ଦଙ୍ଗା ପରେ ଆକ୍ସନ ମୁଡରେ ବ୍ରାଜିଲ ପ୍ରଶାସନ, ୧୫୦୦ରୁ ଅଧିକ ହିଂସାକାରୀ ଅଟକ

Published By : Prameya-News7 Bureau | January 10, 2023 IST

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ବୋଲସୋନାରୋଙ୍କ ସମର୍ଥକଙ୍କ ହଙ୍ଗାମା ପରେ ଆକ୍ସନ ମୁଡରେ ବ୍ରାଜିଲ ପ୍ରଶାସନ । ପ୍ରାୟ ୧୫୦୦ରୁ ଅଧିକ ହିଂସାକାରୀଙ୍କୁ ଅଟକ ରଖିଛି ସେନା । ରବିବାର ଦିନ ଦଙ୍ଗାରେ ସାମିଲ ଥିବା ୩୦୦ ଲୋକଙ୍କୁ ପୋଲିସ ହେପାଜତକକୁ ନେଇଥିଲା । ସେହିପରି ସୋମବାର ଦିନ ୧୨୦୦ରୁ ଅଧିକ ଲୋକଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ଦଙ୍ଗାକାରୀଙ୍କୁ ନେଇ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ଆସିଥିବା ୪୦ଟି ବସ୍ ଜବତ କରାଯାଇଛି ।

ନିର୍ବାଚନ ହାରିବା ପରେ ବ୍ରାଜିଲ ପୂର୍ବତନ ରାଷ୍ଟ୍ରପତି ଜାଏର ବୋଲୋସୋନାରୋଙ୍କ ସମର୍ଥକମାନେ ସଂସଦ, ରାଷ୍ଟ୍ରପତି ଭବନ ଓ ସୁପ୍ରିମ କୋର୍ଟରେ ପଶି ଭଙ୍ଗାରୁଜା କରିଥିଲେ । ପାଖାପାଖି ୩ ହଜାର ସମର୍ଥକ ସରକାରୀ କାର୍ଯ୍ୟାଳୟରେ ପ୍ରବେଶ କରି ଆତଙ୍କ ରଚିଥିଲେ। ବୋଲୋସୋନାରୋଙ୍କ ସମର୍ଥକଙ୍କ ଏଭଳି କାଣ୍ଡକୁ ଆତଙ୍କବାଦୀ କାର୍ଯ୍ୟକଳାପ ସହିତ ତୁଳନା କରିଛନ୍ତି ନବ ନିର୍ବାଚିତ ରାଷ୍ଟ୍ରପତି ଲୁଇଜ୍ ଇନ୍‌କାଓ ଲୁଲା ଡା ସିଲ୍‌ଭା । ଦେଶରେ ଦଙ୍ଗା ଭଳି ପରିସ୍ଥିତି ସୃଷ୍ଟି କରି ଗଣତନ୍ତ୍ରକୁ ଧ୍ବଂସ କରାଯାଉଛି । ଏହା ନିନ୍ଦା କରିବା ସହିତ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । 

ରାଷ୍ଟ୍ରପତି ନିର୍ବାଚନରେ ଖୁବ୍ କମ୍ ଭୋଟରେ ପରାଜିତ ହେବା ପରେ ଏହାକୁ ସହଜରେ ଗ୍ରହଣ କରିପାରୁନହାଁନ୍ତି ପୂର୍ବତନ ରାଷ୍ଟ୍ରପତି ବୋଲୋସୋନାରୋ ଓ ତାଙ୍କ ସମର୍ଥକମାନେ। ଫଳରେ ସଂଦସ, ରାଷ୍ଟ୍ରପତି ଭବନ ଓ ସୁପ୍ରିମକୋର୍ଟ ଉପରେ ଆକ୍ରମଣ କରିଥିଲେ । ତେବେ ହିଂସାକାରୀଙ୍କ ଉପରେ ବ୍ରାଜିଲ୍ ସୁରକ୍ଷାବଳ ଆକ୍ସନ ନେଇଛି । ସେନା ମୁଖ୍ୟାଳୟ ସାମ୍ନାରେ ଥିବା ଦଙ୍ଗାକାରୀ କ୍ୟାମ୍ପକୁ ନଷ୍ଟ କରିଛି ସେନା । ପ୍ରାୟ ୧୫ଶହରୁ ଅଧିକ ଦଙ୍ଗାକାରୀଙ୍କୁ ଅଟକ ରଖିଛି ସେନା । ଅନ୍ୟପଟେ ନୂଆ ରାଷ୍ଟ୍ରପତି ଲୁଇଜ୍ ଇନ୍‌କାଓ ଲୁଲା ଡା ସିଲ୍‌ଭା ଦାୟିତ୍ବ ଗ୍ରହଣ କରିବା ପରେ ସଂସଦର ଉଭୟ ଗୃହର ଅଧ୍ୟକ୍ଷଙ୍କ ସହିତ ସୁପ୍ରିମକୋର୍ଟ ବିଚାରପତିଙ୍କୁ ସାକ୍ଷାତ କରିଛନ୍ତି ।

ଆସନ୍ତା ମାସରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହିତ ଭେଟ କରିବେ ବ୍ରାଜିଲ୍ ରାଷ୍ଟ୍ରପତି ଲୁଇଜ୍ ଇନ୍‌କାଓ ଲୁଲା ଡା ସିଲ୍‌ଭା । ଓ୍ବାସିଂଟନରୁ ମିଳିଥିବା ନିମନ୍ତ୍ରଣରୁ ଗ୍ରହଣ କରିଛନ୍ତି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.