ଉତ୍କଟ ମରୁଡି ଯୋଗୁ ଭୋକରେ ଆଉଟୁପାଉଟୁ ୧.୩କୋଟିରୁ ଅଧିକ ଲୋକ, ୬ମାସରେ ସ୍ଥିତି ଆହୁରି ହେବ ଭୟଙ୍କର! ଚେତାଇଲା ୟୁଏନ୍‌

Published By : Prameya-News7 Bureau | February 08, 2022 IST

ନୂଆଦିଲ୍ଲୀ ୦୮/୦୨: ବିଶ୍ବର ଅନେକ ଦେଶ ରହିଛନ୍ତି ଯେଉଁଠାରେ ଏବେବି ଭଲରେ ଗଣ୍ଡେ ଖାଇବାକୁ ମଧ୍ୟ ଲୋକେ ଆଉଟୁପାଉଟୁ ହେଉଛନ୍ତି । କେନିୟା, ସୋମାଲିୟା ଏବଂ ଇଥିଓପିୟା ଭଳି ଦେଶରେ ଏବେ ଉତ୍କଟ ଖାଦ୍ୟ ସମସ୍ୟା । ଦୀର୍ଘଦିନ ହେଲା ବର୍ଷା ନହେବା କାରଣରୁ ପ୍ରାୟ ଦେଢ କୋଟି ଲୋକ ଉତ୍କଟ ଭୋକ ସମସ୍ୟା ଦେଇ ଗତି କରୁଛନ୍ତି । ୧୯୮୧ ମସିହା ପରେ ଆଫ୍ରିକୀୟ ଦେଶରେ ଏହା ସବୁଠାରୁ ବଡ ମରୁଡି ବୋଲି କହିଛି ବିଶ୍ବ ଫୁଡ୍‌ ପ୍ରୋଗ୍ରାମ୍ (WFP) ।

କେନିୟା, ଇଥିଓପିୟା ଏବଂ ସୋମାଲିୟାରେ ଏଭଳି ଭୟଙ୍କର ମରୁଡି କାରଣରୁ ଶସ୍ୟ ଉତ୍ପାଦନ ଏକଦମ୍‌ ଠପ୍‌ ହୋଇଯାଇଛି । ଲକ୍ଷ ଲକ୍ଷ ସଂଖ୍ୟାରେ ଗୃହପାଳିତ ପଶୁ ମୃତ୍ୟୁବରଣ କରିଛନ୍ତି । ଲଗାତାର ଭାବେ ଗତ ୩ଟି ଯାକ ବର୍ଷା ଋତୁରେ ଏଠାରେ ଆଦୌ ବର୍ଷା ହୋଇନାହିଁ । ଯାହା ଫଳରେ ଏଭଳି ଉତ୍କଟ ସମସ୍ୟା ଦେଖିବାକୁ ମିଳିଛି । ଗାଁ ଗହଳି ଅଞ୍ଚଳରେ ଯେଉଁମାନେ ମୁଖ୍ୟତ ଚାଷ ଉପରେ ନିର୍ଭର କରନ୍ତି ସେମାନେ ହାତ ବାନ୍ଧି ବସିରହିବା ସହ ଖାଇବାକୁ ନପାଇ ମୃତ୍ୟୁକୁ ଅପେକ୍ଷା କରିଛନ୍ତି ।

ଅନେକ ଆଫ୍ରିକୀୟ ଦେଶରେ କୃଷି କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଇଛି । ଧିରେ ଧିରେ ଭୋକିଲାଙ୍କ ସଂଖ୍ୟା ମଧ୍ୟ ବୃଦ୍ଧିପାଇବାରେ ଲାଗିଛି । ଭୟଙ୍କର ମରୁଡି ସତେ ଯେମିତି ଲୋକଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ସେ ସବୁ ଦେଶର ଆର୍ଥିକ ପରିସ୍ଥିତି ସେତେଟା ସୁଦୃଢ ନଥିବାରୁ ଭୋକରେ ଆଉଟୁପାଉଟୁ ହେଉଛନ୍ତି ଲୋକେ ।

