ଦେଶରେ ମୋଟ୍ ୧୨.୫୩ ଲକ୍ଷରୁ ୪.୨୧ ଲକ୍ଷ ଖାଲି ପଡିଛି ଇଞ୍ଜିନିୟରିଂ ସିଟ୍: କେନ୍ଦ୍ର ମନ୍ତ୍ରୀ
17/12/2022 at 9:56 PM

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଡ. ସୁଭାଷ ସରକାର ରାଜ୍ୟସଭାରେ ଗତ ପାଞ୍ଚ ବର୍ଷରେ ଅଣ୍ଡରଗ୍ରାଜୁଏଟ୍ ସ୍ତରରେ ଇଞ୍ଜିନିୟରିଂ କଲେଜ୍ରେ ଖାଲି ପଡିଥିବା ସିଟ୍ ସଂଖ୍ୟା ବିଷୟରେ ବିସ୍ତୃତ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଗତ ପାଞ୍ଚ ବର୍ଷରେ ଇଞ୍ଜିନିୟରିଂ କଲେଜ୍ ଗୁଡିକରେ ମୋଟ୍ ସଂଖ୍ୟା ହ୍ରାସ ପାଇଛି। ଏଥପାଇଁ ଖାଲି ପଡିଥିବା ସିଟ୍ ସଂଖ୍ୟା ମଧ୍ୟ ହ୍ରାସ ଘଟିଛି। ତେବେ ଗତ ବର୍ଷ ସବୁଠୁ କମ ସିଟ୍ ଖାଲି ରହିଛି।
ମନ୍ତ୍ରୀ କହିଛନ୍ତି, ୨୦୨୧-୨୨ରେ ୧୨ ଲକ୍ଷ ୫୩ ହଜାର ୩୩୭ରୁ ୪ ଲକ୍ଷ ୨୧ ହଜାର ୨୦୩ ସିଟ୍ ଖାଲି ପଡିଥିଲା, ଯାହା ୩୩.୬ ପ୍ରତିଶତ। ସେହିପରି ୨୦୨୦-୨୧ରେ ମୋଟ୍ ୧୨ ଲକ୍ଷ ୮୬ ହଜାର ୫୪୫ ସିଟ୍ ମଧ୍ୟରୁ ୫ ଲକ୍ଷ ୬୬ ହଜାର ୫୩୮ ସିଟ୍ ଖାଲି ରହିଥିଲା। ଏହା ବ୍ୟତୀତ ୨୦୧୯-୨୦ରେ ୧୩ ଲକ୍ଷ ୨୮ ହଜାର ୨୪୭ ସିଟ୍ରୁ ୫ ଲକ୍ଷ ୮୭ ହଜାର ୩୧୪ ସିଟ୍ ଖାଲି ରହିଥିଲା ଯାହା ମୋଟ୍ ସିଟ୍ ୪୪.୨ ପ୍ରତିଶତ ହେବ।
ସେହିପରି ୨୦୧୮-୧୯ରେ ମୋଟ୍ ୧୩ ଲକ୍ଷ ୯୫ ହଜାର ୩୪୫ ସିଟ୍ରୁ ୬ ଲକ୍ଷ ୭୮ ହଜାର ୯୩୨ ସିଟ୍ ଖାଲି ରହିଥିଲା ଯାହା ମୋଟ୍ ସିଟ୍ର ୪୮.୬ ପ୍ରତିଶତ ଥିଲା। ଏହା ବାଦ୍ ୨୦୧୭-୧୮ରେ ମୋଟ୍ ୧୪ ଲକ୍ଷ ୬୫ ହଜାର ୮୭୩ ସିଟ୍ରୁ ୭ ଲକ୍ଷ ୨୨ ହଜାର ୧୧୨ ସିଟ୍ ଖାଲି ପଡିଥିଲା।
ରାଷ୍ଟ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି ଗତ ବର୍ଷ ପୂର୍ବ ପାଞ୍ଚ ବର୍ଷର ତୁଳନାରେ ସବୁଠୁ କମ୍ ସିଟ୍ ଖାଲି ପଡିଥିଲା। ଡ. ସରକାର କହିଛନ୍ତି, ଶିକ୍ଷାନୁଷ୍ଠାନର ଠିକଣା, ଶୈକ୍ଷେଣିକ ବାତାବରଣ ଏବଂ ଆନୁସଙ୍ଗିକ ସୁବିଧା ସହିତ ପ୍ଲେସମେଣ୍ଟ ସୁଯୋଗ ଆଦି ସିଟ୍ ପୂରଣ ହେବା ନେଇ ବଡ କାରକ ହୋଇଥାଏ।