଅଧିକ ଦେଖାଯାଇଛି।
ଟେକ୍ସାସ୍ର ୫୬ ପ୍ରତିଶତ ଏଭଳି ଯୁବଗୋଷ୍ଠୀ ଆତ୍ମହତ୍ୟା ବିପଦ ଥିବା ବେଳେ ଫ୍ଲୋରିଡା ଓ ପେନସାଲଭାନିଆରେ ୫୪ ପ୍ରତିଶତ, ଇଲିନୋଇସର ୫୧ ଏବଂ ଓହିଓରେ ୫୪ ପ୍ରତିଶତ ଏଭଳି ଯୁବଗୋଷ୍ଠୀ ଆତ୍ମହତ୍ୟା କରିଥିବା ଚିନ୍ତା କରିଛନ୍ତି। ଏହି ରାଜ୍ୟଗୁଡ଼ିକରେ ୧୬-୨୦ ପ୍ରତିଶତ କିନ୍ନର ଓ ନନବାଇନାରୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଆମେରିକାରେ କ୍ୱିର୍ ଓ କିନ୍ନରଙ୍କ ପାଇଁ କଟକଣା ବଢ଼ିବା ପରେ ଏଭଳି ରିପୋର୍ଟ ପ୍ରକାଶ ପାଇଛି।