୨୦୧୧ ମସିହାରେ ସୋମାଲିୟାରେ ହୋଇଥିବା ଭୟଙ୍କର ମରୁଡି ଯୋଗୁଁ ପ୍ରାୟ ୨ ଲକ୍ଷ ୫୦ ଜହାର ଲୋକେ ଭୋକରେ ମୃତ୍ୟୁବରଣ କରିଥିଲେ । ଏବେ ସେଠାରେ ପୁଣି ଥରେ ସମାନ ଅବସ୍ଥା । ତୁରନ୍ତ ଏଥିପ୍ରତି ଧ୍ୟାନ ନଦେଲେ ଆଗୁକ ସ୍ଥିତି ଆହୁରି ଭୟଙ୍କର ହେବ କହିଛନ୍ତି, WFPର ଆଞ୍ଚଳିକ ନିର୍ଦେଶକ ମିଚେଲ୍‌ ଡନ୍‌ଫର୍ଡ ।

କେନିୟା, ଇଥିଓପିୟା ଏବଂ ସୋମାଲିୟ ସରକାର ସାଧ୍ୟ ମୁତାବକ ବିଭିନ୍ନ ଅଞ୍ଚଳରେ ଖାଦ୍ୟ ବଣ୍ଟନ କରୁଛନ୍ତି । ତଥାପି ପ୍ରାୟ ୧.୩ ମିଲିୟନ (ଦେଢ କୋଟି) ଲୋକ ଭୋକରେ ବିକଳ ହେଉଛନ୍ତି । ଚଳିତ ବର୍ଷର ପ୍ରଥମାରର୍ଦ୍ଧରେ ହିଁ ଏଭଳି ସମସ୍ୟା​‌ ଉପୁଜିଲାଣି । ଆଗକୁ ସ୍ଥିତି ଆହୁରି ଭୟଙ୍କର ହୋଇପାରେ ବୋଲି ଅନୁମାନ କରିଛି ବିଶ୍ବ ଫୁଡ୍‌ ପ୍ରୋଗ୍ରାମ୍ । ଦକ୍ଷିଣ-ପୂର୍ବ ଇଥିଓପିୟାର ପ୍ରାୟ ୫୭ ଲକ୍ଷ ଲୋକଙ୍କୁ ଖାଦ୍ୟ ଆବଶ୍ୟକ । ବିଶେଷ କରି ଛୋଟଛୋଟ ଶିଶୁ ଏବଂ ମହିଳାଙ୍କୁ ଖାଦ୍ୟର ଆବଶ୍ୟକତା ଅଧିକ ରହିଛି ।

ବିଶ୍ବ ଫୁଡ୍‌ ପ୍ରୋଗ୍ରାମ୍ କହିବା କଥା ଯେ, ଆସନ୍ତା ମେ ମାସ ସୁଦ୍ଧା ସୋମାଲିୟାର ପ୍ରାୟ ୩୫ ରୁ ୪୬ ଲକ୍ଷ ଲୋକ ଭୀଷଣ ଭୋକର ସମ୍ମୁଖୀନ ହେବେ । ଏଭଳି ସ୍ଥିତିକୁ ନଜରରେ ରଖି ସରକାର ତୁରନ୍ତ ଏହାର ନିରାକରଣ ପାଇଁ ପଦକ୍ଷେପ ନେବା ଆବଶ୍ୟକ । ସେହିଭଳି କେନିୟାରେ ମଧ୍ୟ ୨୮ ଲକ୍ଷ ଲୋକଙ୍କୁ ଖାଦ୍ୟ ଆବଶ୍ୟକ ପଡିଲାଣି । ଆସନ୍ତା ୬ ମାସ ମଧ୍ୟରେ ବିଶ୍ବର ପ୍ରାୟ ୩୨ କୋଟି ୭୦ ଲକ୍ଷ ଲୋକଙ୍କୁ ଖାଦ୍ୟର ଆବଶ୍ୟକତା ପଡିପାରେ । ପାଣିପାଗରେ ଅଦଳବଦଳ କାରଣରୁ ଏଭଳି ଉତ୍କଟ ସମସ୍ୟା ଦେଖିବାକୁ ମିଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.