୨୫ ହଜାର ମହିଳା ଏବଂ ଶିଶୁଙ୍କ ଯାଇଛି ଜୀବନ, ଗାଜା ଯୁଦ୍ଧ ଉପରେ ଆମେରିକାର ବଡ଼ ସ୍ୱୀକାରୋକ୍ତି

Published By : Prameya-News7 Bureau | March 01, 2024 IST

ନୂଆଦିଲ୍ଲୀ: ଇସ୍ରାଏଲର ଘନିଷ୍ଠ ବନ୍ଧୁ ଆମେରିକାର ବଡ଼ ସ୍ୱୀକାରୋକ୍ତି । ଆମେରିକା କହିଛି ଯେ ଅକ୍ଟୋବର ୭ ପରେ ଆରମ୍ଭ ହୋଇଥିବା ଯୁଦ୍ଧରେ ୨୫ ହଜାରରୁ ଅଧିକ ଫିଲିସ୍ତିନୀଙ୍କୁ ଇସ୍ରାଏଲ୍ ମାରି ସାରିଛି । ଆମେରିକାର ପ୍ରତିରକ୍ଷା ସଚିବ ଲୟଡ ଅଷ୍ଟିନ ଗୁରୁବାର ଏହା କହିଛନ୍ତି । ସେ କହିଛନ୍ତି ଯେ ଆତଙ୍କବାଦୀ ଗ୍ରୁପ୍ ହମାସ ୨୦୨୩ ଅକ୍ଟୋବର ୭ରେ ଆକ୍ରମଣ କରିଥିଲା । ଏହାର ଜବାବରେ ଇସ୍ରାଏଲରେ ଏବେସୁଦ୍ଧା ୨୫ ହଜାରରୁ ଅଧିକ ଫିଲିସ୍ତିନୀ ମହିଳା ଏବଂ ପିଲାଙ୍କୁ ମାରି ସାରିଛି ।

ଗୃହରେ ସଶସ୍ତ୍ର ସେବା କମିଟିର ଏକ ଶୁଣାଣି ସମୟରେ ମୃତ ମହିଳା ଏବଂ ପିଲାଙ୍କ ସଂଖ୍ୟା ନେଇ ପ୍ରଶ୍ନର ଜବାବରେ ଅଷ୍ଟନ ସାଂସଦଙ୍କୁ କହିଛନ୍ତି, 'ଏହା ୨୫୦୦୦ରୁ ବି ଅଧିକ'। ଅକ୍ଟୋବରରେ ହମାସ ଆକ୍ରମଣ ପରେ ଆମେରିକା ଇସ୍ରାଏଲକୁ ଖୋଲା ସମର୍ଥନ ଦେଇଥିଲା । ହମାସର ଏହି ଆକ୍ରମଣରେ ୧୨୦୦ ଇସ୍ରାଏଲ ନାଗରିଙ୍କ ମୃତ୍ୟୁ ହୋଇଥିଲା ।

ପଢନ୍ତୁ: ରିଲିଫ ସାମଗ୍ରୀ ପାଇଁ ଏକାଠି ହୋଇଥିବା ଯୁଦ୍ଧ ବିପନ୍ନଙ୍କ ଉପରେ ଆଖିବୁଜା ଗୁଳି ଚଳାଇଲା ଇସ୍ରାଏଲ୍ ! ୧୦୪ ମୃତ୍ୟୁ

ଅକ୍ଟୋବର ୭ ପରେ ଗାଜା ଉପରେ ଇସ୍ରାଏଲ ଏତେ ଅଧିକ ବୋମାମାଡ଼ କରିଛି ଯେ ସାରା ସହର ଏବେ ଧ୍ୱଂସ୍ତସ୍ତୁପ ପାଲଟିଛି । ଅନ୍ୟପଟେ ଫିଲିସ୍ତିନ ସ୍ୱାସ୍ଥ୍ୟ ମନ୍ତ୍ରାଳୟର କହିବା ଅନୁସାରେ ଯୁଦ୍ଧରେ ପ୍ରାୟ ୩୦,୦୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି । ପ୍ରତିରକ୍ଷା ମନ୍ତ୍ରୀ ଅଷ୍ଟିନଙ୍କ ବୟାନ ଏପରି ସମୟରେ ଆସିଛି, ଯେତେବେଳେ ନିଜେ ଆମେରିକା ଇସ୍ରାଏଲ ଉପରେ ଚାପ ପକାଉଛି । ଆମରିକା ଯୁଦ୍ଧବିରତି ଏବଂ ଗାଜାରେ ନାଗରିକଙ୍କ ଉପରେ ବର୍ବର ଆକ୍ରମଣ କମ କରିବା ଉପରେ ଇସ୍ରାଏଲ ଉପରେ ଚାପ ପକାଉଛି ।   

ଉଲ୍ଲେଖଯୋଗ୍ୟ ଯେ ଗୁରୁବାର ଗାଜାରେ ଖାଦ୍ୟ ସାମଗ୍ରୀ ପାଇଁ ଲୋକମାନେ ଏକାଠି ହୋଇଥିଲେ । ଏହି ସମୟରେ ଇସ୍ରାଏଲୀ ସେନା ସେମାନଙ୍କ ଉପରେ ଗୁଳିମାଡ଼ କରିଥିଲା । ଏହି ଆକ୍ରମଣରେ ୧୦୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୦ରୁ ଅଧିକ ଆହତ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.