ପାର୍ଟ ଟାଇମ୍ ଚାକିରି ନାଁରେ ଠକେଇ କରୁଥିବା ୧୦୦ ୱେବସାଇଟ୍ ବ୍ୟାନ୍, ଗୃହ ମନ୍ତ୍ରାଳୟ ନେଲା ଆକ୍ସନ

Published By : Prameya-News7 Bureau | December 06, 2023 IST

ନୂଆଦିଲ୍ଲୀ: ଘରେ ବସି ପାଆନ୍ତୁ ନିଯୁକ୍ତି, ଘରେ ବସି ଆୟ କରନ୍ତୁ କହି ଲୋକଙ୍କୁ ଠକୁଥିବା ୧୦୦ ୱେବସାଇଟ୍‌କୁ ବନ୍ଦ କରାଯାଇଛି । ଗୃହ ମନ୍ତ୍ରାଳୟ ଅଧିନରେ ଆସୁଥିହା ଇଣ୍ଡିଆନ୍ ସାଇବର କ୍ରାଇମ୍ କୋଅର୍ଡିନେସନ ସେଣ୍ଟର ଏହି ୱେବସାଇଟଗୁଡିକୁ ଚିହ୍ନଟ କରି ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିଥିଲା । ଏହାପରେ ଆଇଟି ମନ୍ତ୍ରାଳୟ ଏହିସବୁ ୱେବସାଇଟ୍‌କୁ ବନ୍ଦ କରିଦେଇଛି ।

ଗୃହ ମନ୍ତ୍ରାଳୟ ଅନୁସାରେ ଏହି ୱେବସାଇଟ୍ ବିଦେଶୀ ମାଟିରୁ ପରିଚାଳନା ହେଉଥିଲା । ଏବଂ ଭାରତୀୟଙ୍କୁ ଠକିବା ପାଇଁ ସ୍ୱତନ୍ତ୍ର ରୂପେ ଏହାକୁ ଡିଜାଇନ କରାଯାଇଥିଲା । ଏହାର ବିଜ୍ଞାପନ ଡିଜିଟାଲ ପ୍ଲାଟ୍‌ଫର୍ମରେ ବିଭିନ୍ନ ଭାରତୀୟ ଭାଷାରେ କରାଯାଉଥିଲା । ଗୃହ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ପାର୍ଟ ଟାଇମ୍ ଚାକିରି ଲୋଭ ଦେଖାଇବା ଉଦ୍ଦେଶ୍ୟ ସେବାନିବୃତ କର୍ମଚାରୀ, ମହିଳା ଓ ରୋଜଗାର ଖୋଜୁଥିବା ଯୁବକଙ୍କୁ ନିଜ ଜାଲରେ ଫସାଇବା ।

ପଢନ୍ତୁ: ମହାଦେବ ଆପ୍ ସମେତ ୨୨ ବେଟିଂ ଆପ୍‌ ବ୍ୟାନ୍‌, ଇଡିର ସୁପାରିଶ କ୍ରମେ କେନ୍ଦ୍ର ସରକାରଙ୍କ ପଦକ୍ଷେପ

ଥରେ ବିଜ୍ଞାପନ ଲିଙ୍କରେ କ୍ଲିକ୍ କରିବା ପରେ ହ୍ୱାଟ୍ସଆପ୍ କିମ୍ୱା ଟେଲିଗ୍ରାମରେ ଅନେକ ବ୍ୟକ୍ତି ଯୋଗାଯୋଗ କରନ୍ତି ଓ ଭିଡିଓକୁ ଲାଇକ୍ ଓ ସବ୍‌ସ୍କ୍ରାଇବ କରିବା ଓ ମେମ୍ସର ରେଟିଂ ପରି ସହଜ କାମ ଦେଇଥାନ୍ତି । ଭରସା ଜିତିବା ପାଇଁ କାମ ପୂର ହେବା ପରେ କିଛି କମିଶନ ମଧ୍ୟ ଦିଆଯାଉଥିଲା । ଥରେ ଭରସା ଜିତିବା ପରେ ବ୍ୟକ୍ତିକୁ ଅଧିକ ଆୟ ଲାଞ୍ଚ ଦେଇ ନିବେଶ ପାଇଁ ଉତ୍ସାହିତ କରାଯାଇଥାଏ ।

ଅଧିକ ନିବେଶ ପରେ ଏହି ଟଙ୍କାକୁ ଜବତ କରି ନେବା ସହ କାମ ଦେବା ବନ୍ଦ କରିଦେଉଥିଲେ । ଏହିପରି ଦେଶରେ ଲକ୍ଷାଧିକ ବେରୋଜଗାର ଯୁବକ, ମହିଳା ଓ ସେବାନିବୃତ କର୍ମଚାରୀଙ୍କୁ ଏହାର ଶିକାର କରାଯାଉଥିଲା । ଗୃହ ମନ୍ତ୍ରାଳୟର ଆଇଫର୍‌ସି ତଦନ୍ତରେ ଲୋକଙ୍କୁ ଠକା ଯାଉଥିବା ସ୍ପଷ୍ଟ ହୋଇଥିଲା । ଏହାସହ ଏହି ଟଙ୍କାକୁ ଭାରତରେ ରଖିବା ପରିବର୍ତ୍ତେ କ୍ରିପ୍ଟୋକରେନ୍ସି, କାର୍ଡ ନେଟୱାର୍କ ଓ ଅନ୍ତରାଷ୍ଟ୍ରୀୟ ଫିନଟେକ୍ କମ୍ପାନି ଜରିଆରେ ବିଦେଶ ପଠାଯାଉଥିଲା । ଫଳରେ ଅଭିଯୋଗ ସତ୍ତ୍ୱେ ବି ଏହି ଟଙ୍କାକୁ ଫେରାଇ ଅଣାଯାଇ ସମ୍ଭବ ହୋଇ ପାରୁ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.